ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ ମହୋତ୍ସବ ସମିତି ପକ୍ଷରୁ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଘୋଡ଼ାହାଡ଼ ପାଣିପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସମ୍ମୁଖରୁ ବାହାରିଥିବା ଶୋଭାଯାତ୍ରା ସହର ପରିକ୍ରମା କରି ବଜାର ଗାନ୍ଧୀ ଛକ ସଭାସ୍ଥଳରେ ପହଞ୍ଚିଥିଲା। ସଭାରେ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ରମାକାନ୍ତ ରଥ,ଅରୁଣ କୁମାର ପାଢ଼ୀ, ସ୍ବାମୀ ଶର୍ମିଷ୍ଠା ନନ୍ଦ ସରସତୀ,ମହନ୍ତ ଚିନ୍ମୟାନନ୍ଦ ଦାସ,ଯୋଗୀ ଦେବଦତ୍ତ ମେକାପ,ମହନ୍ତ କୃଷ୍ଣ ଚନ୍ଦ୍ର ଶାସ୍ତ୍ରୀ ପ୍ରମୁଖ ଯୋଗଦେଇ ଶ୍ରୀରାମ ନବମୀ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଉଦ୍ବୋଧନ ଦେବାସହ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ଜୀବନୀ ସମ୍ପର୍କରେ ସମ୍ବୋଧିତ କରିଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା ପ୍ରହଲ୍ଲାଦ ଡାକୁଆ,ଆୟୁଷ କୁମାର ରଥ,ଧର୍ମେନ୍ଦ୍ର ଦୋରା, ହରି ଦାସ, ଭଗବତୀ ପ୍ରସାଦ ମିଶ୍ର, ପ୍ରକାଶ କୁମାର ପ୍ରଧାନ,ନାରାୟଣ ସାବତ ପ୍ରମୁଖ ଉପସ୍ଥିତ ଥିଲେ।

