ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି, କାହିଁକିି ହିନ୍ଦୁ ଏବଂ ଜୈନ ବୈଶ୍ୟ ସମୁଦାୟ ସମ୍ପୂର୍ଣ୍ଣ ନିରାମିଷାଶୀ ? ଏମାନେ ସମସ୍ତେ ବ୍ୟବସାୟୀ ଗୋଷ୍ଠୀର ଏବଂ ଅନେକ ଶତାବ୍ଦୀ ଧରି ବିଶ୍ୱ ବାଣିଜ୍ୟରେ ବିଶ୍ୱାସର ଏକ ନେଟୱର୍କ ପ୍ରତିଷ୍ଠା କରିବା ପାଇଁ ଖାଦ୍ୟାଭ୍ୟାସକୁ ବ୍ୟବହାର କରିଆସିଛନ୍ତି। ବୀମା ଏବଂ କ୍ରେଡିଟ୍‌ କଣ୍ଟ୍ରୋଲ ବ୍ୟବସ୍ଥା ପ୍ରତିଷ୍ଠା ହେବାର ବହୁ ପୂର୍ବରୁ, ବ୍ୟବସାୟରେ ପାରସ୍ପରିକ ବିଶ୍ୱାସ ଖାଦ୍ୟ ମାଧ୍ୟମରେ ଗଢ଼ିଉଠିଥିଲା। ଭୂମଧ୍ୟସାଗରୀୟ ଅଞ୍ଚଳର ଇହୁଦୀ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଭାରତ ମହାସାଗରର ମୁସଲମାନ ବ୍ୟବସାୟୀ ଏବଂ ଭାରତର ଜୈନ ଓ ମାରୱାଡ଼ି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ, ଖାଦ୍ୟପେୟର କଟକଣା ସେହି ବ୍ୟବସାୟୀଙ୍କ ମଧ୍ୟରେ ବିଶ୍ୱାସର ଏକ ଗୁତ୍ୱପୂର୍ଣ୍ଣ ଆଧାର ଥିଲା।
ବିଭିନ୍ନ ଧର୍ମର ବ୍ୟବସାୟୀଙ୍କ ମଧ୍ୟରେ ଭିନ୍ନତା ରହିଥିଲେ ମଧ୍ୟ ଏହି ପ୍ରକାର କଟକଣାଜନିତ କଷ୍ଟକର ସ୍ଥିତି ଦୂରଦୂରାନ୍ତର ଉପକୂଳରେ ଥିବା ବ୍ୟବସାୟୀଙ୍କୁ ଏକାଠି କରିରଖିଥିଲା। ନିଜେ ଯାତ୍ରା କରିବାର ସମ୍ଭାବନା ନ ଥିଲେ ବି ପ୍ରତ୍ୟେକ ବ୍ୟବସାୟୀ ଅନ୍ୟଦେଶର ସମୁଦ୍ର କୂଳରେ ଥିବା ଜଣେ ବ୍ୟକ୍ତିଙ୍କ ହାତରେ ନିଜର ସାମଗ୍ରୀ କିମ୍ବା ପୁଞ୍ଜି ଟେକି ଦେଉଥିଲେ। ଯିଏ ଧନ କିମ୍ବା ସାମଗ୍ରୀ ଗ୍ରହଣ କରୁଛନ୍ତି ସେ ?
ଦୂରଦେଶଗୁଡ଼ିକରେ କୌଣସି ରାଷ୍ଟ୍ରୀୟ ଚୁକ୍ତିନାମା କାମ କରୁ ନ ଥିଲା। କିନ୍ତୁ ଖାଦ୍ୟର ଏକ ନିର୍ଦ୍ଦିିଷ୍ଟ ଶୈଳୀ ସବୁଆଡ଼େ ପହଞ୍ଚତ୍ୟାଇପାରୁଥିଲା ଏବଂ ଖାଦ୍ୟ ସମ୍ବନ୍ଧୀୟ ନିୟମ ଏକ ସାଙ୍କେତିକ ବ୍ୟବସ୍ଥା ଭାବରେ କାମ କରୁଥିଲା। ଏଥିରେ ଠକାମି କିମ୍ବା ବାହାନା ଅତ୍ୟନ୍ତ କଷ୍ଟକର ଥିଲା। କାରଣ ଏହାର ବିଶେଷତା ହେଉଛି, ଅନେକେ ନିଜକୁ ସଚ୍ଚୋଟ ବୋଲି ଦାବି କରିପାରନ୍ତି, କିନ୍ତୁ କିଛି ଲୋକ ଜୀବନସାରା ଖାଦ୍ୟ ସମ୍ବନ୍ଧୀୟ କଠୋର ନିୟମ, ଉପବାସର ସମୟସୂଚୀ ଓ ଖାଦ୍ୟ ପ୍ରସ୍ତୁତିର ନିର୍ଦ୍ଦିଷ୍ଟ ରୀତିନୀତି ପାଳନର ଛଳନା କରିବା କଷ୍ଟକର ଥିଲା।
ଦ୍ୱାଦଶ ଶତାବ୍ଦୀରେ ଯେତେବେଳେ ଜଣେ ଇହୁଦୀ ବ୍ୟବସାୟୀ ଇଜିପ୍ଟର କାଏରୋ କିମ୍ବା ଫୁସ୍ତାତଠାରେ ଅନ୍ୟ ଇହୁଦୀଙ୍କ ସହ ଖାଇବାକୁ ବସୁଥିଲା ବେଳେ ସେ କେବଳ ନିଜ ବ୍ୟକ୍ତିଗତ ପରିସର ମଧ୍ୟରେ ଧର୍ମ ଆଚରଣ କରୁ ନ ଥିଲେ; ବରଂ ସେ ନିଜକୁ ଅଧିକ ପରିଚିତ କରୁଥିଲେ। ଯିଏ ବି ତାଙ୍କୁ ଦେଖୁଥିଲା, ସେ ସହଜରେ ବୁଝିପାରୁଥିଲା ଯେ ଏହି ବ୍ୟକ୍ତି ଜଣକ ଏକ ନିର୍ଦ୍ଦିିଷ୍ଟ ସମୁଦାୟର ସଦସ୍ୟ ଏବଂ ଅନ୍ୟ ସ୍ଥାନରେ ଥିବା ସେହି ସମୁଦାୟର ନେଟୱର୍କ ତାଙ୍କ ବିଷୟରେ ବି ଜାଣୁଥିଲା। ସେ ସେହି ସମୁଦାୟର ବ୍ୟାପାରିକ ନିୟମ ଉଲ୍ଲଂଘନ କଲେ ସମାଜରେ ତାଙ୍କର ପ୍ରତିଷ୍ଠା ଖରାପ ହେଉଥିଲା। ଏପରି କି ତାଙ୍କ ବୈବାହିକ ଜୀବନ ଏବଂ ପିଲାଙ୍କ ଭବିଷ୍ୟତ ନକାରାତ୍ମକ ଭାବେ ପ୍ରଭାବିତ ହେବାର ସମ୍ଭାବନା ରହୁଥିଲା। ଇହୁଦୀଙ୍କ ପୁରାତନ ପାଣ୍ଡୁଲିପିର ଏକ ଅଂଶ କାଏରୋ ଜେନିଜା ସମ୍ପର୍କରେ ଅଧ୍ୟୟନ କରି ଐତିହାସିକମାନେ ଦର୍ଶାଇଛନ୍ତି ଯେ, ଇହୁଦୀ ମାଘ୍ରିବୀ ବ୍ୟବସାୟୀମାନେ ସମଗ୍ର ଭୂମଧ୍ୟସାଗରୀୟ ଅଞ୍ଚଳରେ ଏକ ଅତ୍ୟନ୍ତ ଭଲ ବ୍ୟବସ୍ଥା ବିକଶିତ କରିଥିଲେ। ପ୍ରମାଣ ରହିଛି ଯେ, ଆଲେକ୍‌ଜାଣ୍ଡ୍ରିଆର ଜଣେ ଠକ ବ୍ୟବସାୟୀଙ୍କ ଖବର ଗୋଟିଏ ସପ୍ତାହ ମଧ୍ୟରେ ଟ୍ୟୁନିସରେ ପହଞ୍ଚତ୍ ଯାଉଥିଲା ଏବଂ ସେହି ବ୍ୟକ୍ତିଙ୍କୁ ସମଗ୍ର ବାଣିଜି୍ୟକ ନେଟଓ୍ବର୍କରୁ ସମ୍ପୂର୍ଣ୍ଣ ରୂପେ ବାସନ୍ଦ କରାଯାଉଥିଲା।
