ବିକାଶ: ସ୍ବପ୍ନ ଓ ବାସ୍ତବତା

ଖବରକାଗଜ ବା ଟିଭି ଚାନେଲ ଖୋଲିଲେ ବିକଶିତ ଭାରତ କଥା ଶୁଣିବାକୁ ବା ପଢ଼ିବାକୁ ମିଳେ, କିନ୍ତୁ ସେହି ବିକଶିତ ଭାରତର ସ୍ବରୂପ କ’ଣ ହେବ, କାହାର କେତେ ଲାଭ, କିଏ ସେପର୍ଯ୍ୟନ୍ତ ବଞ୍ଚିଥିବ କେହି କହିପାରୁ ନାହାନ୍ତି? ଜଳବାୟୁ ପରିବର୍ତ୍ତନ ଜନିତ ଯେଉଁ ଜିଡିପି ହ୍ରାସ ପାଇବ ଏବଂ ବାୟୁମଣ୍ଡଳ ଦୂଷିତ, ଖାଦ୍ୟ ଭେଜାଲ ଓ ଜୀବନଶୈଳୀ ଜନିତ ରୋଗ ଯୋଗୁ ଯେଉଁ ଭୟଙ୍କର କ୍ଷତି ମାନବ ସମାଜକୁ ସମ୍ମୁଖୀନ ହେବାକୁ ପଡ଼ିବ ତାହା ଶାସକ ଶ୍ରେଣୀ କହୁନାହାନ୍ତି? ଭାରତର କିଛି ପ୍ରମୁଖ ସହରରେ ଭୂପୃଷ୍ଠର ଜଳପତ୍ତନ ବହୁମାତ୍ରାରେ ହ୍ରାସ ପାଇ ଭୟଙ୍କର ସମସ୍ୟା ସୃଷ୍ଟି କରିବାକୁ ଯାଉଛି। ସାମାଜିକ ସମସ୍ୟା ଆହୁରି ଭୟଙ୍କର। ଗତ ଗଣତନ୍ତ୍ର ଦିବସ ପାଳନ ବେଳେ ୫ ବର୍ଷର ଝିଅ ଦୁଷ୍କର୍ମର ଶିକାର ହେବାର ହୃଦୟବିଦାରକ ଖବର ଶୁଣିବାକୁ ମିଳିଥିଲା। ସ୍ବପ୍ନ ଦେଖାଇ କ୍ଷମତା ଧରିରଖିବା ଓ ବର୍ତ୍ତମାନର ସମସ୍ୟାରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ହୁଏତ ସମ୍ଭବ ହୋଇପାରେ, କିନ୍ତୁ ଭବିଷ୍ୟତ ପିଢ଼ିଙ୍କ କଥା ଶାସକ ଶ୍ରେଣୀ ଭୁଲିଯିବା ଅନୁଚିତ। ଆଗାମୀ ପିଢ଼ିଙ୍କ ଭବିଷ୍ୟତ ଖରାପ ହେଲେ ଧନୀ, ଗରିବ, ନେତା, ମନ୍ତ୍ରୀ ଓ କ୍ଷମତାଶାଳୀ ଆଦି ସମସ୍ତଙ୍କର ପିଲା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ। ଯେଉଁ ବୁଦ୍ଧିଜୀବୀ ନୀରବ ରହୁଛନ୍ତି ବା ଏପରି ସ୍ଲୋଗାନକୁ ବିରୋଧ କରୁନାହାନ୍ତି, ସେମାନେ ଭୁଲ୍‌ କରୁଛନ୍ତି। ଜୀବନ କେତେ ଅନିଶ୍ଚିତ ବୋଲି କରୋନା ମହାମାରୀରୁ ଆମେ କିଛି ଶିଖିଲେ ନାହିଁ। ବେକାରି, ଦାରିଦ୍ର୍ୟ, ପୁଷ୍ଟିହୀନତା ଆଜି ବ୍ୟାପକ, କୋଟି କୋଟି ଯୁବତୀଯୁବକ ବେକାର।
