ବିନାଶ ରାସ୍ତାରେ ବିକାଶ

କାଶ ଏବେ ଏକ ବହୁଳ ଉଚ୍ଚାରିତ ଓ ବହୁଳ ଅତ୍ୟାଚାରିତ ଶବ୍ଦ। ସାରା ଭାରତରେ (ଅବଶ୍ୟ ଦକ୍ଷିଣ ଭାରତରେ ଏହାର ପ୍ରତିଶବ୍ଦ ଥିବ) ଏହା ଏତେ ଗୁଞ୍ଜରିତ ଯେ ହୁଏତ ଅନେକେ ଭାବୁଥିବେ ଜୀବନର ମୋକ୍ଷ ପାଇଁ ଉଚ୍ଚାରିତ ମନ୍ତ୍ରର ଏହା ପ୍ରଥମ ଶବ୍ଦ!
ଏମିତି ଦେଖିଲେ ବିକାଶ ଚିନ୍ତା କିଛି ଖରାପ କଥା ନୁହେଁ, କିନ୍ତୁ ତାହା ଧାରଣକ୍ଷମ ହେବା ଉଚିତ। ବିକାଶ ତାହାର ଆନୁଷଙ୍ଗିକ ଶାଖା ପ୍ରଶାଖା ମେଲି ଏତେ ବିଶାଳ ରୂପ ନିଏ ଯେ ଏକ ସମୟରେ ସେ ତା’ ନିଜ ବୋଝରେ ଭାଙ୍ଗିପଡ଼େ। ବିଶ୍ୱର ଅନେକ ପ୍ରମୁଖ ସଭ୍ୟତା ସେତେବେଳର ମାନଦଣ୍ଡରେ ବେଶ୍‌ ବିକଶିତ ରୂପ ନେଇ କିଛିଟା ପ୍ରାକୃତିକ, କିଛିଟା ବିକାଶଗତ କାରଣରୁ ଲୋପପାଇଯାଇଛନ୍ତି। ଓଡ଼ିଶା ବା ତାହାର କେତେକ ସ୍ଥାନ କିଛିବର୍ଷ ପରେ ସେହି ଅବସ୍ଥା ଆଡ଼କୁ ଚାଲିଯିବ। ବାଲେଶ୍ୱର କଥା ଦେଖାଯାଉ। ଏବେ ବାଲେଶ୍ୱର ଲୋକେ ଘର ତିଆରି ପାଇଁ ଚଣ୍ଡିଖୋଲରୁ ପଥର, ଚିପ୍ସ ଓ ଆନନ୍ଦପୁରରୁ ବାଲି ଆଣୁଛନ୍ତି। ବାଲେଶ୍ୱର ଆଖପାଖ ଅଞ୍ଚଳରୁ ଏହି ଦୁଇ ସ୍ଥାନର ଦୂରତ୍ୱ ପାଖାପାଖି ୨୦୦ କି.ମି. ଲେଖାଏ। ଆଗରୁ ବାଲେଶ୍ୱରଠୁ ୧୦ କି.ମି. ଦୂର ଫୁଲାଡ଼ି ପାଖରୁ ବାଲି ଓ ବାଲେଶ୍ୱରଠୁ ୨୦ କି.ମି. ମିତ୍ରପୁର ପାଖରୁ ଲୋକେ ପଥର ଚିପ୍ସ ଆଣୁଥିଲେ। ସେ ସ୍ଥାନରେ ୨୦୦ କି.ମି. ଦୂରରୁ ନିର୍ମାଣ ସାମଗ୍ରୀ ଆଣି ସାଧାରଣ ମଣିଷ କ’ଣ ଘର କରିବ? ଭଦ୍ରକ-ବାଲେଶ୍ୱର-ବାରିପଦା-ଜଳେଶ୍ୱର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥଗୁଡ଼ିକର ନିର୍ମାଣ ପାଇଁ ନୀଳଗିରି ପାହାଡ଼ର ପଥର ଓ ବାଲେଶ୍ୱରର ନଦନଦୀର ବାଲିର ବହୁଳ ବ୍ୟବହାର ଯୋଗୁ ଆଜି ଏହି ବ୍ୟବସ୍ଥା। ଅର୍ଥାତ୍‌ ରାଷ୍ଟ୍ରର ବୃହତ୍ତର ବିକାଶର ବେଦୀରେ ସାଧାରଣ ମଣିଷର ମାମୁଲି ବିକାଶ ବଳିପଡୁଛି।
ବିକାଶର ମୂଳମନ୍ତ୍ର ହେଉଛି ଆବଶ୍ୟକତାର ମୂଲ୍ୟାୟନ (ନିଡ୍‌ ଆସେସ୍‌ମେଣ୍ଟ)। ବେଳେବେଳେ ରାଜନୈତିକ କାରଣରୁ ବା ଦେଖାଇହେବା ପାଇଁ ବିଶାଳ ଉଚ୍ଚାକାଂକ୍ଷୀ ପ୍ରକଳ୍ପ ସବୁ ହାତକୁ ନିଆଯାଏ ବା ପ୍ରସ୍ତାବିତ ହୁଏ ଯାହା ତୃଣମୂଳ ସ୍ତରରେ ବିକାଶକୁ ବାଧା ଜନ୍ମାଏ ବା ତା’ର ଗୁଣବତ୍ତା ହ୍ରାସକରେ, ମହଙ୍ଗା ମାଡ଼ର ପ୍ରଭାବରେ। ସେମିତି କିଛି ପ୍ରସ୍ତାବିତ ପ୍ରକଳ୍ପ ଯଥା ଓଡ଼ିଶା ଚାରିପଟେ ରିଂରୋଡ୍‌, ଓଡ଼ିଶାର ପୂର୍ବ-ପଶ୍ଚିମ ଓ ଉତ୍ତର-ଦକ୍ଷିଣ ମଧ୍ୟରେ ରାଜ୍ୟ ରାଜପଥ ନିର୍ମାଣ, ଭୁବନେଶ୍ୱରରେ ସବୁ ଜିଲା ପାଇଁ ଅତିଥିଶାଳା ନିର୍ମାଣ, ଦିଲ୍ଲୀର ଭାରତ ମଣ୍ଡପମ୍‌ ଢାଞ୍ଚାରେ ଭୁବନେଶ୍ୱରରେ ବିଶାଳ ପ୍ରେକ୍ଷାଳୟ ନିର୍ମାଣ ଇତ୍ୟାଦି ପ୍ରକଳ୍ପର ଜରୁରୀ ଆବଶ୍ୟକତା, ଏହାର ଗ୍ରାମାଞ୍ଚଳ ନିର୍ମାଣ ସମ୍ବନ୍ଧୀୟ କଞ୍ଚାମାଲ ଉପରେ ପ୍ରଭାବ- ଏସବୁକୁ ଅତି ଗମ୍ଭୀରତାର ସହ ଆକଳନକରି ପଦକ୍ଷେପ ନେବାକୁ ପଡ଼ିବ। ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ ଯେ ବାଲେଶ୍ୱର-ଭଦ୍ରକ ନିର୍ମାଣାଧୀନ ଜାତୀୟ ରାଜପଥ ଧାର୍ଯ୍ୟ ସମୟଠୁ ବର୍ଷ ବର୍ଷ ଗଡ଼ିଯିବାର ମୁଖ୍ୟ କାରଣ ହିସାବରେ ନିର୍ମାଣକାରୀ ସଂସ୍ଥା କହି ଚାଲିଛି, ଏଠାରେ ନିର୍ମାଣ ସମ୍ବନ୍ଧୀୟ କଞ୍ଚାମାଲର ଘୋର ଅଭାବ। ବିକାଶକୁ ସାର୍ବଜନୀନ ତଥା ସୁଲଭକରିବା ପାଇଁ ଅତି ଆବଶ୍ୟକ ନ ଥିବା ବୃହତ୍‌ ପ୍ରକଳ୍ପକୁ କିଛି ବର୍ଷ ଘୁଞ୍ଚାଇଦେଲେ ଜୀବନରେ ଥରେ ଘର କରୁଥିବା ମଣିଷମାନେ ନିଜ ସମ୍ବଳ ଭିତରେ ପକ୍କାଘରଟି କରିପାରିବେ, ଆପାତତଃ ଅପେକ୍ଷାକୃତ କମ୍‌ ଖର୍ଚ୍ଚରେ।
ଏବେ ନିର୍ମାଣ ସ୍ଥାପତ୍ୟ ଓ କାରିଗରି ବହୁ ବିକଶିତ ହେଲାଣି। ଇଟା, ବାଲି, ସିମେଣ୍ଟ, ପଥର, ଚିପ୍ସ ଭଳି ପ୍ରାକୃତିକ ସମ୍ବଳ କମ୍‌ ବ୍ୟବହାରକରି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଓ ଅନ୍ୟାନ୍ୟ କାରଖାନା ଉପତ୍ାଦ ମାଧ୍ୟମରେ ଗୃହନିର୍ମାଣ ଉପରେ ଗୁରୁତ୍ୱ ଆରୋପ କରାଯିବା ଉଚିତ। ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ, ଗୋପୀଚନ୍ଦ ଫାଉଣ୍ଡେଶନ ଆନୁକୂଲ୍ୟରେ ଭୁବନେଶ୍ୱରରେ ନିର୍ମିତ ବ୍ୟାଡ୍‌ମିଣ୍ଟନ ଷ୍ଟାଡିୟମକୁ ପୂରାପୂରି କଂକ୍ରିଟରେ ନିର୍ମାଣ ନ କରି ଅନ୍ୟ ଭାବରେ, ଆଧୁନିକ ଢଙ୍ଗରେ ସୁନ୍ଦର ଶୈଳୀରେ ନିର୍ମାଣ କରିହୁଅନ୍ତା। ବେଳେବେଳେ ଲାଗେ ଏଥିର ବ୍ୟବହୃତ ପାରମ୍ପରିକ ଗୃହ ନିର୍ମାଣ ସାମଗ୍ରୀ ଦ୍ୱାରା ହୁଏତ ଓଡି଼ଶାର ଗୋଟିଏ ଜିଲାରେ ନିର୍ମାଣାଧୀନ ସମସ୍ତ ପାଣିଟାଙ୍କିି ନିର୍ମାଣ ହୋଇପାରିଥାନ୍ତା!!
ଭାରତବର୍ଷରେ ଉଚ୍ଚାରିତ ‘ବିକାଶ’ ଶବ୍ଦର ହୃତ୍‌ପିଣ୍ଡ ହେଉଛି କଂକ୍ରିଟ। ବିକାଶ କହିଲେ କଂକ୍ରିଟକୈନ୍ଦ୍ରିକ ବିକାଶ କଥା କୁହାଯାଏ। ସେହି କ୍ରମରେ ରାସ୍ତା ବା କୋଠାବାଡ଼ି ନିର୍ମାଣବେଳେ ବହୁ ବୃକ୍ଷକୁ ଆତ୍ମାହୁତି ଦେବାକୁ ପଡ଼େ ଏବଂ ପୂର୍ବ ବ୍ୟବହୃତ ପିଚୁମଖା ଅବା ସିମେଣ୍ଟ ଜାବୁଡ଼ା ପଥର ଚିପ୍ସଗୁଡ଼ିକୁ ରାସ୍ତାକଡ଼କୁ ଫିଙ୍ଗିଦିଆଯାଏ। ଦୁଃଖର କଥା ଏକଥା କରାଯାଏ ଯେତେବେଳେ ବୃହତ୍‌ ବୃହତ୍‌ ବୃକ୍ଷର ପୁନଃ ରୋପଣ ଓ ବ୍ୟବହୃତ ପଥର ଚିପ୍ସର ପୁନର୍ବ୍ୟବହାର କାରିଗରି ଉପଲବ୍ଧ। ଘଟଣାକ୍ରମେ ଥରେ କଲିକତା ଯିବା ବାଟରେ ଖଡ଼ଗପୁର ପାଖାପାଖି ଜାତୀୟ ରାଜପଥର ଏକ ଅଂଶକୁ ଏହି ବିଧିରେ ମରାମତି କରାଯାଉଥାଏ -ଅର୍ଥାତ୍‌ ରାସ୍ତା ଫାଟି ଢିଲା ହୋଇଯାଇଥିବା ପିଚୁଫଡ଼ାକୁ ଉଠାଇ ଏକ ମେଶିନରେ ପୂରାଇ ତାକୁ ପିଚୁମୁକ୍ତ ତଟକା ପଥର ଚିପ୍ସରେ ପରିଣତ କରି ଆଉ ଏକ ମେଶିନରେ ପିଚୁ ସହ ଗୋଳେଇ ପୁଣି ରାସ୍ତା ଉପରେ ବିଛାଇ ଦିଆଯାଉଥାଏ। ଓଡି଼ଶାରେ ବୃକ୍ଷଚ୍ଛେଦନ ଓ ପଥରମୁଣ୍ଡାକୁ ଆବର୍ଜନା ଭାବି ଫିଙ୍ଗିଦେବାକୁ ଗୁରୁତ୍ୱ ଦିଆଯାଏ!!
ଆମେରିକା ଓ ଚାଇନା ତାଙ୍କର ପ୍ରାକୃତିକ ସମ୍ବଳମାନ ସାଇତି ରଖି ଅନ୍ୟ ଦେଶରୁ ତାହା ଆମଦାନୀ କରୁଥିଲାବେଳେ ଆମେ ଅବିଚାରିତ ଭାବରେ ଫିଙ୍ଗାଫୋପଡ଼ା ଦରରେ ରପ୍ତାନିକରୁ ବା ସେହି ଢଙ୍ଗରେ ବ୍ୟବହାର କରୁଛୁ। ଦିନ ଆସିବ ପଥର କୋଇଲା ଆମଦାନୀ କଲା ଭଳି ପଥର ଚିପ୍ସ ଓ ବାଲିକୁ ମଧ୍ୟ ଅଷ୍ଟ୍ରେଲିଆରୁ ଆମଦାନୀ କରିବାକୁ ପଡ଼ିବ, କାରଣ ନିର୍ମାଣ ସାମଗ୍ରୀର ସୁସଂହତ ବ୍ୟବହାର ଉପରେ ଏଠି ଗୁରୁତ୍ୱ ଦିଆଯାଏ ନାହିଁ ଅବା ତା’ର ବିକଳ୍ପ ଉପାଦାନ ଖୋଜାଯାଏ ନାହିଁ। ଭୂପୃଷ୍ଠ ପରିବହନ କ୍ଷେତ୍ରରେ ଲେନ୍‌ ଡ୍ରାଇଭିଂର ପ୍ରଚଳନ ଏତେ ନାହିଁ। କଟକ, ଭୁବନେଶ୍ୱର ମଧ୍ୟରେ ଏହା ହବହବ କହି ହୋଇପାରିଲା ନାହିଁ। ଏଣେ ଲେନ୍‌ ସଂଖ୍ୟା ବଢ଼ାଅ, କାରଣ ଆମେ ଓଭରଟେକ୍‌ କରିବୁ ସାମ୍ନା ଗାଡ଼ିକୁ! ଆମକୁ ଖେଳପଡ଼ିଆ ମାପର ରାସ୍ତା ଦରକାର! ଅଥଚ ଆଭ୍ୟନ୍ତରୀଣ ମୁମ୍ବାଇରେ ବେଶ୍‌ ‘ସରୁଲେନ୍‌’ରେ ଓଭରଟେକିଂର ଅନୁପସ୍ଥିତି ଯୋଗୁ ଗାଡ଼ିଘୋଡ଼ା ସୁରୁଖୁରରେ ଚାଲେ।
ବିକାଶ ରାସ୍ତାରେ ପ୍ରକୃତି ରୂପରେ ମୁଖ୍ୟତଃ ବଳି ପଡୁଛନ୍ତି ପାହାଡ଼, ନଦୀ, ମୃତ୍ତିକା ଓ ଜଙ୍ଗଲ। ପାହାଡ଼ ଖୋଳି ତା’ର ମୂଳ ତାଡ଼ି ସୃଷ୍ଟିକରାଯାଉଛି କୃତ୍ରିମ ହ୍ରଦ ଯାହା ବିଡ଼ମ୍ବନା କ୍ରମେ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେଉଛି, ଉଦାହରଣ ସ୍ବରୂପ ବାଲେଶ୍ୱର ମିତ୍ରପୁର ସନ୍ନିକଟ ବ୍ଲୁ ଲେକ୍‌। ସହର ଆଖପାଖର ଗାଁର ଲୋକେ ସକାଳୁ ଉଠି ଦେଖୁଛନ୍ତି ନିଜ ଜମିରୁ ମାଟି ଉଭାନ୍‌ ଆଉ କାରଖାନା ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ ଓ ଗୃହ ସାମଗ୍ରୀ ନିର୍ମାଣ ପାଇଁ ବଳିପଡୁଛି ଜଙ୍ଗଲ। ପାହାଡ଼- ନଦୀ-ମାଟି-ଜଙ୍ଗଲ ରହିତ ବିକାଶର ସଂଜ୍ଞା କ’ଣ? ଏହା କ’ଣ ବିନାଶ ନୁହେଁ?

ଡ. ସୁବାସ ଚନ୍ଦ୍ର ପାତ୍ର
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର ମୋ: ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

ଏଇ ଭାରତରେ

ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍‌ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ…

ଭୂଗର୍ଭ ଫଙ୍ଗାଇ ବିଶ୍ଳେଷିକା

ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ବିଶ୍ୱବାସୀ ଭଲ ଭାବେ ଅନୁଭବ କଲେଣି। ସେଥିରୁ ରକ୍ଷା ପାଇବା ପାଇଁ ସଚେତନ ମଣିଷ ପଦକ୍ଷେପ ମଧ୍ୟ ନେଉଛି। ପ୍ରକୃତିକୁ ବିଗାଡ଼ି ଦେଉଥିବାରୁ…

ନଜର ଲାଗିଗଲା କି

ନିକଟରେ ଓଡ଼ିଶା ବିଧାନସଭାରେ ସଭ୍ୟମାନଙ୍କର ମାସିକ ଦରମା, ଭତ୍ତା ଓ ପେନ୍‌ସନ୍‌ ଆଦି ବୃଦ୍ଧି କରି ଏକ ବିଲ୍‌ ସର୍ବସମ୍ମତି କ୍ରମେ ପାସ୍‌ ହୋଇଗଲା। ବିଧାୟକମାନେ ଜନମତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri