ବିଦ୍ୟୁତ୍‌ ବିଭ୍ରାଟରୁ ରୋଗୀ ହନ୍ତସନ୍ତ

ବ୍ରହ୍ମପୁର ଅଫିସ,୧୪ା୧୦: ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ହସ୍ପିଟାଲ ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ଅବ୍ୟବସ୍ଥା ପିଛା ଛାଡୁନି। ବିଭିନ୍ନ ସମୟରେ ରୋଗୀ ସେବାରେ ନାନା ଅବ୍ୟବସ୍ଥା ଏବେ ପ୍ରତିଦିନ ଦୃଷ୍ଟିକୁ ଆସୁଛି। ଗୁରୁବାର ପୁଣିଥରେ ରୋଗୀସେବାର ବିକଳ ଚିତ୍ରର ଏକ ନମୁନା ଦେଖିବାକୁ ମିଳିଛି। ଆଉଟଡୋରରେ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ରୋଗୀଙ୍କୁ ନାନା ହଇରାଣର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରିକି ଟିକେଟ ପାଇବା ପାଇଁ ରୋଗୀ କଲବଲ ହେଉଥିବା ଦେଖିବାକୁ ମିଳିଥିଲା। ପରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହେବା ପରେ ରୋଗୀଙ୍କୁ ଟିକଟ ଦିଆଯାଇଥିଲା। ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଶତାଧିକ ରୋଗୀ ଆଉଟଡୋର ଟିକଟ କାଉଣ୍ଟର ସମ୍ମୁଖରେ ଧାଡ଼ି ବାନ୍ଧିଥିଲେ। ରୋଗୀଙ୍କୁ କମ୍ପ୍ୟୁଟର ଜେନେରେଟ୍‌ ଟିକେଟ ଦିଆଯାଉଥିଲା। ପ୍ରାୟ ୧୧ଟା ବେଳେ ହଠାତ୍‌ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ବିଦ୍ୟୁତ ନ ଆସିବାରୁ କିଛି ସମୟ ପରେ କମ୍ପ୍ୟୁଟରଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଥିଲା। ଫଳରେ ରୋଗୀ ଓ ସମ୍ପର୍କୀୟମାନଙ୍କୁ ଟିକଟ ପାଇଁ ଅନ୍ଧାରରେ ଛିଡ଼ା ହେବାକୁ ପଡ଼ିଥିଲା। ଜେନେରେଟର୍‌ ବ୍ୟବସ୍ଥା ଥିଲେ ମଧ୍ୟ ବିଦ୍ୟୁତ୍‌ ଦେବାରେ ବିଳମ୍ବ ହୋଇଥିଲା। ବିଦ୍ୟୁତ ସରବରାହ ସ୍ବାଭାବିକ ହେବା ପରେ ରୋଗୀଙ୍କୁ ଟିକଟ ଦିଆଯାଇଥିଲା। ଏହି ଘଟଣାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ବାରମ୍ବାର ଏଭଳି ବିଭ୍ରାଟ ଘଟୁଥିଲେ ମଧ୍ୟ କେହିବି ଏଥିପ୍ରତି ଦୃଷ୍ଟି ଦେଉନଥିବା ନେଇ ଲୋକମାନେ ଅଭିଯୋଗ କରିଛନ୍ତି।