ଆଇପିଏଲ୍‌ରେ ୨୦୦ ମ୍ୟାଚ୍‌ ଖେଳିବାରେ ପ୍ରଥମ ଖେଳାଳି ହେଲେ ଧୋନୀ

ଆବୁଧାବି, ୧୯।୧୦: ଆଇପିଏଲ୍‌ର ଚଳିତ ସଂସ୍କରଣର ୩୭ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ ରାଜସ୍ଥାନ ରୟାଲ୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ବେଶ୍‌ ସ୍ମରଣୀୟ ହୋଇଛି। ବାସ୍ତବରେ ଆଇପିଏଲ୍‌ରେ ଧୋନୀଙ୍କ ଏହା ୨୦୦ତମ ମ୍ୟାଚ୍‌। ଏହି ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିବାରେ ଧୋନୀ ପ୍ରଥମ ଖେଳାଳି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏଥିପୂର୍ବରୁ କୌଣସି ଖେଳାଳି ମଧ୍ୟ ଆଇପିଏଲ୍‌ ଇତିହାସରେ ୨୦୦ ମ୍ୟାଚ୍‌ ଖେଳିନାହାନ୍ତି।

ଏହି ମ୍ୟାଚ୍‌ ପୂର୍ବରୁ ଧୋନୀ ଆଇପିଏଲ୍‌ରେ ୧୯୯ ମ୍ୟାଚ୍‌ ଖେଳି ୪୧.୫୨ ଆଭରେଜରେ ୪,୫୬୮ ରନ୍‌ ସଂଗ୍ରହ କରିଛନ୍ତି। ୨୦୦୮ରୁ ଧୋନୀ ଆଇପିଏଲ୍‌ ଖେଳିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ସେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ପୁଣେ ସୁପର୍‌ ଜିଆଣ୍ଟ୍ସ ଦଳର ନେତୃତ୍ୱ ନେବାର ସୁଯୋଗ ଲାଭ କରିଛନ୍ତି। ଅପରାଜିତ ୮୪ ରନ ଆଇପିଏଲ୍‌ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଲିଗ୍‌ରେ ସେ ଏ ପର୍ଯ୍ୟନ୍ତ ୧୧୦ କ୍ୟାଚ୍‌ ଧରିବା ସହିତ ୩୯ ଷ୍ଟମ୍ପିଂ କରିସାରିଛନ୍ତି। ଧୋନୀଙ୍କ ପଛକୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍‌ ଶର୍ମା (୧୯୭) ଆଇପିଏଲ୍‌ରେ ସର୍ବାଧିକ ମ୍ୟାଚ୍‌ ଖେଳିଛନ୍ତି। ସୁରେଶ ରାଇନା (୧୯୩) ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି।

Share