Categories: ଭଦ୍ରକ

ନିର୍ବାଚନ ଲଢ଼ିବେ ଦୁଇ ଯାଆ

ଧାମନଗର, ୨୩|୧ (ଡି.ଏନ.ଏ)  ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ୧୧ ନଂ. ଜିଲା ପରିଷଦ ଜୋନ୍‌ ପାଇଁ ପ୍ରାର୍ଥୀ ହୋଇଛନ୍ତି ଦୁଇ ଯାଆ। ଏହି ଜୋନ୍‌ ଅତୀତରୁ ଭାଜପା ହାତରେ ରହିଆସିଛି। ଏଥର ଉଭୟ ବିଜେଡି ଓ ଭାଜପାରୁ ଦୁଇ ଯାଆଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି। ଭାଜପା ପ୍ରାର୍ଥୀ ଭାବେ ଖାଦିପଦା ପଞ୍ଚାୟତର ସମିତିସଭ୍ୟ ସୁବ୍ରତ ସାମଲଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ସାମଲ ନାମାଙ୍କନ ଦାଖଲ କରିଛନ୍ତି। ସୁବ୍ରତ ଜଣେ ଯୁବ ସଙ୍ଗଠକ ଓ ପ୍ରତିଷ୍ଠିତ ବ୍ୟବସାୟିକ ପରିବାରର ହୋଇଥିବାରୁ ନିଜର ସ୍ବଚ୍ଛ ଭାବମୂର୍ତ୍ତି ରହିଛି। ଏପରିକି ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଲୋକପ୍ରିୟତା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନେଇ ପୁଷ୍ପାଞ୍ଜଳି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି। ଅପରପକ୍ଷେ ସୁବ୍ରତଙ୍କ ବଡ଼ଭାଇ ପୂର୍ବତନ ସମିତିସଭ୍ୟ ପ୍ରତାପ ସାମଲଙ୍କ ସ୍ତ୍ରୀ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଉର୍ମିଳା ବିଶ୍ୱାଳ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ସ୍ବାମୀ ପ୍ରତାପଙ୍କ ଲୋକପ୍ରିୟତା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନାକୁ ପାଥେୟ କରି ସେ ମତଦାତାଙ୍କ ନିକଟତର ହେଉଛନ୍ତି। ତେବେ ଭାଜପା ତା’ର ବିଜୟଧାରା ବଜାୟ ରଖିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଏହାକୁ ଭଙ୍ଗ କରି ବିଜେଡି ଏଥର ଏହି ଜୋନ୍‌ରୁ ଜିତିବା ଲାଗି ରଣକୌଶଳ ଆପଣାଇଥିବା ଚର୍ଚ୍ଚା ହେଉଛି।