ଡେଙ୍ଗୁ ରୋଗୀ ଚିହ୍ନଟ, ପୌର ପ୍ରଶାସନ ବେଫିକର

ସୋନପୁର,୧୮।୮(ମୃତ୍ୟୁଞ୍ଜୟ ଶତପଥୀ): ନଦୀକୂଳିଆ ସହର ସୁବର୍ଣ୍ଣପୁରରେ ଏଡିସ୍‌ ମଶାଙ୍କ ବଂଶ ବୃଦ୍ଧି ପାଇଛି। ଗତ ୯ ତାରିଖରେ ସହରର ଗ୍ରୀଡକୋ ଅଞ୍ଚଳରେ ଜଣେ ୯ ବର୍ଷୀୟା ବାଳିକାଙ୍କୁ ଡେଙ୍ଗୁ ରୋଗ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ସେହିପରି ଜୁଲାଇ ମାସରେ ସୁବର୍ଣ୍ଣପୁର ସହରରେ ଜଣେ ଓ ଉଲୁଣ୍ଡାରେ ଜଣେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ବେଫିକର ଅଛି। ଦୂଷିତ ପରିବେଶ ଓ ଜମି ରହୁଥିବା ପାଣି ଯୋଗୁ ଏଡିସ୍‌ ମଶା ବଂଶ ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଜିଲା ପ୍ରଶାସନ ଏ ଦିଗରେ ସତର୍କ ରହିବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି।
ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରକୁ ସ୍ବଚ୍ଛ ରଖିବା ପାଇଁ ପ୍ରାକ୍ତନ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ଉଦ୍ୟମ କରିଥିଲେ। ବ୍ୟବସାୟ ପ୍ରତିଷ୍ଠାନ ଓ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁ ବାହାରେ ଏଣେତେଣେ ନ ଫୋପାଡି ଡଷ୍ଟବିନ୍‌ରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ଜ୍ୟବସ୍ତୁ ପରିଚାଳନାକୁ ଅଧିକ କ୍ରିୟାଶୀଳ କରାଯାଇଥିଲା। କ୍ଲିନ୍‌ ସୁବର୍ଣ୍ଣପୁର ଅଭିଯାନର ଯାଞ୍ଚ ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ବୁଲା ଗାଇଗୋରୁଙ୍କ ପାଇଁ ଗୋ ଶ୍ରଦ୍ଧା ଭଳି ଯୋଜନା ହୋଇଥିଲା। ତେବେ ଜିଲାପାଳଙ୍କ ବଦଳି ପରେ ଏହି ଅଭିଯାନ ବାଟବଣା ହୋଇଯାଇଛି। ଅଧିକାରୀ ଓ କର୍ମଚାରୀମାନେ ସଠିକ୍‌ ଭାବେ ନିଜର ଦାୟିତ୍ୱ ନିର୍ବାହ କରୁନାହାନ୍ତି। ସହରର ବିଭିନ୍ନ ସ୍ଥାନରେ ବର୍ଜ୍ୟବସ୍ତୁ ଗଦା ଦେଖିବାକୁ ମିଳୁଛି। ଭୁବନେଶ୍ୱର ପଟୁ ସୁବର୍ଣ୍ଣପୁର ସହରକୁ ପ୍ରବେଶ ରାସ୍ତାର ଆରମ୍ଭରେ ରହିଛି ଆବର୍ଜନା ଗଦା। ତେଲନଦୀ ବ୍ରିଜ୍‌ ପାରି ହେବା ପରେ ଡାହାଣ ପାର୍ଶ୍ୱରେ ଗଦା ହେଉଛି ଆବର୍ଜନାର ପାହାଡ। ପୌର ପରିଷଦ ପକ୍ଷରୁ ନଦୀକୂଳରେ ଆବର୍ଜନା ଠୁଳ କରାଯାଉଛି। ଏହି ସ୍ଥାନରୁ ହିଁ ଆରମ୍ଭ ହୋଇଛି ରିଂ ରୋଡ। ଏହି ରିଂ ରୋଡ ଦେଇ ସୁବର୍ଣ୍ଣମେରୁ, ସୁରେଶ୍ୱରୀ ଓ ରାମେଶ୍ୱର ମନ୍ଦିରକୁ ଶ୍ରଦ୍ଧାଳୁମାନେ ଯାଇଥାନ୍ତି। ବୟସ୍କ ବ୍ୟକ୍ତିମାନେ ରିଂ ରୋଡରେ ପ୍ରାତଃଭ୍ରମଣ କରନ୍ତି। ତେବେ ପୂତିଗନ୍ଧମୟ ପରିବେଶ ଯୋଗୁ ବାହାର ଜିଲାରୁ ଆସୁଥିବା ପର୍ଯ୍ୟଟକ ନାକ ଟେକୁଛନ୍ତି। ଆବର୍ଜନାଗୁଡିକ ବର୍ଷାରେ ଓଦା ହେଲେ ଦୁର୍ଗନ୍ଧରେ ନାକ ଫାଟି ଯାଉଛି । ବର୍ଷା ହେଲେ ଏହି ବର୍ଜ୍ୟବସ୍ତୁ ସିଧାସଳଖ ତେଲନଦୀରେ ମିଶୁଛି। ନଦୀଜଳ ପ୍ରଦୂଷିତ ହେଉଛି। ନଦୀଜଳ ବ୍ୟବହାର କରୁଥିବା ଲୋକେ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ସହରର ନଳିନୀ ଛକ ନିକଟରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡ ଓ ମହାରାଜା ହାଇସ୍କୁଲ ପଛ ପାର୍ଶ୍ୱରେ ୭ରୁ ୮ ଦିନ ଧରି ଆବର୍ଜନା ଗଦା କରି ରଖାଯାଉଛି। ସେଗୁଡିକୁ ଟ୍ରାକ୍ଟରରେ କୁଲପଡାସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ନିଆଯାଉନି। ପୌରାଞ୍ଚଳର ରାମଜୀନଗର, ଉଦୟନଗର, ଗ୍ରୀଡ୍‌କୋ କଲୋନୀ, ଶାନ୍ତିନଗର, ବିବେକାନନ୍ଦ ନଗର, ରାମକୃଷ୍ଣ ନଗର, ପଟାଭାଡି, ମାଣିକେଶ୍ୱରୀ ପ୍ଲଟ ଓ ଗୋକର୍ଣ୍ଣେଶ୍ୱରପଡା ଆଦି ଅଞ୍ଚଳରେ ଏ ପର୍ଯ୍ୟନ୍ତ ବ୍ୟବସ୍ଥିତ ଭାବେ ଡ୍ରେନ୍‌ ନିର୍ମାଣ ହୋଇପାରିନି। ସେହିପରି ମଝିପଡା, ଥନାପତିପଡା, ବଡବଜାର, ଭଗବତୀପ୍ଲଟ, ଘୋଡା ଘାଟପଡା, ମାଳିପଡା, ଟିକିରିପଡା, ତରିଆପଡା, କୁମ୍ଭାରପଡା ଓ ଢେରାପଡା ଆଦି ଅଞ୍ଚଳରେ ଠିକ୍‌ ଭାବେ ଡ୍ରେନ୍‌ ସଫା ହେଉନି। ବିଭିନ୍ନ ସ୍ଥାନରେ ନର୍ଦ୍ଦମା ଜଳ ଜମା ହୋଇରହୁଛି। ଏହିସବୁ ସ୍ଥାନରୁ ମଶା ବଂଶ ବିସ୍ତାର ହେଉଛି। ମଶାଙ୍କ ପାଇଁ ସହରବାସୀ ଶାନ୍ତିରେ ରହି ପାରୁନାହାନ୍ତି । ମାତ୍ର ମଶା ଦମନ ପାଇଁ ପୌର ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ ହେଉନି । ଡେଙ୍ଗୁ ରୋଗ ଏଡିସ୍‌ ମଶା ଦ୍ୱାରା ବ୍ୟାପେ। ଏହି ମଶା ସାଧାରଣତଃ ସକାଳ ସମୟରେ ଓ ସନ୍ଧ୍ୟା ପୂର୍ବରୁ କାମୁଡେ। ସହରରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସାଧାରଣ ମ୍ୟାଲେରିଆ ରୋଗୀ ଏବେ ଆତଙ୍କିତ ହୋଇ ପଡୁଛନ୍ତି। ତେଣୁ ପୌର ପରିଷଦ ପକ୍ଷରୁ ସହର ମଝିରେ ସ୍ଥାନେ ସ୍ଥାନେ ଗଦା ହୋଇଥିବା ଅଳିଆ ଦୂର ସ୍ଥାନକୁ ହଟାଇବା ସହ ଡ୍ରେନ୍‌ଗୁଡିକୁ ନିୟମିତ ସଫା କରିବା ଓ ସମସ୍ତ ଓ୍ବାର୍ଡରେ ମଶା ଧୂଆଁ ପ୍ରୟୋଗ ପାଇଁ ସହରବାସୀ ଦାବି କରିଛନ୍ତି।