ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସଙ୍ଗୀନ ହୋଇପଡ଼ିଛି। ଗତ କିଛିଦିନ ବର୍ଷା ଲାଗି ରହିବାରୁ ବିଭିନ୍ନ ୱାର୍ଡ଼ ଜଳମଗ୍ନ ହେବା ସହିତ ଲୋକଙ୍କ ଘରକୁ ମଧ୍ୟ ମଇଲା, ଆବର୍ଜନା ସହିତ ବର୍ଷାପାଣି ପଶିଥିଲା। ବାନ୍ଦୁଟିକ୍ରା, ଖଜୁରଟିକ୍ରା, ଜର୍ଜ ହାଇସ୍କୁଲ ପଡ଼ିଆ ରାସ୍ତା, ୱାର୍ଡ଼ ନଂ.୧୪ ରେଳଷ୍ଟେଶନପଡ଼ା, ଅମ୍ବାପାଲି ସମେତ ବିଭିନ୍ନ ଅଞ୍ଚଳରେ ଏଭଳି ସ୍ଥିତି ଉପୁଜିଥିଲା। ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବାବେଳେ ମଙ୍ଗଳବାର ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଭେଟି ସହରରେ ଦେଖାଯାଇଥିବା ଡ୍ରେନେଜ ସମସ୍ୟାର ତ୍ୱରିତ୍ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହାର ସମାଧାନର ବାଟ ଫିଟାଇବା ପାଇଁ ପୌର ପରିଷଦ, ପୂର୍ତ୍ତ, ଜନସ୍ବାସ୍ଥ୍ୟ(ପିଏଚଡି) ଆଦି ବିଭାଗର ସମନ୍ବୟ ବୈଠକ କରିବାର ଆବଶ୍ୟକତା ରହିଛି ବୋଲି ନେପାକ କହିଛନ୍ତି। ଯଦି ସହରରେ ତୁରନ୍ତ ଡ୍ରେନେଜ ସମସ୍ୟାର ସମାଧାନ କରା ନ ଯାଏ, ଆଗକୁ ଯେଉଁ ସ୍ଥିତି ଉପୁଜିବ, ସେଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ନେପାକ ଚେତାବନୀ ଦେଇଛନ୍ତି। ନେପାକଙ୍କ ସହିତ ଅବଦୁଲ ଗଫାର ମଧ୍ୟ ଉପସ୍ଥିତ ଥିଲେ।