ଆଇପିଏଲ୍‌ ପୂର୍ବରୁ ଚେନ୍ନାଇରେ ଅଭ୍ୟାସ କରିବେ ଧୋନୀ, ରାଇନା

ଚେନ୍ନାଇ, ୯।୮: ବିଶ୍ୱର ସବୁଠାରୁ ବ୍ୟୟ ବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। କରୋନା ମହାମାରୀ ଲାଗି ଚଳିତ ବର୍ଷ ଆଇପିଏଲ୍‌କୁ ଭାରତ ବଦଳରେ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିଲା। ସରକାର ମଧ୍ୟ ଆଇପିଏଲ୍‌ ଆୟୋଜନ ନେଇ ସବୁଜ ସଙ୍କେତ ପ୍ରଦାନ କରିସାରିଛନ୍ତି। ତେବେ ଆଇପିଏଲ୍‌ ଆରମ୍ଭ ହେବାକୁ ଆଉ କମ୍‌ ସମୟ ରହିଥିବାବେଳେ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଦଳ ଏହାର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ୟୁଏଇ ଗସ୍ତ କରିବା ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ସୁପର୍‌କିଙ୍ଗ୍ସ ଦଳ ଘରୋଇ ଗ୍ରାଉଣ୍ଡ ଏମ. ଚିଦାମ୍ବରମ ଷ୍ଟାଡିୟମରେ ଅଭ୍ୟାସ କରିବ। ଏଥିଲାଗି ତାମିଲନାଡ଼ୁ ସରକାର ସିଏସ୍‌କେ ଦଳକୁ ଅନୁମତି ପ୍ରଦାନ କରିଛନ୍ତି। ଚେନ୍ନାଇ ଦଳ ଆସନ୍ତା ୧୫ରୁ ସ୍ଥାନୀୟ ଏମ୍‌. ଚିଦାମ୍ବରମ ଷ୍ଟାଡିୟମରେ କ୍ୟାମ୍ପ୍‌ ଆରମ୍ଭ କରିବ। ଏହି କ୍ୟାମ୍ପରେ ଅଧିନାୟକ ଧୋନୀଙ୍କ ସମେତ ସୁରେଶ ରାଇନା, ହରଭଜନ ସିଂ, ଅମ୍ବାତି ରାୟୁଡୁଙ୍କ ପରି ବରିଷ୍ଠ ଖେଳାଳି ଯୋଗ ଦେବେ ବୋଲି ଜଣାପଡ଼ିଛି। କ୍ୟାମ୍ପ୍‌ ଅବସରରେ ଖେଳାଳିମାନଙ୍କୁ ହୋଟେଲ ଓ ପଡ଼ିଆ ବାହାରକୁ ଯିବା ଲାଗି ଅନୁମତି ଦିଆଯିବ ନାହିଁ। କ୍ୟାମ୍ପ୍‌ ପରେ ଚେନ୍ନାଇ ଦଳ ଅଗଷ୍ଟ ୨୧ରେ ୟୁଏଇ ଅଭିମୁଖେ ଗସ୍ତ କରିବ। ୟୁଏଇ ଗସ୍ତ ପୂର୍ବରୁ ଖେଳାଳିଙ୍କ ୨ଥର କରୋନା ଟେଷ୍ଟ ହେବ। ଯାହାର ରିପୋର୍ଟ ନେଗେଟିଭ ଆସିବ ସେହି ଖେଳାଳି ହିଁ ଆଇପିଏଲ୍‌ ଖେଳିବା ଲାଗି ୟୁଏଇ ଗସ୍ତ କରିବ। ଏଠାରେ ପ୍ରକାଶଯୋଗ୍ୟ, ଚେନ୍ନାଇ ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ ଦଳ ମଧ୍ୟ ମୁମ୍ବାଇରେ ଖେଳାଳିଙ୍କ କ୍ୟାମ୍ପ୍‌ ଆୟୋଜନ କରିବାରେ ସଫଳ ହୋଇଛି।

Share