କନ୍ଧମାଳର ଦୁଇଟି ନୂଆ ପର୍ଯ୍ୟଟନସ୍ଥଳର ସନ୍ଧାନ

ଫୁଲବାଣୀ, ୧।୧୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲାର ପ୍ରକୃତି ଓ ପର୍ଯ୍ୟଟନ ପାଇଁ ବେଶ ଜଣାଶୁଣା। ଜିଲାରେ ରହିଛି ବହୁ ପର୍ଯ୍ୟଟନ କ୍ଷେତ୍ର। ବହୁ କ୍ଷେତ୍ର ଲୁକାୟତ ଭାବରେ ରହି ଯାଉଥିବା ବେଳେ କନ୍ଧମାଳ ଇତିହାସ କଂଗ୍ରେସ ପକ୍ଷରୁ ଜିଲାର ଇତିହାସ ଖୋଜି ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ ଚଲାଇଛି। ତେବେ ଖଜୁରିପଡାଠାରୁ ଭୁବନେଶ୍ୱର ଅଭିମୁଖେ ଯିବା ବାଟରେ ପାବେରି ଗାଁ ନିକଟ ଜଙ୍ଗଲ ମଧ୍ୟରେ ଏକ ନୂଆ ପର୍ଯ୍ୟଟନ ସ୍ଥଳ ଓ ପକୃତିର ବିସ୍ମୟ ପଥର ସନ୍ଧାନ କରିଛି କନ୍ଧମାଳ ଇତିହାସ କଂଗ୍ରେସ।
ଖଜୁରିପଡା-ଭୁବନେଶ୍ୱର ରାସ୍ତାରୁ ୪ କିଲୋମିଟର ପରେ ବାମ ପାଶର୍‌ବରେ ଏକ ଛୋଟିଆ ପୋଖରୀ ପଡେ । ସେହି ପୋଖରୀର ଦକ୍ଷିଣ କଡ଼ରେ ଏକ ପାଦଚଲା ରାସ୍ତା ଜଙ୍ଗଲ ଆଡ଼କୁ ଲମ୍ବି ଯାଇଛି। ସେହି ରାସ୍ତାରେ ପ୍ରାୟ ୧ କିଲୋମିଟର ଜଙ୍ଗଲ ଭିତରକୁ ଗଲେ ଏକ ଛୋଟ ଜଳପ୍ରପାତ ଦେଖିବାକୁ ମିଳିବ। ସେହି ଜଳପ୍ରପାତର ଧାରେଧାରେ ପ୍ରାୟ ଶହେ ମିଟର ତଳକୁ ଖସିଲେ ଆହୁରୀ ଏକ ବଡ଼ ଜଳପ୍ରପାତ ରହିଛି। ଯାହାକୁ ସ୍ଥାନୀୟ ଲୋକେ ଡଙ୍ଗାଧର ବା ଡଙ୍ଗାଦର୍‌ ବୋଲି କହୁଛନ୍ତି। ସ୍ଥାନଟି ଖୁବ୍‌ ସୁନ୍ଦର ଓ ମନୋରମ । ଶାନ୍ତି ଓ ଶୀତଳ ପରିବେଶ ମଧ୍ୟରେ ଅବସ୍ଥିତ ଜଳପ୍ରପାତଟି ବର୍ତ୍ତମାନ ସୁଦ୍ଧା ଲୋକ ଲୋଚନକୁ ଆସି ପାରିନାହିଁ। ପ୍ରଶାସନ ଉକ୍ତ ସ୍ଥାନକୁ ରାସ୍ତାଟିଏ ନିର୍ମାଣ କରିବା ବ୍ୟବସ୍ଥା କଲେ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ପାରନ୍ତା।
ସେହିପରି ମୁଖ୍ୟରାସ୍ତାର ଡାହାଣ ପାଶର୍‌ବରେ ଏକ ବିଚିତ୍ର ପାହାଡ଼ ରହିଛି। ଯାହାକୁ ସ୍ଥାନୀୟ ଲୋକେ କଟାପଥର ପାହାଡ ବୋଲି କୁହନ୍ତି। କାରଣ ଉକ୍ତ ପାହାଡ଼ର ସମସ୍ତ ପଥର ପ୍ରକୃତି ଦ୍ୱାରା ସଠିକ୍‌ ମାପର ବ୍ୟବଧାନରେ କଟା ଯାଇଥିବା ଦୃଷ୍ଟି ଗୋଚର ହୁଏ। ଯେଉଁ ପଥର କାଟି ହେଇନି ତାହା ଭବିଷ୍ୟତରେ କାଟି ହେବା ପାଇଁ ଚିହ୍ନିତ ହେଇ ରହିଛି। ଏହା ମଧ୍ୟ ଏକ ସୁନ୍ଦର ପରିବେଶ ମଧ୍ୟରେ ଅବସ୍ଥିତ। ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଉପଭୋଗ୍ୟ ସ୍ଥାନ। ଗବେଷକ ଡଃ ଚିତରଞ୍ଜନ ମିଶ୍ର ଓ ଡଃ ତ୍ରୈଲୋକ୍ୟ ନାଥ ସେନାପତି ଏହାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏହି ସବୁ ସ୍ଥାନକୁ ଯାଇ ଫଟୋ ଉତ୍ତୋଳନ କରି ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିଛନ୍ତି।