ଦିଗପହଣ୍ଡି,୨୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ବୁଧବାର ୫ ଦିନ ବିତିଛି। ଦୂରଦୂରାନ୍ତରେ ରହୁଥିବା ବହୁ ସଂଖ୍ୟକ ସହର ବାସିନ୍ଦା ଯାତ୍ରା ପୀଠରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ସପରିବାର ସହ ଘରେ ପହଞ୍ଚିଛନ୍ତି। ଅସ୍ଥାୟୀ ଯାତ୍ରା ପୀଠକୁ ମା’ଙ୍କ ଆଗମନ ପରେ ସମଗ୍ର ଦିଗପହଣ୍ଡି ସହର ଚଳଚଞ୍ଚଳ ହୋଇପଡ଼ିଛି। ଆକର୍ଷଣୀୟ ତୋରଣ , ମୀନାବଜାର, ରାମ ଦୋଳି ଏବଂ ରଙ୍ଗୀନ ଆଲୋକମାଳା ରେ ଯାତ୍ରା ପୀଠ ଝଲସି ଉଠିଛି। ସନ୍ଧ୍ୟାରେ ବଜାରସାହି ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ଯାତ୍ରାପୀଠ ରେ ଶକ୍ତିପଲ୍ଲବ ତନ୍ତ୍ର ମତେ ଉଗ୍ରଚଣ୍ଡୀ ମଣ୍ଡଳ କ୍ରମେ ଆଶ୍ୱିନ ଶୁକ୍ଳପକ୍ଷ ପବିତ୍ର ଏକାଦଶୀ ତିଥିରେ ମା ’ ଙ୍କୁ ସେବା ପୂଜା ମଣୋହି କରାଯାଇଥିଲା। ମା ’ ଙ୍କ ଦର୍ଶନ ଓ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ର ସହସ୍ର ପରମିତ ଆଳତି କରିବା ପରେ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଘଟ ଶୋଭାଯାତ୍ରା ପାଇଁ ମା’ଙ୍କୁ ଆବାହନ କରିଥିଲେ। ମା’ଙ୍କ ଆଜ୍ଞାମାଳ ପରେ ପାର୍ଶ୍ୱ ଘଟଧାରୀ ମହିଳାମାନେ ମା’ଙ୍କ ହୁକୁମ ନେଇ ମସ୍ତକକୁ ଘଟ ଉଠାଇଥିଲେ। ମୁଖ୍ୟ ଘଟକୁ ସମ୍ମୁଖ ଭାଗରେ ରଖାଯିବା ପରେ ମା’ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣାର ତାଳେ ତାଳେ ଝୁଲିଝୁଲି ଯାତ୍ରାପୀଠରୁ ଶୋଭାଯାତ୍ରାରେ ବାହାରି ବଜାର ସାହି, କମାର ସାହି ଗଳି ଅତିକ୍ରମ କରି ଗୋପବନ୍ଧୁ ସାହି, ସାନବ୍ରାହ୍ମଣ ସାହି,ସୁନାରି ସାହି, ଫୁଲସୁନ୍ଦରୀ ସାହି, ନୂଆ ସାହି, ମୁଖାର୍ଜୀ ଲେନ୍, କମା ସାହି, କରଣ ସାହି, ହାଇସ୍କୁଲ ରୋଡ୍,ବିଷ୍ଣୁ ନଗର, ବିଦ୍ୟାରତ୍ନ ସାହି, ଅନ୍ନପୂର୍ଣ୍ଣା ସାହି, ଗୁଡ଼ିଆଗଳି ଅତିକ୍ରମ କରି ବିଳମ୍ବିତ ରାତିରେ ଯାତ୍ରା ପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସକାଳେ ଯାତ୍ରାପୀଠରେ ଛଣମେରି ଏବଂ ଦାଉଣୀ ଗ୍ରାମର ପୌରାଣିକ ପ୍ରହଲ୍ଲାଦ(ରାଜା) ନାଟକ ପରିବେଷଣ କରାଯାଇଥିଲା। ରାତିରେ ନାଟ୍ୟ ନିର୍ଦ୍ଦେଶକ ଟୁଟୁ ପାଢ଼ୀଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଚିକିଟି ନିକଟ ମହିସାନପୁର ଗ୍ରାମ ମା’ ଦଣ୍ଡକାଳୀ ନାଟ୍ୟ ସଂସଦର କଳାକାରମାନଙ୍କ ଦ୍ୱାରା ‘ଗୋଟେ ଶୁଆ ଓ ଗୋଟେ ଶାରୀ’ ସାମାଜିକ ନାଟକ ଦର୍ଶକଙ୍କ ମନ ମୋହିଥିଲା। ଯାତ୍ରା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା, ସଭ୍ୟ ବୃନ୍ଦ, ସ୍ବେଚ୍ଛାସେବୀ ଏବଂ ପୋଲିସ ବାହିନୀ ଉପସ୍ଥିତ ରହି ଭିଡ଼ ନିୟନ୍ତ୍ରଣ କରିଥିଲେ।

