ନିର୍ଦ୍ଦେଶକ ପ୍ରିନ୍ସ କୁମାର ମଥୁରାରୁ ଗିରଫ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଡିଜିଟାଲ୍‌ ମାର୍କେଟିଂ ଆଳରେ ଦେଶର ଆଉଏକ ବଡ଼ଧରଣର ଠକେଇ ଘଟଣା ଏବେ ସାମ୍ନାକୁ ଆସିଛି। ଆପ୍‌ ବ୍ୟବହାର କରିବା ସହ ଘରେ ବସି ରୋଜଗାର ଲୋଭ ଦେଖାଇ ସାରା ଦେଶରୁ ବହୁ କୋଟି ଲୁଟି ନେଇଛନ୍ତି ଠକ। କେବଳ ଓଡ଼ିଶାରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଠକେଇ କରିଥିବା ‘ଏମ୍‌/ଏସ୍‌ ଡିଜିଟାଲ ରିଭୋଲ୍ୟୁଶନ୍‌ ଟେକ୍ନୋଲୋଜିସ୍‌ ଲିମିଟେଡ୍‌’ କମ୍ପାନୀର ନିର୍ଦ୍ଦେଶକଙ୍କୁ ଶେଷରେ ଉତ୍ତରପ୍ରଦେଶର ମଥୁରାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ସେ ହେଲେ ବିହାର ମୁଜାଫରପୁର ଅଞ୍ଚଳର ପ୍ରିନ୍ସ କୁମାର। ଇଓଡବ୍ଲ୍ୟୁ ତାଙ୍କୁ ବୁଧବାର ଗିରଫ କରିବା ପରେ ମଥୁରା ସିଜେଏମ୍‌ କୋର୍ଟରେ ହାଜର କରିଥିଲା। କୋର୍ଟ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେବାକୁ ଅନୁମତି ଦେବାପରେ ଇଓଡବ୍ଲ୍ୟୁ ପ୍ରିନ୍ସଙ୍କୁ ଓଡ଼ିଶା ଆଣୁଛି। ଅଭିଯୁକ୍ତ ପ୍ରିନ୍ସ ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟରେ ମଧ୍ୟ ଠକେଇ କରିଛନ୍ତି। ତେଣୁ ସେ ପହଞ୍ଚତ୍ବା ପରେ ତାଙ୍କୁ ଅଧିକ ଜେରା କରାଯିବ। ତାଙ୍କ ର଼୍ୟାକେଟ ସମ୍ପର୍କରେ ଅଧିକ ତଥ୍ୟ ମିଳିବା ସହ ଠକେଇ ଟଙ୍କା ପରିମାଣ ବଢ଼ିପାରେ ବୋଲି ଇଓଡବ୍ଲ୍ୟୁ ଆଶା ରଖିଛି।
ଅନୁଯାୟୀ, ଅଭିଯୁକ୍ତ ପ୍ରିନ୍ସ ବଡ଼ ଠକେଇ ପାଇଁ ଅଭିନବ ଯୋଜନା କରିଥିଲେ। ‘ଏମ୍‌/ଏସ୍‌ ଡିଜିଟାଲ ରିଭୋଲ୍ୟୁଶନ୍‌ ଟେକ୍ନୋୋଜିସ୍‌ ଲିମିଟେଡ୍‌’ ନାମରେ ଏକ କମ୍ପାନୀ ଖୋଲି କର୍ମଚାରୀ ନିୟୋଜିତ କରିଥିଲେ। ଲୋକଙ୍କ ବିଶ୍ୱାସ ଭାଜନ ପାଇଁ ସେ ୟୁଟ୍ୟୁବ୍‌, ହ୍ବାଟ୍ସଆପ୍‌, ଆମାଜନ୍‌, ଇମେଲ୍‌, ଅନ୍‌ଲାଇନ୍‌ ଡିଜିଟାଲ ଗେମିଂ, ଡିଜିଟାଲ ପେମେଣ୍ଟ ଓ ନେଟ୍‌ଫ୍ଲିକ୍ସ ଆଦିର ବିକଳ୍ପ ଭାରତୀୟ ଆପ୍‌ ଯଥା ଶପ୍‌ ସବ୍‌କୁଛ୍‌, ମାଇଁପେ, ମାଇଁୟୁଟୁବ୍‌ ୱାଲର୍‌ଡ, ଭିଡ୍‌ସ୍କୋପ, ଚିଠି, ଗୋଗେମ୍‌ ଆଦି ପ୍ରସ୍ତୁତ କରିଥିଲେ। ରାଜ୍ୟରୁ ରାଜ୍ୟ ବୁଲି ଅଧିକରୁ ଅଧିକ ଲୋକଙ୍କୁ କମ୍ପାନୀ ସହ ଯୋଡୁଥିଲେ। ପ୍ରିନ୍ସ ସହ ର଼୍ୟାକେଟ୍‌ରେ ସମ୍ପୃକ୍ତ ଅନ୍ୟ ସଦସ୍ୟ ଓ କର୍ମଚାରୀମାନେ ଉପରୋକ୍ତ ଦେଶୀ ଆପ୍‌ଗୁଡ଼ିକୁ ବ୍ୟବହାର କରିବାକୁ କହୁଥିଲେ। ଘରେ ବସି ରୋଜଗାର କରିବା ସହ ଦେଶର ସମ୍ମାନ ବୃଦ୍ଧି କରିବାକୁ କହୁଥିଲେ। ଏଥିଯୋଗୁ ପରୋକ୍ଷରେ ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବ୍ୟବସାୟ ସହ ଡିଜିଟାଲ କ୍ଷେତ୍ରରେ କ୍ରାନ୍ତି ଆଣିବାକୁ କମ୍ପାନୀର ଲକ୍ଷ୍ୟ ରହିଥିବା କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ୨୦୨୦ ମାର୍ଚ୍ଚରେ ପ୍ରିନ୍ସ ଓଡ଼ିଶା ଆସି ବିଭିନ୍ନ ଜିଲାରେ ବୈଠକ କରିଥିଲେ। ୧୫ ହଜାର ଲେଖାଏ ଦେଇ କମ୍ପାନୀରେ ଆଇଡ଼ି ଖୋଲି ନାମ ପଞ୍ଜୀକରଣ କରିବା ପରେ ପ୍ରତି ମାସ ୨୬୦୦ ଟଙ୍କା ମିଳିବ ବୋଲି ସେ କହିଥିଲେ। ଏହାକୁ ବିଶ୍ୱାସ କରି ଶତାଧିକ ଲୋକ କମ୍ପାନୀ ସହ ଯୋଡ଼ି ହୋଇଥିବାବେଳେ ସେମାନଙ୍କଠାରୁ କମ୍ପାନୀ ଦେଢ଼ କୋଟିରୁ ଅଧିକ ଟଙ୍କା ନେଇଥିଲା। ୨ରୁ ୩ ମାସ ଟଙ୍କା ଆସିବା ପରେ ତାହା ବନ୍ଦ ହୋଇଯାଇଥିଲା। ଏପରିକି କେହି ଫୋନ୍‌ ମଧ୍ୟ ଉଠାଇ ନ ଥିଲେ। ଠକେଇର ଶିକାର ହୋଇଥିବା କେତେଜଣ ଲୋକ ୨୦୨୧ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ଦ୍ଦେଶକ୍ରମେ ଇଓଡବ୍ଲ୍ୟୁ ପ୍ରାଥମିକ ତଦନ୍ତ କରି ଗତ ମାର୍ଚ୍ଚ ୧୪ରେ (ନଂ.୫/୨୦୨୨) ମାମଲା ରୁଜୁ କରିଥିଲା।