ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି। ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ। ଏହାପରେ ୫ଟାରେ ଗଣତି କରାଯିବ। ଜଣେ ପରେ ଜଣେ ବିଧାୟକ ପହଞ୍ଚି ଭୋଟ ଦେଉଛନ୍ତି। ମତଦାନ କରିବା ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ବିଧାନସଭାର ଏକମାତ୍ର ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା। ସେ କହିଛନ୍ତି,ମୋତେ କମନ କ୍ୟାଣ୍ଡିଡେଟ୍ଙ୍କୁ ଭୋଟ ଦେବାକୁ କୁହାଯାଇଛି। ମୁଁ ଦଳର ନିଷ୍ପତ୍ତିକୁ ସମ୍ମାନ ଦିଏ। ଦିଲ୍ଲୀପ ରାୟ ମୋତେ ଫୋନ କରିଥିଲେ, ହେଲେ ମୁଁ ସିଧାସଳଖ ମନା କରିଦେଇଥିଲି।
ସୂଚନାଯୋଗ୍ୟ, ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍ କୁମାର, ମମତା ମହନ୍ତ, ମୁଜିବୁଲ୍ଲା ଖାନ(ମୁନା) ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ। ଖାଲି ହେବାକୁ ଥିବା ଏହି ଆସନଗୁଡିକରେ ୪ ଜଣ ରାଜ୍ୟ ସଭାକୁ ଯିବେ। ଏଥିଲାଗି ୫ ଜଣ ପୁରୁଷ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ଭାଜପା ପକ୍ଷରୁ ସୁଜିତ କୁମାର ଏବଂ ମନମୋହନ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଭାଜପା ସମର୍ଥନରେ ସ୍ବାଧୀନ ଭାବେ ଦିଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍) ପକ୍ଷରୁ ମିଳିତ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ୍ ପ୍ରାର୍ଥୀ କରାଯାଇଛି। ୩ ଦଳର ସମର୍ଥନରେ ଦତ୍ତେଶ୍ୱର ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ୪ ଆସନ ଲାଗି ୫ ଜଣ ପ୍ରାର୍ଥୀ ଥିବାରୁ ରାଜ୍ୟ ସଭା ପାଇଁ ନିର୍ବାଚନ ହେଉଛି।
Dharitri – Odisha’s No.1 Odia Daily