ଶିକ୍ଷା, ସ୍ବାସ୍ଥ୍ୟ ଆଜି ଅପହଞ୍ଚ। କ୍ଷମତା, ପ୍ରଚୁର ଅର୍ଥ ନ ଥିଲେ କେହି ପଚାରିବେ ନାହିଁ।
ଦାରିଦ୍ର୍ୟ ଦୂର ଅର୍ଥ ନୁହେଁ ଖାଲି ଦି ଓଳି ଖାଇବା; ଏକ ସରସ ସୁନ୍ଦର ତଥା ଗୁଣାତ୍ମକ ଜୀବନ ବଞ୍ଚିବାର ପରିବେଶ ସୃଷ୍ଟି କରିବା। ଯଦି ଏତେ ବିକାଶ ହେଉଛି, ତେବେ ୮୦ କୋଟି ଲୋକଙ୍କୁ କାହିଁକି ଖାଦ୍ୟ ସହାୟତା ଯୋଗାଇବାକୁ ପଡୁଛି? ଆମେ ଏଠାରେ କହୁ ନାହୁଁ ଏହି ସରକାର ଦାୟୀ ଏବଂ ପୂର୍ବ ସରକାର ଭଲ, କିନ୍ତୁ ପ୍ରଶ୍ନ ହେଉଛି ଲୋକଙ୍କ ଅଭାବ, ଅନଟନ ତଥା ବିଭିନ୍ନ ସମସ୍ୟା ବେଶି ଆଲୋଚନା ହେବା ଉଚିତ। ପ୍ରଭୁ ରାମଚନ୍ଦ୍ର ସର୍ବଦା ପ୍ରଜାଙ୍କ ଭଲ ମନ୍ଦ ଜାଣିବା ପାଇଁ ଚେଷ୍ଟା କରୁଥିଲେ, ପ୍ରଚାରରେ ଲିପ୍ତ ରହୁ ନ ଥିଲେ। ଯେତେବେଳେ ବିକାଶ ଓ ପ୍ରଗତି କଥା ପ୍ରଚାର କରାଯାଉଛି, ସେତେବେଳେ ଅର୍ଥନୀତି ସମ୍ମୁଖରେ କିଛି ଭୟଙ୍କର ସମସ୍ୟା ଦେଖାଦେଇଛି। ୨୦୦୭ ରେ ଭାରତ ନିମ୍ନ-ଆୟ ଶ୍ରେଣୀରୁ ନିମ୍ନ-ମଧ୍ୟମ ଆୟ ଦେଶର ଶ୍ରେଣୀକୁ ପ୍ରବେଶ କରିଥିଲେ ମଧ୍ୟ ପ୍ରାୟ ଦୁଇ ଦଶକ ଧରି ସେଇ ଶ୍ରେଣୀରେ ଅଟକି ରହିଛି। ନିରନ୍ତର ଉଚ୍ଚ ଆର୍ଥିକ ବୃଦ୍ଧି ହାର ସତ୍ତ୍ୱେ, ଭାରତର ମୁଣ୍ଡପିଛା ଆୟ କ୍ରୟ ଶକ୍ତି ସମତା ଦୃଷ୍ଟିରୁ ସମ୍ପ୍ରତି ବର୍ଷଗୁଡ଼ିକରେ ହାରାହାରି ୨୪୦୦ ଡଲାର ୨୭୦୦ ମଧ୍ୟରେ ରହିଛି, ଯେତେବେଳେ ଉଚ୍ଚ -ମଧ୍ୟମ ଆୟ ଶ୍ରେଣୀ (୪୪୬୬ ୧୩,୮୪୫ ଡଲାର) ଏବଂ ଉଚ୍ଚ-ଆୟ ଶ୍ରେଣୀ (୧୩, ୮୪୫ ଡଲାର ଠାରୁ ଅଧିକ) ପାଇଁ ଆବଶ୍ୟକ ସୀମାଠାରୁ ବହୁତ କମ୍‌। ୨୦୨୫ରେ ୨୮୧୮ଡଲାରରେ ପହଞ୍ଚିଛି। ଯଦି ୨୦୪୭ ବର୍ଷ ବେଳକୁ ମୁଣ୍ଡପିଛା ଆୟ ଅଧିକ ହୁଏ, ସେତେବେଳେ ଉଚ୍ଚ-ଆୟ ଶ୍ରେଣୀର ମାନଦଣ୍ଡ ସଂଶୋଧିତ ହୋଇ ବହୁ ଅଧିକ ହୋଇଯାଇଥିବ, ଯାହା କେହି କହୁ ନାହାନ୍ତ। ପୁନଶ୍ଚ ଭାରତ ମୁଣ୍ଡପିଛା ଆୟ ଦୃଷ୍ଟିରୁ ୧୪୪ ଓ କ୍ରୟଶକ୍ତି ମୁଣ୍ଡପିଛା ଆୟ ଦୃଷ୍ଟିରୁ ୧୨୫ ସ୍ଥାନରେ ଅଛି। ବିଶ୍ୱବ୍ୟାଙ୍କ ଅନୁସାରେ ଭରତ ମଧ୍ୟମ-ଆୟ ଫାନ୍ଦରେ ସବୁଦିନେ ପଡ଼ିଯିବାର ଆଶଙ୍କାରେ ରହନ୍ତି।
ବାହ୍ୟ କ୍ଷେତ୍ରର ପରିସ୍ଥିତି ମଧ୍ୟ ଗଭୀର ଚିନ୍ତା ସୃଷ୍ଟି କରିଛି। ମୋଟ ଆକାରରେ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ (ଏଫଡିଆଇ) ୨୦୨୪-୨୫ ମସିହାରେ ପ୍ରାୟ ୮୧ ବିଲିୟନ ଡଲାରରେ ପହଞ୍ଚିଥିବା ସତ୍ତ୍ୱେ, ନିଟ୍‌ ଏଫଡିଆଇ ଆଶ୍ଚର୍ଯ୍ୟଜନକ ଭାବରେ ହ୍ରାସ ପାଇଛି। ୨୦୨୪-୨୫ ମସିହାରେ ନିଟ ଏଫଡିଆଇ ପ୍ରାୟ ୯୬% ହ୍ରାସ ପାଇ ୦.୪ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହାର ପ୍ରଧାନ କାରଣ ହେଲା ବିଦେଶୀ କମ୍ପାନୀମାନଙ୍କ ଦ୍ୱାରା ଲାଭ ନିଜ ଦେଶକୁ ନେଇଯିବା ଓ ଭାରତୀୟ କମ୍ପାନୀମାନେ ବିଦେଶରେ ବେଶି ନିବେଶ କରିବା। ବହିର୍ମୁଖୀ ବା ଆଉଟୱାର୍ଡ ଏଫ୍‌ଡିଆଇ ୨୦୨୩-୨୪ ମସିହାର ୧୬.୭ ବିଲିୟନ ଡଲାର ହୋଇଥିଲାବେଳେ ୨୦୨୪-୨୫ ମସିହାରେ ୨୯.୨ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏହା ସ୍ପଷ୍ଟ ହୁଏ ଯେ ଭାରତୀୟ କର୍ପୋରେଟମାନେ ଭାରତ ଅପେକ୍ଷା ବିଦେଶରେ ଅଧିକ ଭଲ ସୁଯୋଗ ଦେଖୁଛନ୍ତି। ଆର୍ଥିକ ବଜାରରେ ମଧ୍ୟ ସମାନ ଚାପ ପ୍ରତିଫଳିତ ହେଉଛି। ୨୦୨୫ ମସିହାରେ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ପ୍ରାୟ୧.୫୮ ଲକ୍ଷ କୋଟି ଟଙ୍କାର ଇକ୍ୱିଟି ବା ଅଂଶଧନ ପ୍ରତ୍ୟାହାର କରିନେଇଥିଲେ, ଯାହା କୌଣସି ବର୍ଷରେ ସର୍ବାଧିକ। ଏହି ପ୍ରବୃତ୍ତି ୨୦୨୬ରେ ମଧ୍ୟ ଜାରି ରହିଛି। ଦେଶୀୟ ସଂସ୍ଥାଗତ ନିବେଶକମାନେ କିଛି ପରିମାଣରେ ଏହାକୁ ସନ୍ତୁଳିତ କରିଥିଲେ ମଧ୍ୟ ବିଦେଶୀ ନିବେଶକଙ୍କ ଆତ୍ମବିଶ୍ୱାସ ଦୁର୍ବଳ ରହିଛି। ମୁଦ୍ରା ବଜାର ମଧ୍ୟ ଏହି ଚାପକୁ ପ୍ରତିବିମ୍ବିତ କରିଛି। ୨୦୨୫ ଆରମ୍ଭରେ ପ୍ରାୟ ପ୍ରତି ଡଲାର ମୂଲ୍ୟ ୮୫.୮୦ ଟଙ୍କା ଥିବାବେଳେ ଡିସେମ୍ବର ୨୦୨୫ ମସିହାରେ ପ୍ରଥମଥର ପାଇଁ ୯୦ ଟଙ୍କା ସୀମା ଅତିକ୍ରମ କରି ୯୦.୩୦ ଟଙ୍କା ପର୍ଯ୍ୟନ୍ତ ଐତିହାସିକ ନିମ୍ନସ୍ତରକୁ ଛୁଇଁଥିଲା। ୨୦୨୬ ଜାନୁଆରୀ ୨୬ ସୁଦ୍ଧା ଏହା ୯୧.୭୧ ଟଙ୍କାକୁ ପୁନଶ୍ଚ ହ୍ରାସ ପାଇଛି।୨୦୨୫ରେ ଟଙ୍କାର ୬% ଅବମୂଲ୍ୟାୟନ ହୋଇ ଏସିଆର ସବୁଠାରୁ ଖରାପ ପ୍ରଦର୍ଶନକାରୀ ମୁଦ୍ରାମାନଙ୍କ ମଧ୍ୟରେ ଗଣାଯାଇଛି। ଏହାର ପ୍ରଧାନ କାରଣ ହେଲା ବିଦେଶୀ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର, ଆମଦାନୀ ରପ୍ତାନିଠାରୁ ବହୁ ଅଧିକ ହେବା ଏବଂ ଡଲାର ଚାହିଦା ଯୋଗାଣଠାରୁ ବୃଦ୍ଧି ପାଇବା।
ଘରୋଇ ଆର୍ଥିକ ଅବସ୍ଥା ଆହୁରି ଭୟଙ୍କର। ଭାରତୀୟ ପରିବାରମାନେ ଖର୍ଚ୍ଚ ଜାରି ରଖିବା ପାଇଁ ଋଣ ଉପରେ ନିର୍ଭର କରୁଛନ୍ତି, ଯାହା ପାରମ୍ପରିକ ସଞ୍ଚୟ ଅଭ୍ୟାସର ବିରୋଧୀ। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ, ୨୦୧୯ରୁ ୨୦୨୫ ମଧ୍ୟରେ ପାରିବାରିକ ଦେୟ ପ୍ରାୟ ୧୦୨% ବୃଦ୍ଧି ପାଇଥିବା ବେଳେ ସମ୍ପତ୍ତି କେବଳ ୪୮% ବୃଦ୍ଧି ପାଇଛି। ୨୦୨୩-୨୪ରେ ପାରିବାରିକ ଋଣ ଜିଡିପିର ପ୍ରାୟ ୪୧.୩%ରେ ପହଞ୍ଚିଛି, ଯାହା ହାରାହାରି ପାଞ୍ଚ ବର୍ଷୀୟ ୩୮.୩%ଠାରୁ ଅଧିକ। ତୁଳନା ସ୍ବରୂପ, ୨୦୨୨-୨୩ ମସିହାରେ ପାରିବାରିକ ଋଣ ଜିଡିପିର ପ୍ରାୟ ୩୭.୯% ଥିଲା। ଏହା ସହ ପାରିବାରିକ ନିଟ୍‌ ଆର୍ଥିକ ସଞ୍ଚୟ ଭୟଙ୍କର ଭାବେ ହ୍ରାସ ପାଇଛି। ୨୦୨୦-୨୧ରେ ଏହା ଜିଡିପିର ୧୧.୫% ଥିଲାବେଳେ ୨୦୨୩-୨୪ରେ ପ୍ରାୟ ୫.୪%କୁ ହ୍ରାସ ପାଇଛି, ଯାହା ଚାରି ଦଶକରେ ପ୍ରାୟ ସବୁଠାରୁ କମ୍‌। ୨୦୧୩-୧୪ରେ ଆର୍ଥିକ ଦେୟ ଜିଡିପିର ୩.୨% ଥିଲାବେଳେ ୨୦୨୩-୨୪ରେ ଜିଡିପିର ୬.୪%କୁ ବୃଦ୍ଧି ପାଇଛି, ଯାହା ଗତ ୧୭ବର୍ଷରେ ସର୍ବନିମ୍ନ, ଅର୍ଥାତ ୨୦୦୭ର ବିଶ୍ୱ ଆର୍ଥିକ ସଙ୍କଟ ସମୟର ସ୍ତର ସହ ସମାନ। ମୋଟ ଆଭ୍ୟନ୍ତରୀଣ ସଞ୍ଚୟ, ଯାହା ୨୦୦୭-୦୮ରେ ୩୬.୭% ଥିଲା, ବର୍ତ୍ତମାନ ହାରାହାରି ୩୦% ରହିଛି, ଯାହା ଶୁଭ ସଂକେତ ନୁହେଁ । ଭାରତ ନିଜକୁ ଆଜି ମଧ୍ୟ ବିଶ୍ୱର ସବୁଠାରୁ ଦ୍ରୁତ ବୃଦ୍ଧିଶୀଳ ମୁଖ୍ୟ ଅର୍ଥ ବ୍ୟବସ୍ଥାଗୁଡ଼ିକ ମଧ୍ୟରୁ ଗୋଟିଏ ଭାବେ ପ୍ରଦର୍ଶନ କରୁଥିବା ସତ୍ତ୍ୱେ, ଏହି ବୃଦ୍ଧି ମାନବ କୁଶଳତାରେ ସମାନ ଉନ୍ନତି ଆଣିପାରିନି। ଲାଭର ଅଧିକାଂଶ ଉଚ୍ଚ-ଆୟ ଶ୍ରେଣୀରେ ସୀମିତ ରହିଛି, ଯାହା ଫଳରେ ଅସମାନତା ବଢ଼ୁଛି। ମାନବ ବିକାଶ ସୂଚକାଙ୍କ (ଏଚ୍‌ଡିଆଇ), ବିଶ୍ୱ କ୍ଷୁଧା ସୂଚକାଙ୍କ, ବିଶ୍ୱ ଖୁସି ସୂଚକାଙ୍କ ଆଦି ସୂଚକାଙ୍କରେ ଭାରତର ଦୟନୀୟ ସ୍ଥିତି ଚିନ୍ତାଜନକ ହୋଇଛି।
ମୋ:୯୪୩୭୨୦୮୭୬୨

ଡ଼. ସନ୍ତୋଷ କୁମାର ମହାପାତ୍ର

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri