ଦିଗପହଣ୍ଡି,୧୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଶନିବାର ବିଳମ୍ବିତ ରାତିରୁ ଶୁଭାରମ୍ଭ ହୋଇଛି। ରବିବାର ଆଶ୍ୱିନ ମହାଷ୍ଟମୀ ତିଥି ସନ୍ଧ୍ୟାରେ ବଜାରସାହି ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ଯାତ୍ରାପୀଠରେ ମା ‘ଙ୍କୁ ଦର୍ଶନ ଓ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ର ସହସ୍ର ପରମିତ ଆଳତି କରିବା ପରେ ଘଟ ଶୋଭାଯାତ୍ରା ପାଇଁ ମା ‘ ଙ୍କୁ ଆବାହନ କରିଥିଲେ। ମା’ଙ୍କ ଆଜ୍ଞାମାଳ ପରେ ପାର୍ଶ୍ଵ ଘଟଧାରୀ ମହିଳାମାନେ ମା’ଙ୍କ ହୁକୁମ ନେଇ ମସ୍ତକକୁ ଘଟ ଉଠାଇଥିଲେ।

ମୁଖ୍ୟ ଘଟକୁ ସମ୍ମୁଖ ଭାଗରେ ରଖାଯିବା ପରେ ମା’ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣାର ତାଳେ ତାଳେ ଝୁଲି ଝୁଲି ଯାତ୍ରାପୀଠରୁ ଶୋଭାଯାତ୍ରାରେ ବାହାରି ବଜାର ସାହିର ଶ୍ରୀ ବାଙ୍କବିହାରୀ ମଠ ପର୍ଯ୍ୟନ୍ତ ଯାଇଥିଲେ । ଏହାପରେ ପୁଣି ଯାତ୍ରାପୀଠକୁ ଘଟ ଶୋଭାଯାତ୍ରା ଫେରିଥିଲା। ଦିଗପହଣ୍ଡିର ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ କଳା ନିକେତନର ମୁଖ୍ୟ ନାଟ୍ୟ ପ୍ରଦୀପ କୁମାର ରଥ ଓ ସାଥୀ ବୃନ୍ଦ ନୃତ୍ୟ ପରିବେଷଣ କରିଥିଲେ । ଦୂରଦୁରାନ୍ତରେ ରହୁଥିବା ସହରର ଅନେକ ବ୍ୟକ୍ତି ଯାତ୍ରା ପୀଠରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ସପରିବାର ସହ ଘରେ ପହଞ୍ଚିଛନ୍ତି । ଅସ୍ଥାୟୀ ଯାତ୍ରା ପୀଠକୁ ମା’ଙ୍କ ଆଗମନ ପରେ ସମଗ୍ର ଦିଗପହଣ୍ଡି ସହର ଚଳଚଞ୍ଚଳ ହୋଇପଡିଛି ।
ଆକର୍ଷଣୀୟ ତୋରଣ, ମୀନାବଜାର, ରାମ ଦୋଳି ଏବଂ ରଙ୍ଗ ବେରଙ୍ଗର ଆଲୋକ ମାଳା ରେ ଯାତ୍ରା ପୀଠ ଝଲସି ଉଠିଥିଲା। ଯାତ୍ରା ପରିଚାଳନା କମିଟି ସଭାପତି ବିଚିତ୍ରାନନ୍ଦ ପଟ୍ଟନାୟକ, ଉପସଭାପତି ଏ. ସୁଶାନ୍ତ, ସମ୍ପାଦକ ତଥା କାଉନସିଲର ଦୀପକ କୁମାର ମିଶ୍ର, ସହ ସମ୍ପାଦକ ଶିବଶଙ୍କର ମହାରଣା, କୋଷାଧ୍ୟକ୍ଷ ଆଶିଷ କୁମାର ପଟ୍ଟନାୟକ, ସହ କୋଷାଧ୍ୟକ୍ଷ କେ. ରାଜେନ୍ଦ୍ର, ଶିବଶଙ୍କର ମହାଙ୍କୁଡ, ଅର୍ଦ୍ଦୁ . ଗୋବିନ୍ଦ , ପ୍ରଦୀପ କୁମାର ପଣ୍ଡା, କାଉନସିଲର ନୀଳମାଧବ ଗୌଡ, ରବିନ୍ଦ୍ର କୁମାର ମାର୍ଥା, କେ. କୁନା, ପୁରୁଷୋତ୍ତମ ପାତ୍ର, ହିମାଂଶୁ ପାଣିଗ୍ରାହୀ, ବୈକୁଣ୍ଠ ସ୍ବାଇଁ, ଏମ. ବୀର,ଦିବାକର ପ୍ରଧାନ, ଏ.ବନମାଳୀ, ଦୁର୍ଗା ପ୍ରସାଦ ମେକାପ, ନରେନ୍ଦ୍ର ସାହୁ, ସତ୍ୟନାରାୟଣ ରେଡ୍ଡୀ, ଏ.ସନ୍ତୋଷଙ୍କ ସମେତ ଅନ୍ୟାନ୍ୟ ଯାତ୍ରା କମିଟି ସଦସ୍ୟ ବୃନ୍ଦ ଏବଂ ପୋଲିସ ବାହିନୀ ଉପସ୍ଥିତ ରହି ଯାତ୍ରାରେ ଭିଡ ନିୟନ୍ତ୍ରଣ କରିଥିଲେ ।

