ପୁରୀ,୧୬ା୧୨(ଅଜିତ୍ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ୧ମାସ ଧରି ଚାଲିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।
ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ, ବଡ଼ଝିଲି, ବଡ଼ବଡ଼ା, କାକରା, ଅମାଲୁ, ଝିଲି, ଏଣ୍ଡୁରି, ଲଡୁ, ବଡ଼ି ଓ ଖଇରଚୂଳ ପରି ବିଭିନ୍ନ ଭୋଗ ଲାଗି ହୋଇଛି। ପହିଲିଭୋଗ ନୀତି ସମୟରେ ରାତ୍ର ୨ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ଭିତରଶୋଧ, ମଙ୍ଗଳଆଳତି, ରୋଷହୋମ, ମଇଲମ ଓ ତଡ଼ପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ପରେ ପହିଲି ଭୋଗ ଓ ଗୋପାଳ ବଲ୍ଲଭ ଅନୁଷ୍ଠିତ ହୋଇଥିଲା। ସେହିପରି ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇ ରାତ୍ର ପହୁଡ଼ ୧୧ଟାରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ସହ ପୁରୀରେ ଥିବା ଦେବଦେବୀ ଏବଂ ଜାଗା ଆଖଡ଼ା ପରିସରରେ ମଧ୍ୟ ପହିଲି ଭୋଗ ଆରମ୍ଭ ହେବ।