ଏହିଭଳି ସମାନ ନିୟମ ଆରବଠାରୁ ଆରମ୍ଭ କରି ମାଲାବାର ଏବଂ ପୂର୍ବ ଆଫ୍ରିକା ପର୍ଯ୍ୟନ୍ତ ବ୍ୟାପିଥିବା ମୁସଲମାନ ବ୍ୟବସାୟିକ ନେଟୱର୍କ କ୍ଷେତ୍ରରେ ଲାଗୁ ହେଉଥିଲା। ଇସ୍‌ଲାମୀୟ ବାଣିଜି୍ୟକ ଆଇନ ବ୍ୟବସାୟୀଙ୍କୁ ଚୁକ୍ତିନାମା ଏବଂ ଭାଗୀଦାରି ଆଇନର ଏକ ସାଧାରଣ ନିୟମାବଳୀ ପ୍ରଦାନ କରିଥିଲା, ଯାହା ମସ୍‌ଜିଦ ଥିବା ଯେକୌଣସି ବନ୍ଦରରେ କାର୍ଯ୍ୟକାରୀ ହେଉଥିଲା। ମସ୍‌ଜିଦ ସହିତ ନମାଜ ସମୟ ଏବଂ ହଲାଲ ଅଭ୍ୟାସ ବାଣିଜ୍ୟ ଭିତ୍ତିଭୂମିର ଏକ ଅଂଶ ଥିଲା। ଜଣେ ବ୍ୟବସାୟୀ ଅନ୍ୟ ଏକ ବନ୍ଦରକୁ ଯାଇ ସେଠାକାର ମସ୍‌ଜିଦରେ ପ୍ରବେଶ କରିପାରୁଥିଲେ ଏବଂ ସହଜରେ ଜାଣିପାରୁଥିଲେ ଯେ କେଉଁମାନେ ଉପବାସ (ରୋଜା) ରଖୁଛନ୍ତି ଏବଂ ଧର୍ମୀୟ ନିୟମ ଠିକ୍‌ ଭାବେ ପାଳନ କରୁଛନ୍ତି। ଫଳରେ ସେ ସମାନ ଧର୍ମୀୟ ଆଇନ ଦ୍ୱାରା ବନ୍ଧା ହୋଇଥିବା ଲୋକଙ୍କୁ ଖୋଜି ପାଇ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରୁଥିଲେ। ଏହି ପ୍ରକ୍ରିୟା ହାଧ୍ରାମୀ ଏବଂ ଗୁଜରାଟୀ ମୁସଲମାନ ବ୍ୟବସାୟୀ ପରିବାରଗୁଡ଼ିକୁ ବାଣିଜି୍ୟକ ସାମ୍ରାଜ୍ୟ ଗଢ଼ିବାରେ ସାହାଯ୍ୟ କରିଥିଲା, ଯାହା ଦୀର୍ଘ ସମୟ ଧରି ତିଷ୍ଠି ରହିଥିଲା।
ଭାରତର ଜୈନ ଏବଂ ମାରୱାଡ଼ି ବ୍ୟବସାୟୀମାନେ ବୋଧହୁଏ ଏହି ବ୍ୟବସ୍ଥାର ସବୁଠାରୁ ଶକ୍ତିଶାଳୀ ଢାଞ୍ଚା ଗଢ଼ିିଥିଲେ। ସେମାନଙ୍କର କଠୋର ନିରାମିଷାଶୀ ଜୀବନଶୈଳୀ ଏବଂ ମୂଳଜାତୀୟ ପରିବା ବର୍ଜନ କରିବା ସହତ ନିର୍ଦ୍ଦିଷ୍ଟ ସମୟରେ ଉପବାସ କରିବାର ନିୟମ ରହିଥିଲା। ଏହି ବ୍ୟବସାୟୀ ସମୁଦାୟ ମୁଖ୍ୟତଃ ନିଜ ସମୁଦାୟ ମଧ୍ୟରେ ବିବାହ କରୁଥିବାରୁ ଖାଦ୍ୟ ଓ ବିବାହ ଉଭୟ କ୍ଷେତ୍ରର ଶୃଙ୍ଖଳା ପରସ୍ପରକୁ ଆହୁରି ମଜଭୁତ କରିଥିଲା। ରାଜସ୍ଥାନର ଜଣେ ଜୈନ ବ୍ୟବସାୟୀଙ୍କୁ ଯଦି କୌଣସି ଦୂରସ୍ଥ ବ୍ୟବସାୟ କେନ୍ଦ୍ରକୁ ପଠାଯାଉଥିଲା, ତେବେ ତାଙ୍କର ଖାଦ୍ୟାଭ୍ୟାସ ଓ ଜୀବନଶୈଳୀକୁ ଅନ୍ୟ ଜୈନ ବ୍ୟବସାୟୀମାନେ ସହଜରେ ଜାଣିପାରୁଥିଲେ, ଯାହକୁ ଜଣେ ଅପରିଚିତ ବ୍ୟକ୍ତି କରିବା ଅସମ୍ଭବ ଥିଲା।
ଆଧ୍ୟାତ୍ମିକ ରୀତିନୀତି କିପରି ଅର୍ଥନୈତିକ ଭିତ୍ତିଭୂମିକୁ ରୂପାନ୍ତରଣ ହୋଇଥିଲା ତାହା ଏହି ତିନୋଟିଯାକ ଘଟଣା ଦର୍ଶାଏ। ଦୈନନ୍ଦିନ ଜୀବନରେ ସ୍ପଷ୍ଟ ପରିଲକ୍ଷିତ ହୋଇଥିବା ଖାଦ୍ୟ ସମ୍ବନ୍ଧୀୟ ନିୟମଗୁଡ଼ିକରେ ବାହାନା କରିବା କଷ୍ଟକର, ଯାହା କେବଳ ଗୋଟିଏ ଅଦାଲତ ବା ଶାସକ ନୁହେଁ, ବରଂ ସମଗ୍ର ସମୁଦାୟ ଦ୍ୱାରା ସେଗୁଡ଼ିକ ଲାଗୁ କରାଯାଇଥାଏ। ଏହା ଲୋକମାନଙ୍କୁ ଏପରି ବ୍ୟକ୍ତିମାନଙ୍କୁ ଚିହ୍ନଟ ଓ ସଂଗଠିତ କରିବାର ସୁଯୋଗ ଦେଇଥିଲା, ଯେଉଁମାନଙ୍କୁ ସେମାନେ ଋଣ କିମ୍ବା ଧାର ଦେଇପାରୁଥିଲେ। ଯଦି ଏହି ନେଟୱର୍କର କୌଣସି ସଦସ୍ୟ ବିଶ୍ୱାସଘାତ କରୁଥିଲେ, ତେବେ ସେ କେଉଁ ସ୍ଥାନରେ ଏହି ଅପରାଧ କରିଥିଲେ ତାହା ଗୁରୁତ୍ୱପୂର୍ଣ୍ଣ ନ ଥିଲା, ବରଂ ତାଙ୍କୁ ସମଗ୍ର ନେଟୱର୍କରୁ ବାହାର କରି ଦଣ୍ଡିତ କରାଯାଇପାରୁଥିଲା। ଏଠାରେ ମନେରଖିବା ଗୁରୁତ୍ୱପୂର୍ଣ୍ଣ ଯେ, ଏହି ସବୁ ପ୍ରଥା ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରକ୍ରିୟା ହିସାବରେ ପ୍ରସ୍ତୁତ କରାଯାଇ ନ ଥିଲା। ଏ ସବୁ ଏକ ଯୁକ୍ତିସଙ୍ଗତ ଢାଞ୍ଚା ଏବଂ ନୈତିକ ଉତ୍ସ ଥିଲା। ଜୈନଧର୍ମରେ ଦୟା ବା କରୁଣା, ଇିହୁଦୀ ଧର୍ମରେ ଈଶ୍ୱରଙ୍କ ସହ ଚୁକ୍ତି (ସଂକଳ୍ପ) ଏବଂ ଇସ୍‌ଲାମ ଧର୍ମରେ ଐଶ୍ୱରୀୟ ନିୟମ ପ୍ରତି ଆତ୍ମସମର୍ପଣ ରହିଛି। ବାଣିଜ୍ୟ ଏହି ବ୍ୟବସ୍ଥାଗୁଡ଼ିକରେ କେବଳ ଏତିକି ଯୋଡ଼ିଥିଲା ଯେ, ଏହି ଦୃଶ୍ୟମାନ ଓ କଠୋର ନିୟମଗୁଡ଼ିକ ଏକ ପରିଚୟପତ୍ର ଏବଂ ଋଣ ଯୋଗ୍ୟତାର ପ୍ରମାଣ ଭାବରେ କାମ କରିପାରିବ। ବାଣିଜ୍ୟ ଏହି ବ୍ୟବସ୍ଥାଗୁଡ଼ିକର ଭିତ୍ତିଭୂମି ଗଠନ କରିବା ସହ ସେସବୁରୁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଥିଲା।
-devduttofficial@gmail.com

Dharitri – Odisha’s No.1 Odia Daily

Share