୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ

କାମାକ୍ଷାନଗର, ୬।୩(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ରାଜନୀତିର ଅନ୍ୟତମ ପ୍ରମୁଖ କେନ୍ଦ୍ରସ୍ଥଳ କାମାକ୍ଷାନଗର ଏନ୍‌ଏସିର ଅଧ୍ୟକ୍ଷ ପଦବୀ ଲାଗି ଦୀର୍ଘ ୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଶେଷଥର ପାଇଁ ୧୯୯୨ରେ ଭୋଟର ସିଧାସଳଖ ଭୋଟଦେଇ ନଗରପାଳଙ୍କୁ ଚୟନ କରିଥିଲେ। ଚଳିତବର୍ଷ ଅନୁରୂପ ଭାବେ ଭୋଟିଂ ହେଉଥିବାରୁ ସହରୀ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।
୧୯୭୯ ଡିସେମ୍ବର ୨୬ରେ କାମାକ୍ଷାନଗରକୁ ମିଳିଥିଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା। ତେବେ ଦୀର୍ଘ ୧୩ବର୍ଷ ଧରି ପ୍ରଶାସକଙ୍କ ହାତରେ ରହିଥିଲା ଏନ୍‌ଏସି ପରିଚାଳନା ଦାୟିତ୍ୱ। ୧୯୯୨ରେ ପ୍ରଥମ କରି ଏଠାରେ ଅଧ୍ୟକ୍ଷ ପଦବୀ ଲାଗି ସିଧାସଳଖ ଭୋଟିଂ ହୋଇଥିବାବେଳେ ଜନତା ଦଳରୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ବ୍ରହ୍ମାନନ୍ଦ ମହାନ୍ତି। ତେବେ କାର୍ଯ୍ୟକାଳ ଶେଷ ହେବାର ୨ବର୍ଷ ପୂର୍ବରୁ ପରିଷଦକୁ ଭାଙ୍ଗି ଦିଆଯାଇଥିଲା। ୧୯୯୭ରେ ଅନୁଷ୍ଠିତ ପରୋକ୍ଷ ନିର୍ବାଚନରେ କଂଗ୍ରେସର ମନୋଜ ମଞ୍ଜରୀ ତ୍ରିପାଠୀ ଏବଂ ୨୦୦୩ରେ କଂଗ୍ରେସର ଗୋବିନ୍ଦ ଚନ୍ଦ୍ର ସାହୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୦୬ରେ ଗୋବିନ୍ଦଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ବିଜେଡିର ଯଶୋବନ୍ତ ପରିଡ଼ା ତାଙ୍କଠାରୁ ଅଧ୍ୟକ୍ଷ ପଦ ଛଡ଼ାଇ ନେଇଥିଲେ। ଏହାପରଠାରୁ ବିଜେଡି ଅଧୀନରେ ରହିଛି କାମାକ୍ଷାନଗର ଏନ୍‌ଏସି। ୨୦୦୮ରେ ବିଜେଡିର ସୌଭାଗିନୀ ରାଉଳ ଏବଂ ଶେଷଥର ପାଇଁ ୨୦୧୩ରେ ଅନୁଷ୍ଠିତ ନିର୍ବାଚନରେ ଧର୍ମାନନ୍ଦ ପରିଡ଼ା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ୧୫ ଓ୍ବାର୍ଡ ବିଶିଷ୍ଟ ଏନ୍‌ଏସିରେ ବିଜେଡି ଏକତରଫା ଭାବେ ୧୦ଟି ଓ୍ବାର୍ଡ ହାତେଇଥିଲା। କଂଗ୍ରେସ ମାତ୍ର ୪ଟି ସିଟ୍‌ରେ ସନ୍ତୁଷ୍ଟ ହୋଇଥିବାବେଳେ ଗୋଟିଏ ପଡ଼ିଥିଲା ସ୍ବାଧୀନ ପ୍ରାର୍ଥୀଙ୍କ ଭାଗ୍ୟରେ। ଏଥର ମୋଟ୍‌ ୧୩,୩୭୧ ଭୋଟର ନଗରପାଳଙ୍କ ସମେତ ୧୫ ଓ୍ବାର୍ଡର କାଉନ୍‌ସିଲରଙ୍କୁ ନିର୍ବାଚିତ କରିବେ।