ପଡ଼ୋଶୀରେ ଅସ୍ଥିରତା

ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଅସ୍ଥିରତା ଉଭୟ ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପାଇଁ ଅଧିକ ବିପଜ୍ଜନକ ହୋଇଛି। ନିକଟରେ ନେପାଳର ହିଂସାତ୍ମକ ବିଦ୍ରୋହରେ ଏହା ପ୍ରତିଫଳିତ ହୋଇଛି। ଭାରତର ପୂର୍ବଭାଗରେ ଥିବା ବାଂଲାଦେଶରେ ୨୦୨୪ରେ ମଧ୍ୟ ସମାନ ପ୍ରକାର ଉତ୍ତେଜନା ପ୍ରକାଶ ପାଇବା ଯୋଗୁ ସେଠାକାର ସରକାର କ୍ଷମତାଚ୍ୟୁତ ହୋଇଥିଲେ। ଏହା ସହ ଦକ୍ଷିଣ-ପୂର୍ବରେ, କୋର୍ଟ ନିର୍ଦ୍ଦେଶରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ହଟାଇ ଦିଆଯିବା ଏବଂ ସୀମାରେ କାମ୍ବୋଡ଼ିଆ ସହ ଏହାର ସଂଘର୍ଷ ଭଳି ଘଟଣା ସାମ୍ନାକୁ ଆସିଛି। ଆର୍ମଡ୍‌ କନ୍‌ଫ୍ଲିକ୍ଟ ଲୋକେଶନ ଆଣ୍ଡ୍‌ ଇଭେଣ୍ଟ ଡେଟା ପ୍ରୋଜେକ୍ଟର ତଥ୍ୟ ଅନୁଯାୟୀ, ମ୍ୟାନ୍‌ମାରରେ ଆଙ୍ଗ୍‌ ସାନ୍‌ ସୁକିଙ୍କ ଗଣତାନ୍ତ୍ରିକ ସରକାରର ପତନ ଘଟାଇ ମିଲିଟାରି ଶାସନ ପ୍ରତିଷ୍ଠା ହେବା ପରଠାରୁ ଗୃହଯୁଦ୍ଧରେ ୨୦୨୧ରୁ ଏଯାବତ୍‌ ଅତିକମ୍‌ରେ ୮୦ ହଜାର ଲୋକଙ୍କ ଜୀବନ ଗଲାଣି। ଭାରତର ପଶ୍ଚିମରେ ପାକିସ୍ତାନରେ ଇସ୍‌ଲାମିକ ଉଗ୍ରବାଦୀ ଗୋଷ୍ଠୀ ସକ୍ରିୟ ହେବା ସହ ସେଠାରେ ଅର୍ଥନୀତି ଭୁଶୁଡ଼ି ପଡ଼ିବା ଶାସକୀୟ ପ୍ରଦର୍ଶନରେ ଦୁର୍ବଳତା ଦର୍ଶାଇଛି। ଦକ୍ଷିଣରେ, ଶ୍ରୀଲଙ୍କାରେ ୩ ବର୍ଷ ପୂର୍ବେ ଏହାର ପ୍ରଧାନମନ୍ତ୍ରୀ ବିତାଡ଼ିତ ହେବା ପରେ କିଛିଟା ସ୍ଥିରତା ଆସିଥାଇପାରେ, କିନ୍ତୁ ଏହାର ଅର୍ଥ ବ୍ୟବସ୍ଥାର ପୁନର୍ଗଠନର ସଙ୍କେତ ଦେଖାଯାଇନି। ଏହା ବ୍ୟତୀତ ଭାରତର ଉତ୍ତରରେ, ଆଞ୍ଚଳିକ କ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ପାଇଁ ଚାଇନାର ଆକାଂକ୍ଷା ଅସ୍ଥିରତାର ଆଉ ଏକ ଉତ୍ସ ବୋଲି କୁହାଯାଇପାରେ।
