ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକର ଅତି ଦୁର୍ଗମ କେନ୍ଦୁଗୁଡ଼ା ଏବଂ କନ୍ଦାଗୁଡ଼ା ଗ୍ରାମରେ। ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଯେଉଁ ଗ୍ରାମକୁ କୌଣସି ସରକାରୀ ବାବୁ କିମ୍ବା ସାମ୍ବାଦିକ ପହଞ୍ଚିବାକୁ ସାହସ କରିନଥିଲେ, ସେଠାରେ ‘ଧରିତ୍ରୀ’ର ନିରନ୍ତର ଖବର ପ୍ରସାରଣ ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ପ୍ରଥମ କରି ‘ଧରିତ୍ରୀ’ ପ୍ରତିନିଧି ଏହି ଅପହଞ୍ଚ ଇଲାକାରେ ପହଞ୍ଚି ଲୋକଙ୍କ ଦୁର୍ଦ୍ଦଶାକୁ ଲୋକଲୋଚନକୁ ଆଣିବା ପରେ, ଶେଷରେ ପାହାଡ଼ ଚଢ଼ି ଗ୍ରାମରେ ପହଞ୍ଚିଛି ବ୍ଲକ ଓ ଜିଲା ପ୍ରଶାସନ।
ସିନ୍ଧିପଦର ପଞ୍ଚାୟତର ଏହି ଦୁଇଟି ଗ୍ରାମକୁ ‘ବାଘଝୋଲା’ ପାହାଡ଼ ଚାରିପଟୁ ଘେରି ରଖିଛି। ଏଠାରେ ପ୍ରାୟ ୫୦ଟି ପରିବାରର ୨୫୦ରୁ ଅଧିକ ଲୋକ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ରାସ୍ତା ସାତସପନ ପାଲଟିଥିଲା। ରାସ୍ତା ଅଭାବରୁ ଗ୍ରାମବାସୀମାନେ ଆବାସ ଯୋଜନାରେ ଘର ଖଣ୍ଡିଏ କରିବା ପାଇଁ ସାମଗ୍ରୀ ନେଇପାରୁନଥିବା ବେଳେ କୋମଳମତୀ ଶିଶୁମାନେ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ମୁହଁ ଦେଖିନଥିଲେ। ପଞ୍ଚାୟତ ମୁଖ୍ୟାଳୟକୁ ଯିବା ପାଇଁ କୌଣସି ସବୁଦିନିଆ ରାସ୍ତା ନଥିବାରୁ ସରକାରୀ ଯୋଜନା ବାଟବଣା ହେଉଥିଲା।
‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ (CDO) ସୌମ୍ୟ ରଞ୍ଜନ ପ୍ରଧାନ ଏବଂ ବ୍ଲକ ପ୍ରଶାସନର ଏକ ଉଚ୍ଚସ୍ତରୀୟ ଟିମ୍ ଗ୍ରାମ ପରିଦର୍ଶନ କରିଛନ୍ତି। APD RH ଅମୂଲ୍ୟ ବାଉଲ୍, AEE ସାଲଖୁ ହେମ୍ବ୍ରମ, JE ପ୍ରତାପ ସାହୁ, BPC ରାଜେନ୍ଦ୍ର ନାରାୟଣ ଦେବ, PEO ବସିଷ୍ଟ ସବର ଓ ଗୋରା ସିଂ ମାଝୀ ଏବଂ GRS ବୈକୁଣ୍ଠ ଦିଶାରି ପ୍ରମୁଖ ଦୁର୍ଗମ ବଣ ପାହାଡ଼ ରାସ୍ତା ଦେଇ ଗ୍ରାମରେ ପହଞ୍ଚିଥିଲେ। ଅଧିକାରୀମାନେ ଗୋଟି ଗୋଟି କରି ଗ୍ରାମବାସୀଙ୍କ ସହ ତାଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଯେଉଁମାନେ ଭତ୍ତା ପାଉନାହାନ୍ତି ସେମାନଙ୍କ ଦସ୍ତାବେଜ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ସମସ୍ତ ପରିବାରକୁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି।
ପ୍ରଶାସନିକ ଆଲୋଚନା ଅନୁଯାୟୀ, ଗ୍ରାମକୁ ରାସ୍ତା ପ୍ରଥମେ ହେଲେ ହିଁ ଅନ୍ୟ ସମସ୍ତ ସୁବିଧା ପହଞ୍ଚି ପାରିବ। ଏହି କ୍ରମରେ ମନରେଗା ଯୋଜନାରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ଅଧା କିଲୋମିଟର ଖଣ୍ଡେ କାମ ଆଗେଇ ଗଲାଣି। ଧୀରେ ଧୀରେ ଏହି ରାସ୍ତା ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସ୍ୱାଧୀନତା ପରେ ପ୍ରଥମ କରି ଜିଲା ଓ ବ୍ଲକ ପ୍ରଶାସନର ବଡ଼ ବଡ଼ ବାବୁଙ୍କୁ ନିଜ ଗାଁରେ ଦେଖି ଗ୍ରାମବାସୀଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଛି। ପୂର୍ବରୁ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଏବଂ ସରପଞ୍ଚ ଗୀତାଞ୍ଜଳି ମାଝୀ ମଧ୍ୟ ଏହି ସମସ୍ୟା ଉପରେ ଦୃଷ୍ଟି ଦେଇଥିବା ବେଳେ ‘ଧରିତ୍ରୀ’ର ନିରନ୍ତର ସଂଗ୍ରାମ ଆଜି ଅପହଞ୍ଚ ଇଲାକାର ଶତାଧିକ ଲୋକଙ୍କ ମୁହଁରେ ହସ ଫୁଟାଇ ପାରିଛି ।

