ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି । ଗତ କିଛି ଦିନ ଧରି ଏଠାରେ ଥିବା ଭାଙ୍ଗିରୁଜି ଯାଇଥିବା Cattle Trap ବା ଲୁହା ଜାଲି ଯୋଗୁଁ ଯାତାୟାତ ପାଇଁ ଏକ ପ୍ରକାର ମରଣଯନ୍ତା ସାଜିଥିଲା। ଏନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରିଛି ।
ସୂଚନାଯୋଗ୍ୟ ଯେ, ଗୋରୁ ଗାଈ ଓ ଅନ୍ୟାନ୍ୟ ପଶୁଙ୍କ ଅବାଧ ପ୍ରବେଶ ରୋକିବା ପାଇଁ ବ୍ଲକ କାର୍ଯ୍ୟାଳୟର ପ୍ରବେଶ ଦ୍ୱାରରେ ଏହି ଲୁହା ଜାଲି ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହି ପାଇପ୍ ଗୁଡ଼ିକ ମଝିରୁ ବାହାରି ଯିବା ସହ ଅନେକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଥିଲା। ଶତାଧିକ ଲୋକ ଓ ଯାନବାହନ ଚଳାଚଳ କରୁଥିବା ବେଳେ ପ୍ରତି ମୁହୂର୍ତ୍ତରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ଥିଲା। ଏହି ସମସ୍ୟା ବାବଦରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ଏବଂ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇଥିଲା।
ସହକାରୀ ଯନ୍ତ୍ରୀ (AEE) ସାଲକୁ ହେମ୍ରମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରବିବାର ଏହି ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପର୍ଣ୍ଣ ହୋଇଛି। ପୁରୁଣା ଓ ନଷ୍ଟ ହୋଇଯାଇଥିବା ଲୁହା ପାଇପ୍ ଗୁଡ଼ିକୁ ବାହାର କରାଯାଇ ସେଠାରେ ନୂତନ ଏବଂ ଉଚ୍ଚମାନର ଆଇରନ୍ ଗ୍ରେଟିଂ ବା ଲୁହା ଜାଲି ଲଗାଯାଇଛି। କାମ ଚାଲୁଥିବା ସମୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟର ମାନ ଯାଞ୍ଚ କରିଥିଲେ। ଦୀର୍ଘ ଦିନରୁ ପଡ଼ି ରହିଥିବା ଏହି ସମସ୍ୟାର ସମାଧାନ ହେବା ଫଳରେ ଏବେ ଯାତାୟାତ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇପାରିଛି । ବ୍ଲକ ପ୍ରଶାସନର ଏହି ଜନହିତକର ଓ ତ୍ୱରିତ ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