ବାଂଲାଦେଶରୁ ଆସୁଥିବା ଅଧିକ ଶରଣାର୍ଥୀ ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଅଶାନ୍ତ ସ୍ଥିତି ସୃଷ୍ଟି କରୁଛନ୍ତି। ଏହାବ୍ୟତୀତ ପାକିସ୍ତାନ ପ୍ରାୟୋଜିତ ସୀମାପାର ଆତଙ୍କବାଦ ଯୋଗୁ ଚଳିତବର୍ଷ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ଏବେ ନେପାଳର ଅସ୍ଥିର ରାଜନୀତି ଚାଇନାକୁ ପୁନର୍ବାର ହସ୍ତକ୍ଷେପ କରିବାର ସୁଯୋଗ ଦେଇଛି। ଏଭଳି ଅସ୍ଥିରତାକୁ ଭାରତ କିଭଳି ଅନୁଧ୍ୟାନ କରି ହ୍ରାସ କରିବ ଏବଂ କିପରି ଆଞ୍ଚଳିକ ସ୍ଥିରତା ଆଣିବ ତାହାହିଁ ବଡ଼ ପ୍ରଶ୍ନ। ଏବେ ନେପାଳରୁ ଆରମ୍ଭ କରିବା। ଏହା ଏକ ମହତ୍ତ୍ୱାକାଂକ୍ଷୀ ସମ୍ବିଧାନ ଦ୍ୱାରା ତିଷ୍ଠି ରହିବାକୁ ସଂଗ୍ରାମ କରିଆସିଛି, ଯାହା ଦୁଇ ଦଶନ୍ଧି ପୂର୍ବେ ଏକ ଦୀର୍ଘ ମାଓ ବିଦ୍ରୋହକୁ ଶେଷ କରିବାକୁ ଗଢ଼ାଯାଇଥିଲା। ନେପାଳର ସରକାରୀ ସଂସ୍ଥାଗୁଡ଼ିକ ଦୁର୍ବଳ ରହିଛନ୍ତି ଓ ବାଧାର ସମ୍ମୁଖୀନ ହେଉଛନ୍ତି ଏବଂ ବିଚ୍ଛିନ୍ନତାବାଦ, ଦୁର୍ନୀତି ତଥା ଏକ ବିଶ୍ୱାସଯୋଗ୍ୟ ବ୍ୟବସ୍ଥା ଆଣିବାରେ ରାଜନୈତିକ ନେତାମାନଙ୍କ ଅକ୍ଷମତା ଯୋଗୁ ସ୍ଥିରତାର ଆଶା ବାରମ୍ବାର ଧୂଳିସାତ୍‌ ହୋଇଯାଇଛି। ଏହିସବୁ ଗମ୍ଭୀର ତ୍ରୁଟି ଯୋଗୁ ନିକଟରେ ସେଠାରେ ହିଂସା ଉପୁଜିଛି। ନେପାଳ ସହିତ ଆମର ଦୀର୍ଘ ତଥା ଖୋଲା ସୀମା ରହିଛି। ଏଣୁ ସେଠାରୁ ଅତ୍ୟଧିକ ଶରଣାର୍ଥୀ ଆଗମନ ଓ ସୀମାପାର ଅପରାଧର ଆଶଙ୍କା ଅଛି। ତଥାପି ଭାରତ ସହ ଥିବା ଦୃଢ଼ ସାଂସ୍କୃତିକ, ଜାତିଗତ, ଧାର୍ମିକ ଓ ଆର୍ଥିକ ସମ୍ପର୍କ କିଭଳି ନଷ୍ଟ ନ ହେବ, ସେଥିପାଇଁ ନେପାଳ ସରକାର ସବୁବେଳେ ସତର୍କ ରହିବ। ତେବେ ନେପାଳର ଘରୋଇ ରାଜନୀତିରେ ବଢ଼ୁଥିବା ଚାଇନାର ପ୍ରଭାବକୁ ଅଣଦେଖା କରାଯିବା ଉଚିତ ନୁହେଁ, ଯାହା ରଣନୀତିକ ଦୃଷ୍ଟିରୁ ଭାରତ ପାଇଁ ଅତ୍ୟନ୍ତ ଚିନ୍ତାର କାରଣ ହେବ। ବାଂଲାଦେଶରେ, ଶେଖ୍‌ ହାସିନାଙ୍କୁ ବିତାଡ଼ିତ କରାଯିବା