ଧାମନଗର-ଯାଜପୁର ସୀମା ସିଲ୍‌ କରାଯାଉ

ଭଦ୍ରକ ଅଫିସ/ଧାମନଗର,୩୦।୧୦(ଡି.ଏନ.ଏ.): ଧାମନଗର ଉପନିର୍ବାଚନରେ ବିଜେଡି ବୁଥ୍‌ ରିଗିଂ କରିବା ଆଶଙ୍କା ନେଇ ଏହି ନିର୍ବାଚନମଣ୍ଡଳୀ ସଂଲଗ୍ନ ଯାଜପୁର ସୀମାକୁ ସିଲ୍‌ କରାଯିବାକୁ ଭାଜପା ଶନିବାର ନିର୍ବାଚନ କମିଶନ ଏବଂ ଜିଲାପାଳଙ୍କ ନିକଟରେ ଦାବି କରିଛି। ଭାଜପା ରାଜ୍ୟ ମୁଖପାତ୍ର ମନୋଜ କୁମାର ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଭଦ୍ରକ ଜିଲା ଉପସଭାପତି ଶ୍ରୀହର୍ଷ ସ୍ବାଇଁ ପ୍ରମୁଖ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଧାମନଗର ଏବଂ ଯାଜପୁର ସୀମାରେ ଥିବା ପଧାନୀ, ସୋହଡ଼ା, ଅର୍ଜୁନପୁର, ହସନାବାଦ, ପାଳସାହି ଆଦି ପଞ୍ଚାୟତରେ ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବା ଆଶଙ୍କା ରହିଛି। ଏଣୁ ନିର୍ବାଚନର ୩ ଦିନ ପୂର୍ବରୁ ଯାଜପୁର ସୀମାକୁ ସିଲ୍‌ କରିବା ପାଇଁ ଭାଜପା ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି।