ଖୋଲୁନି ମଣ୍ଡି, ଚିନ୍ତାରେ ଚାଷୀ

ଧରାକୋଟ,୧୫ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧାନମଣ୍ଡି ଖୋଲି ନ ଥିବାରୁ ଧରାକୋଟ ବ୍ଲକର ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଚଳିତ ବର୍ଷ ନିଅଣ୍ଟିଆ ସାଙ୍ଗକୁ ଅଦିଆ ବର୍ଷା ଯୋଗୁଁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସ୍ବଳ୍ପ ବୃଷ୍ଟି ଯୋଗୁ ବ୍ଲକର ଅଧିକାଂଶ ପଞ୍ଚାୟତରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକିଛି ଅମଳ ହୋଇଛି ତାକୁ ଚାଷୀ ବିଲରୁ ସଂଗ୍ରହ କରି ମଣ୍ଡିରେ ବିକ୍ରି ପାଇଁ ଚାହିଁ ବସିଛି। ଏହା ମଧ୍ୟରେ ଆନ୍ଧ୍ର ବେପାରୀମାନଙ୍କ ଲୋଲୁପ ଦୃଷ୍ଟି ଗାଁ ଗହଳିରେ ପଡ଼ିଲାଣି । ସ୍ଥାନୀୟ ଅସାଧୁ ବ୍ୟକ୍ତିଙ୍କୁ ହାତକରି ସେମାନେ ଶାଗମାଛ ଦରରେ କୁଇଣ୍ଟାଲ ପିଛା ୧୮୦୦ ଟଙ୍କା ଦରରେ ଧାନ କିଣୁଛନ୍ତି।

ଘଟଣା ସମ୍ପର୍କରେ ବ୍ଲକ ଯୋଗାଣ ନିରୀକ୍ଷକ ସଞ୍ଜୟ ମଲିକଙ୍କୁ ପଚାରିବାରେ, ଅସାଧୁ ବ୍ୟବସାୟୀଙ୍କ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ବ୍ଲକସ୍ତରରେ ଆସନ୍ତା ୨୯ ତାରିଖରେ ୧୯ଟି ମଣ୍ଡି ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ମଣ୍ଡିରେ ଧାନ ବିକ୍ରି ପାଇଁ ୬୮୧୨ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ସରକାର କୁଇଣ୍ଟାଲ ପିଛା ୨୧୮୩ ଟଙ୍କା ମୂଲ୍ୟରେ ଚାଷୀମାନଙ୍କଠାରୁ ଧାନ କିଣିବେ। ତେଣୁ କୌଣସି ଚାଷୀ ବାହାରେ ଧାନ ବିକ୍ରି ନ କରିବା ସେ କହିଛନ୍ତି।