ପରଠାରୁ ଏକ ମଧ୍ୟବର୍ତ୍ତିକାଳୀନ ସରକାର ଚାଲିଛି। ହେଲେ ସେଠାରେ ଆଇନଶୃଙ୍ଖଳା ବଜାୟ ରଖିବା କିମ୍ବା ମାନବ ଅଧିକାର ସୁରକ୍ଷା କ୍ଷେତ୍ରରେ ଏହି ସରକାର ବିଫଳ ହୋଇଛି। କିଛି ଦଶନ୍ଧି ପୂର୍ବରୁ ଥିବା ତାହାର ଏକ ସମୃଦ୍ଧ ଅର୍ଥ ବ୍ୟବସ୍ଥା ଏବେ ଘରୋଇ ରାଜନୈତିକ ଅସ୍ଥିରତା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ ମାଡ଼ରେ ଚାପଗ୍ରସ୍ତ ହୋଇପଡ଼ିଛି। ରାଜନୈତିକ ଉତ୍ତେଜନାର ପରିବେଶ ଯୋଗୁ ଦେଶର ସଂଖ୍ୟାଲଘୁମାନେ ଅତ୍ୟଧିକ ଅସୁରକ୍ଷିତ ମଣୁଛନ୍ତି। ତେବେ ସୀମାରେ ପ୍ରବାଶନ ଓ ଆତଙ୍କବାଦ ହେଲେ ଢାକାରେ ବ୍ୟବସ୍ଥିତ ଶାସନ ଦରକାର। କିନ୍ତୁ ଏବକାର ମଧ୍ୟବର୍ତ୍ତିକାଳୀନ ସରକାରଙ୍କ ବିଫଳତାକୁ ଦେଖିଲେ ଭାରତ ପ୍ରତି ଅଧିକ ବିପଦ ରହିଛି ବୋଲି କୁହାଯାଇପାରେ।
ପ୍ରଥମ ଥର ପାଇଁ ଥାଇଲାଣ୍ଡର ବିପର୍ଯ୍ୟୟ ଓ କାମ୍ବୋଡ଼ିଆ ସହ ସୀମା ବିବାଦକୁ ଗୁରୁତ୍ୱ ଦିଆ ନ ଯାଇପାରେ, କିନ୍ତୁ ଭାରତ ତାହାର ଆକ୍ଟ ଇଷ୍ଟ ପଲିସିରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ସଂଗଠନର ୧୦ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ଏକ ଗଭୀର ଆର୍ଥିକ ଓ ରଣନୀତିକ ସମ୍ପର୍କ ଯୋଡ଼ିବା ଆରମ୍ଭ କରିଛି। ସେହି ସଂଗଠନରେ କୌଣସି ଅସ୍ଥିରତା ସୃଷ୍ଟିହେଲେ ଏଭଳି ପଦକ୍ଷେପ ବିଗିଡ଼ିଯିବ। ଦୀର୍ଘଦିନରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆ ମଧ୍ୟରେ ଥାଇଲାଣ୍ଡ ଏକ ସମ୍ପର୍କର ସେତୁ ଭାବେ ରହିଆସିଛି। ଯଦି ଏହାର ବ୍ୟବସ୍ଥା ଦୁର୍ବଳ ହୋଇଯାଏ ଏବଂ କାମ୍ବୋଡ଼ିଆ ସହ ସୀମା ଉତ୍ତେଜନା ବୃଦ୍ଧିପାଏ, ତେବେ ଭାରତର ଏକ ପରସ୍ପର ସମ୍ବନ୍ଧିତ ତଥା ସୁରକ୍ଷିତ ପ୍ରଶାନ୍ତ ମହାସାଗରୀୟ କରିଡର ସମ୍ଭବ ହୋଇପାରିବ ନାହିଁ।
