ଦୁର୍ଗ,୧୨ା୪(ପି.ଟି.):ଛତିଶଗଡ଼ର ଦୁର୍ଗ ଜିଲାରେ ଜଣେ ୫ ବର୍ଷୀୟା ବାଳିକାଙ୍କୁ ଜଣେ ଅଭିଯୁକ୍ତ ଅପହରଣ କରିନେଇ ବଳାତ୍କାର କରିବା ପରେ ପୀଡ଼ିତାଙ୍କୁ ଅଖାରେ ଭର୍ତ୍ତିକରି ଏକ କୂଅ ନିକଟରେ ଫିଙ୍ଗି ଦେଇଥିଲେ। ଶୁକ୍ରବାର ଅପରାହ୍ନରେ ଉଟାଇ ଥାନ୍ତା ଅଞ୍ଚଳରେ ଏହି ଘଟଣା ଘଟିଛି। ଜଣେ ପୋଲିସ ଅଫିସରଙ୍କ କହିବା ଅନୁଯାୟୀ, ନାବାଳିକା ଜଣକ ସ୍କୁଲରୁ ଘରକୁ ଫେରି ପାଖ ଦୋକାନକୁ ଚକୋଲେଟ୍ କିଣିବାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅଭିଯୁକ୍ତ ଧନେଶ୍ୱର ସାହୁ (୩୫) ନାବାଳିକାଙ୍କୁ ଚକୋଲେଟ୍ ଦେଇ ଘରେ ଛାଡ଼ିଦେବାର ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲେ। ଦୀର୍ଘ ସମୟଯାଏ ଝିଅ ଘରକୁ ନ ଫେରିବାରୁ ପରିବାର ସଦସ୍ୟ ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ୨ ଘଣ୍ଟାର ତଲାସି ପରେ କୂଅ ନିକଟରେ ଏକ ଅଖା ହଲ୍ଚଲ ହେଉଥିବା ୨ ଜଣ ଯୁବକ ଦେଖିବାକୁ ପାଇଥିଲେ। ଅଖା ଖୋଲିବାରୁ ନାବାଳିକା ତା’ ଭିତରେ ଥିବା ଓ ପାଟିକୁ ତକିଆ ଖୋଳରେ ବନ୍ଦ କରାଯାଇଥିବା ଦେଖାଯାଇଥିଲା। ନାବାଳିକା ଭୟଭୀତ ଅବସ୍ଥାରେ ଥିଲେ। ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ବଳାତ୍କାର କରାଯାଇଥିବା ସ୍ପଷ୍ଟ ହୋଇଛି। ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଧନେଶ୍ୱରଙ୍କୁ ଗିରଫ କରିଛି। ଫୋରେନ୍ସିକ ସାଇନ୍ସ ଲାବରେଟୋରିର ଏକ ଟିମ୍ ଘଟଣାସ୍ଥଳରୁ ତଥ୍ୟପ୍ରମାଣ ସଂଗ୍ରହ କରିଥିବା ପାଟନ ପୋଲିସ ଏସ୍ଡିପିଓ ଅନୁପ୍ ଲାକ୍ରା କହିଛନ୍ତି। ଘଟଣାକୁ ନେଇ ଆଖପାଖ ଗ୍ରାମରେ ଉତ୍ତେଜନା ଦେଖାଦେଇଥିବାବେଳେ ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରି ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି। ପୋଲିସ ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିିତି ନିୟନ୍ତ୍ରଣାଧୀନ ରହିଛି।
Dharitri – Odisha’s No.1 Odia Daily

