ଢେଙ୍କାନାଳ: ୩ ବ୍ଲକରେ ପ୍ରତିଦ୍ୱନ୍ଦ୍ୱିତା

ଢେଙ୍କାନାଳ ଅଫିସ,୨୪।୩: ଢେଙ୍କାନାଳ ଜିଲାରେ ବୁଧବାର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଜିଲାର ୮ ବ୍ଲକ ମଧ୍ୟରୁ ୫ଟିରେ ଉପାଧ୍ୟକ୍ଷ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ୩ଟି ବ୍ଲକରେ ଭୋଟ ଗ୍ରହଣ କରାଯାଇଥିଲା।
ଜିଲାର ସଦର, ଗଁଦିଆ, ଓଡାପଡା, କାମାକ୍ଷାନଗର ଓ ଭୁବନ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ଜଣେ ଲେଖାଏ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାରୁ ସେଠାରେ ଭୋଟଗ୍ରହଣର ଆବଶ୍ୟକତା ପଡ଼ି ନ ଥିଲା। ସଦର ବ୍ଲକରେ ଚାଉଳିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ କାଳନ୍ଦୀ ବାରିକ ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି ଗଁଦିଆ ବ୍ଲକରେ ନେଉଳପୋଇ ପଞ୍ଚାୟତ ସମିତି ସଭ୍ୟା ମମତା ସାମଲ, ଓଡାପଡା ବ୍ଲକରେ ବଳରାମ ପ୍ରସାଦ ପଞ୍ଚାୟତ ସମିତି ସଭ୍ୟ ଅମିତାବ ସ୍ବାଇଁ, କାମାକ୍ଷାନଗର ବ୍ଲକରେ କୁସୁମଯୋଡି ପଞ୍ଚାୟତ ସମିତି ସଭ୍ୟା ରଞ୍ଜିତା ବିଶ୍ବାଳ, ଭୁବନ ବ୍ଲକରେ ଏକତାଳି ପଞ୍ଚାୟତର ସମିତି ସଭ୍ୟା ସରୋଜିନୀ ଦ୍ୱିବେଦୀ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ହିନ୍ଦୋଳ, କଙ୍କଡ଼ାହାଡ଼ ଓ ପରଜଙ୍ଗ ବ୍ଲକରେ ଉପାଧ୍ୟକ୍ଷ ପଦବୀ ପାଇଁ ଭୋଟ ଗ୍ରହଣ ହୋଇଥିଲା। ହିନ୍ଦୋଳ ବ୍ଲକରେ ପୂର୍ବତନ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ ଏବଂ କଳିଙ୍ଗା ପଞ୍ଚାୟତ ସମିତି ସଭ୍ୟ ତଥା ବ୍ଲକ ବିଜେଡି ସଭାପତି ବରୁଣ ସରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ମାହୁନ୍ତଙ୍କୁ ୧୭ଟି ଭୋଟ ମିଳିଥିବାବେଳେ ବରୁଣ ୧୮ ଖଣ୍ଡ ଭୋଟ ପାଇ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। କଙ୍କଡ଼ାହାଡ଼ ବ୍ଲକ ଉପାଧ୍ୟକ୍ଷା ପଦବୀ ନିମନ୍ତେ ଭୋଟ ନିଆଯାଇଥିଲା। କଙ୍କଡାହାଡ଼ ସମିତି ସଭ୍ୟା ଦୀପା ସାହୁ ଓ କୁଟୁରିଆ ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଦୀପାଙ୍କ ସପକ୍ଷରେ ୧୩ଟି ଭୋଟ ପଡ଼ିଥିବାବେଳେ ଲକ୍ଷ୍ମୀପ୍ରିୟାଙ୍କ ସପକ୍ଷରେ ୮ଟି ଭୋଟ ପଡ଼ିଥିଲା। ଫଳରେ ଦୀପା ସାହୁ ଉପାଧ୍ୟକ୍ଷା ନିର୍ବାଚିତ ହୋଇଥିଲେ। ପରଜଙ୍ଗ ବ୍ଲକ ଉପାଧ୍ୟକ୍ଷା ପଦବୀ ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରେଣ୍ଠାପାଟ ପଞ୍ଚାୟତ ସମିତି ସଭ୍ୟା ଯଶଶ୍ୱିନୀ ରାଉତ ଓ ମୁକ୍ତାପଶି ପଞ୍ଚାୟତ ସମିତି ସଭ୍ୟ ବାବୁଲା ବିଶ୍ବାଳ ନାମାଙ୍କନପତ୍ର ଦାଖଲ କରିଥିଲେ। ଯଶଶ୍ୱିନୀଙ୍କୁ ୧୭ଖଣ୍ଡ ଭୋଟ ମିଳିଥିବା ବେଳେ ବାବୁଲାଙ୍କୁ ୧୧ ଖଣ୍ଡ ଭୋଟ ମିଳିଥିଲା। ଫଳରେ ଯଶଶ୍ୱିନୀ ରାଉତ ଉପାଧ୍ୟକ୍ଷା ନିର୍ବାଚିତ ହୋଇଥିଲେ।