ପାକିସ୍ତାନରେ ଦୀର୍ଘ ସମୟରୁ ସମସ୍ୟା ଲାଗି ରହିଛି। ୨୦୨୨ରେ ମିଲିଟାରି ସମର୍ଥନରେ ଇମ୍ରାନ୍‌ ଖାନ୍‌ଙ୍କ ନିର୍ବାଚିତ ସରକାରକୁ ବିଦା କରାଯିବା ପରେ ଦେଶର ସିଭିଲିଆନ୍‌ ଅଥରିଟିଗୁଡ଼ିକୁ ଲଗାତର ଅଣଦେଖା କରାଯାଇଆସୁଛି। ରକ୍ତାକ୍ତ ରାଜନୀତିରେ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ସକ୍ରିୟ ହୋଇଯାଇଛନ୍ତି ଏବଂ ପାକିସ୍ତାନର ଦୁର୍ବଳ ଅର୍ଥ ବ୍ୟବସ୍ଥା ଏହାର ଗତିଶୀଳତାକୁ ଆହୁରି ବଢ଼ାଇଦେଇଛି। ଭାରତର ଦୃଷ୍ଟିକୋଣକୁ ଦେଖିଲେ ଏହାର ଆଭ୍ୟନ୍ତରୀଣ ସମସ୍ୟାଠାରୁ ପାକିସ୍ତାନର ସମସ୍ୟାଗୁଡ଼ିକ ଅଧିକ ଗୁରୁତ୍ୱ ରଖେ, କାରଣ ସେମାନେ ନିୟମିତ ଭାବେ କଶ୍ମୀରରେ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ(ଏଲ୍‌ଓସି)ରେ ଅଧିକ ବିପଦ ସୃଷ୍ଟି କରିବା ସହ ଆତଙ୍କବାଦକୁ ପ୍ରୋତ୍ସାହିତ କରି ଆଞ୍ଚଳିକ ଶାନ୍ତିର ଆଶାକୁ ଭାଙ୍ଗି ଦେଉଛନ୍ତି। କେବଳ ଏତିକି ନୁହେଁ, ସେମାନେ ଆଣବିକ ବିପର୍ଯ୍ୟୟର ସଙ୍କଟ ସୃଷ୍ଟି କରୁଛନ୍ତି। ପାକିସ୍ତାନ- ଚାଇନାର ସମ୍ପର୍କ ବର୍ତ୍ତମାନର ସ୍ଥିତିକୁ ଆହୁରି ଜଟିଳ କରିଦେଇଛି।
ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ଗଣତନ୍ତ୍ରର ଅଧୋଗତି ହେବା ଲକ୍ଷ୍ୟ କରାଯାଉଛି। ସମ୍ବିଧାନର ପୁନର୍ଲିଖନ ହେଉଛି ଓ ନ୍ୟାୟାଳୟଗୁଡ଼ିକର ରାଜନୀତିକରଣ କରାଯାଉଛି। ଦୁର୍ବଳତାକୁ ଦେଖି ଅନେକ ସେନାଧ୍ୟକ୍ଷ ଖୋଲାଖୋଲି ଭାବେ ଗଣତନ୍ତ୍ରରେ ବାଧା ସୃଷ୍ଟି କରିବା ସହ ରାଜନେତାଙ୍କୁ ଜେଲ୍‌ରେ ରଖୁଛନ୍ତି କିମ୍ବା ନିର୍ବାସିତ କରୁଛନ୍ତି। ଏହି ଧାରାକୁ ପ୍ରତିହତ କରିବା ପାଇଁ ବିଶ୍ୱର ବୃହତ୍‌ ଗଣତାନ୍ତ୍ରିକ ଦେଶ ଭାରତ ପାଇଁ ଏକ ଅଧିକ ଦୃଢ଼ ଆଞ୍ଚଳିକ ରଣନୀତି ଆପଣାଇବାକୁ ପଡ଼ିବ। ଅବଶ୍ୟ ପାକିସ୍ତାନ ବ୍ୟତୀତ ଅଧିକାଂଶ ଦକ୍ଷିଣ ଏସିଆ ଦେଶ ଯେତେବେଳେ ସଙ୍କଟର ସମ୍ମୁଖୀନ ହୁଅନ୍ତି, ସେତେବେଳେ ଭାରତ ପ୍ରଥମେ ପଦକ୍ଷେପ ନେଇଥାଏ। କିନ୍ତୁ ଭାରତର ପଡ଼ୋଶୀମାନେ ଏହାର ସାହାଯ୍ୟ ଦରକାର ନାହିଁ ବୋଲି ଭାବି ସେମାନଙ୍କ ସୁରକ୍ଷା ବିଷୟକୁ ଅଣଦେଖା କରୁଛନ୍ତି। ତେବେ ଭାରତର ପଡ଼ୋଶୀ ଦେଶଗୁଡ଼ିକ ଅଧିକ ବିପଜ୍ଜନକ ସ୍ଥିତିରେ ନ ଥିଲେ ମଧ୍ୟ ବିଶ୍ୱର ଅନେକ ଦେଶ ଏହାକୁ ଅଧିକ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଉଛନ୍ତି। ଏହି ଅଞ୍ଚଳରେ ଟ୍ରମ୍ପ୍‌ଙ୍କ ଏକଚାଟିଆ ନୀତିକୁ ଛୋଟ ଦେଶଗୁଡ଼ିକ ପ୍ରତ୍ୟାଖ୍ୟାନ କରୁଛନ୍ତି। ଜାପାନ ଓ ଦକ୍ଷିଣ କୋରିଆ ଆଣବିକ ଅସ୍ତ୍ରଶସ୍ତ୍ରର ଅଧିକାରୀ ହେବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ଯାହାକୁ ନେଇ ବିତର୍କ ଚାଲିଛି।
ଝଡ଼ ସାମ୍ନାରେ ଭାରତ ମଜଭୁତ ଭାବେ ଠିଆ ହୋଇଥିଲେ ମଧ୍ୟ ଆଞ୍ଚଳିକ ଓ ଟ୍ରମ୍ପ୍‌ଙ୍କ ପ୍ରେରିତ ଅସ୍ଥିରତା ଯୋଗୁ ଦେଶର ଗୁରୁତ୍ୱପୂର୍ଣ୍ଣ ରଣନୀତିକ ସ୍ବାଧୀନତା ବଜାୟ ରଖିବା କଷ୍ଟକର ହୋଇପଡ଼ୁଛି। ଏବେ ଆମେରିକା ସହ ସମ୍ପର୍କ ଦୃଢ଼ କରିବାର ସମୟ ନୁହେଁ, ବରଂ ଆମେରିକାର ନୀତିରେ ହଠାତ୍‌ ହୋଇଥିବା ପରିବର୍ତ୍ତନକୁ ବିରୋଧ କରାଯିବା ସହ ରଣନୀତିକ, ପ୍ରଯୁକ୍ତିଗତ ତଥା ଆର୍ଥିକ କ୍ଷେତ୍ରରେ ଆଞ୍ଚଳିକ ଭାଗୀଦାରି ଜାରି ରଖିବାକୁ ପଡ଼ିବ। ଦକ୍ଷିଣ ଏସିଆରେ ଭାରତ ତାହାର ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହଁୁନାହିଁ। ବରଂ ଏହାର ଲକ୍ଷ୍ୟ ହେଉଛି ଏକ ସମ୍ମିଳିତ, ନିୟମ ଆଧାରିତ ଏବଂ ପରସ୍ପର ସମ୍ବନ୍ଧିତ ଆଞ୍ଚଳିକ କ୍ଷେତ୍ର ଗଢ଼ିବା, ଯଦ୍ଦ୍ବାରା ବାରମ୍ବାର ଦେଖାଯାଉଥିବା ସଙ୍କଟର ଏକ ଇତିହାସରେ ପରିବର୍ତ୍ତନ ଆସିବା ଓ ଭବିଷ୍ୟତରେ ଏକ ସ୍ଥାୟୀ ସ୍ଥିରତା ପ୍ରତିଷ୍ଠା ହୋଇପାରିବ।

ନିରୁପମା ରାଓ

ଭାରତର ପୂର୍ବତନ ବୈଦେଶିକ ସଚିବ


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri