ବଡ଼ମ୍ବା ଟି-ବ୍ରିଜ୍‌ରେ ଦଳାଚକଟା: ୧୨ ଗୁରୁତର

ବଡ଼ମ୍ବା,୧୪ା୧(ଡି.ଏନ୍‌.ଏ.): କଟକ ଜିଲା ବଡ଼ମ୍ବା-ଗୋପୀନାଥପୁର ଟି-ବ୍ରିଜରେ ଶନିବାର ଦଳାଚକଟା ହେବାରୁ ୧୨ ଜଣ ଗୁରୁତର ହୋଇଛନ୍ତି। ଏହି ଗୁରୁତରମାନଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ରହିଛନ୍ତି। ଗୁରୁତରମାନଙ୍କୁ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମକରମେଳା ପାଇଁ ସିଂହନାଥ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଫଳରେ ଦଳଚକଟା ପରିସ୍ଥିତି ଉପୁଜିଥିଲା। ଏପରିକି ବ୍ରିଜ୍‌ ଉପରୁ କିଛି ଲୋକ ପ୍ରାଣ ବିକଳରେ ତଳକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି।

କିଛି ମାସ ତଳେ ମହାନଦୀ ଉପରେ ଏହି ବ୍ରିଜ୍‌ ଉଦ୍‌ଘାଟନ ହୋଇଥିଲା। ବ୍ରିଜ୍‌ଟି ମହାନଦୀରୁ ସିଂହନାଥ ପୀଠକୁ ସଂଯୋଗ କରେ। ଆଜି ମକର ମେଳା ଦେଖିବା ପାଇଁ ଭକ୍ତମାନେ ସିଂହନାଥ ପୀଠକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି।