ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ କୁଢ଼କୁଢ଼ ଯୋଜନା ହେଉଛି। କିନ୍ତୁ ଏହି ଯୋଜନା ଗ୍ରୀନବାଡ଼ି ପଞ୍ଚାୟତର ଜିଡ଼ିଙ୍ଗମାଲା ଏବଂ ଦନେକବାଡ଼ି ପଞ୍ଚାୟତର କଟଡ଼ି ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ହୋଇରହିଛି।
ପ୍ରକାଶ ଯେ, ଜିଡ଼ିଙ୍ଗମାଲାଠାରୁ କଟଡ଼ି ପର୍ଯ୍ୟନ୍ତ ପ୍ରାୟ ୪ କିମି ମାଟି ରାସ୍ତା ରହିଛି। କିନ୍ତୁ ରାସ୍ତା ସାରା ବଡ଼ବଡ଼ ପଥର ବାହାରି ରହିଥିବା ବେଳେ ବଡ଼ବଡ଼ ଖାଲଖମା ହୋଇରହିଛି। ୨ ଚକିଆ ହେଉ କି ଅଟୋ ସେହି ରାସ୍ତାରେ ଯାତାୟାତ ସମ୍ଭବ ହେଉନାହିଁ। ଏମିତିକି ପାଦରେ ଚାଲି ଯିବା ପାଇଁ ମଧ୍ୟ ଲୋକଙ୍କୁ କସରତ କରିବାକୁ ପଡୁଛି।
ଏନେଇ ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ ବୋଲି ଗ୍ରାମବାସୀ କହିଛନ୍ତି। ଉଭୟ ଗାଁକୁ ଜରୁରୀକାଳିନ ପରିସ୍ଥିତିରେ ଆମ୍ବୁଲାନ୍ସରେ ରୋଗୀଙ୍କୁ ନେବାକୁ ହେଲେ ଅନ୍ୟ ବାଟ ଦେଇ ବୁଲିବୁଲି ଯିବାକୁ ପଡୁଛି। ଶୀଘ୍ର ଉକ୍ତ ରାସ୍ତା ମରାମତି କରାଯିବା ସହ ପକ୍କା ରାସ୍ତା କରାଯିବା ପାଇଁ ଦାବି ହୋଇଛି।

