Categories: ବାଣିଜ୍ୟ

ଡିଜେଲ ଲିଟର ପିଛା ୧୩ ପଇସା ବୃଦ୍ଧି

ନୂଆଦିଲ୍ଲୀ,୧୬।୭: କରୋନା ସମୟରେ ତେଲ ଦର ବୃଦ୍ଧି ଗ୍ରାହକଙ୍କୁ ଅତିଷ୍ଠ କରିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକର ସୂଚନା ଅନୁସାରେ ବୁଧବାର ଡିଜେଲ ଲିଟର ପିଛା ୧୩ ପଇସା ବୃଦ୍ଧି ଘଟିଛି। ଫଳରେ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୭୯.୨୮ ଟଙ୍କାରେ ପହଞ୍ଚତ୍ଛି। ପେଟ୍ରୋଲ ଲିଟର ପିଛା ଗ୍ରାହକଙ୍କୁ ୮୧.୦୧ ଟଙ୍କା ଦେବାକୁ ପଡୁଛି। ଏହି ସମୟରେ ପେଟ୍ରୋଲ ପୂର୍ବ ପରି ସ୍ଥିର ରହିଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦.୪୩ ଟଙ୍କା ଓ ଡିଜେଲ ଲିଟର ପିଛା ୮୧.୧୮ ଟଙ୍କା ଛୁଇଁଛି। କୋଲକାତାରେ ପେଟ୍ରୋଲ ୮୨.୧୦ ଟଙ୍କା ଓ ଡିଜେଲ ୭୬.୩୩ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ୮୭.୧୯ ଟଙ୍କା ଓ ଡିଜେଲ ୭୯.୪୦ ଟଙ୍କା ଏବଂ ଚେନ୍ନାଇରେ ପେଟ୍ରୋଲ ୮୩.୬୩ ଟଙ୍କା ଓ ଡିଜେଲ ୭୮.୨୨ ଟଙ୍କା ରହିଛି। ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ଉଚ୍ଚହାରର ଟିକସ ଯୋଗୁ ତେଲ ଦର ବୃଦ୍ଧି ହେଉଥିବା ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ହେବ ପେଟ୍ରୋଲ ଦର ସ୍ଥିର ରହିଛି। ଅପରପକ୍ଷରେ ଡିଜେଲ ଦରରେ କ୍ରମାଗତ ଭାବରେ ବୃଦ୍ଧି ପାଇ ରେର୍କଡସ୍ତର ଛୁଇଁଛି। ବିଗତ ଦିନରେ ପେଟ୍ରୋଲ ଦର ଡିଜେଲଠାରୁ ଅଧିକ ରହୁଥିଲା। ବିଶେଷ କରି ଡିଜେଲ ବାଣିଜି୍ୟକ ବା ମାଲ ପରିବହନ କ୍ଷେତ୍ରରେ ବ୍ୟବହାର ହେଉଥିବାରୁ ଡିଜେଲ ଦର ଅପେକ୍ଷାକୃତ କମ୍‌ ରହିଥାଏ। ମାତ୍ର ଗତ କିଛିଦିନ ମଧ୍ୟରେ ଡିଜେଲ ଦରରେ ମାତ୍ରାଧିକ ବୃଦ୍ଧିକୁ ନେଇ ବାଣିଜି୍ୟକ ସଂସ୍ଥା ଓ ଯାନ ମାଲିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Share