ରାୟଗଡ଼ା,୧୧ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ଫଳାଫଳ ବୁଧବାର ପ୍ରକାଶ ପାଇଛି। ହାଇକୋର୍ଟରେ ରାୟ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଫଳାଫଳ ଘୋଷଣା କରାଯାଇଛି। ଏହାପରେ ପଦ ହରାଇଛନ୍ତି ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା। ଶୁଭ୍ରାଙ୍କ ବିପକ୍ଷରେ ୧୯ ଓ ସପକ୍ଷରେ ଦୁଇଟି ଭୋଟ ମିଳିଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ରମେଶ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ଏଥିପାଇଁ ରାୟଗଡ଼ା ପୌରପରିଷଦ କାର୍ଯ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ୨୦୨୫ ନଭେମ୍ବର ୨୪ରେ ଗଣତି ସରିଥିଲା। ତେବେ ଗଣତି ପରେ ଫଳାଫଳ ଘୋଷଣା ଉପରେ ରୋକ ଲଗାଇଥିଲେ ହାଇକୋର୍ଟ। ଏହାପରେ ଗତ ଫେବୃଆରୀ ୨୩ରେ ରୋକ ହଟାଇବା ସହିତ ଫଳାଫଳ ଘୋଷଣା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ ରାୟ ପ୍ରକାରେ ଆଜି ପୌରପରିଷଦ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କରାଯାଇଛି। ହାଇକୋର୍ଟ ନିର୍ଦ୍ଦେଶ ନ ଦେବା ପର୍ଯ୍ୟନ୍ତ ଘୋଷଣା ହେବ ନାହିଁ ବୋଲି ନିର୍ବାଚନ ଅଧିକାରୀ ତଥା ରାୟଗଡ଼ା ଉପଜିଲାପାଳ ଜେନା ନଭେମ୍ବର ୨୪ରେ ସୂଚନା ଦେଇଥିଲେ। ଆଜି ଟ୍ରେଜେରୀରେ ରଖାଯାଇଥିବା ଗଣତି ଫାଇଲ ନେଇ ଉପଜିଲାପାଳ ପୌରପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଅନାସ୍ଥା ଆଣିଥିବା ସମସ୍ତ କାଉନସିଲର ଉପସ୍ଥିତିରେ ଉକ୍ତ ଫାଇଲ ଓ ପ୍ୟାକେଟ ଖୋଲିବା ସହ ଘୋଷଣା କରିଥିଲେ। ଗଣତି ପାଇଁ କାଉନସିଲରମାନେ ଉପସ୍ଥିତ ରହିଛନ୍ତି। ଗଣତି ପ୍ରକୋଷ୍ଠରେ ଉପଜିଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହାକୁ ନେଇ ଆଜି ଉତ୍କଣ୍ଠା ଲାଗିଥିଲା। ପୌରପରିଷଦ କାର୍ଯ୍ୟାଳୟରେ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ପ୍ରକାଶ ଥାଉକି, ପୂର୍ବତନ ଏମ୍ପି ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲାପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ଅନେକ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ରାୟଗଡ଼ା ପୌରପରିଷଦର ୧୯ ଜଣ କାଉନସିଲର ଏକକାଳୀନ ବିଜେଡ଼ି ଛାଡ଼ିଥିଲେ। ଏହାପରେ ରାୟଗଡ଼ା ପୌରପରିଷଦର ୨୪ ଜଣ କାଉନସିଲରଙ୍କ ମଧ୍ୟରୁ ବିଜେଡି ୧୯ ଜଣ କାଉନସିଲର କାର୍ଯ୍ୟରେ ଅସହଯୋଗ ଓ ମନମୁଖୀ କାର୍ଯ୍ୟକଳାପ ନେଇ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏନେଇ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଇଥିଲେ। ଏହାପରେ ବିଧିବଦ୍ଧ ଭାବେ ପ୍ରକ୍ରିୟା କରାଯାଇ ଅକ୍ଟୋବର ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ଏଥିରେ ବିଜେଡି ୨୦ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟିଂ କରିଥିଲେ। ତେବେ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ଦ୍ୱାରା ହାଇକୋର୍ଟରେ ଅନାସ୍ଥା ବିରୋଧରେ ହୋଇଥିବା ଆବେଦନ ପ୍ରକାରେ ହାଇକୋର୍ଟ ଗଣତି ଉପରେ ରହିତାଦେଶ ଜାରି କରିଥିଲେ। ହାଇକୋର୍ଟ ବିଚାରପତି ଏହାର ଶୁଣାଣି କରି ଗଣତି ହୋଇପାରିବ ଏବଂ ଫଳାଫଳ ନୋଟିଫିକେଶନ ଜାରି କରାଯାଇପାରିବ ନାହିଁ ବୋଲି ରାୟ ଦେଇଥିଲେ। ଫଳାଫଳ ଘୋଷଣା ପରେ କାଉନସିଲର ଓ ସେମାନଙ୍କ ସମର୍ଥକ ବିଜୟ ଉତ୍ସବ ପାଳନ କରିଥିଲେ। ବାଣ ଫୁଟାଇ ଚାଲି ଚାଲି ଯାଇଥିଲେ। ସମସ୍ତ ଶ୍ରେୟ ଭାସ୍କର ରାଓଙ୍କୁ ଦେଇଥିଲେ। ଫଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାରିଥିବା ଚର୍ଚ୍ଚା ହେଉଛି। ଏଣେ ଆଜି ଫଳାଫଳ ଘୋଷଣା ବେଳେ ବିଜେଡି ପକ୍ଷରୁ କେହି ଉପସ୍ଥିତ ନ ଥିଲେ।

