Categories: ଅପରାଧ

ଦ୍ୱିତୀୟଥର କନ୍ୟା ସନ୍ତାନ ହେବାରୁ ୪ ବର୍ଷର ଝିଅକୁ କାନ୍ଥରେ ପିଟି ହତ୍ୟା କଲା ମା’

ଲୁଧିଆନା, ୧୮।୧୦: ପଞ୍ଜାବର ଲୁଧିଆନାରୁ ଚକିତ କଲାଭଳି ଏକ ମାମଲା ସାମ୍ନାକୁ ଆସିଛି। ଜଣେ କଳିଯୁଗୀୟ ମା’ ଦ୍ୱିତୀୟଥର କନ୍ୟା ସନ୍ତାନ ଜନ୍ମ କରିବାରୁ ଚିନ୍ତାରେ ପଡ଼ିଯାଇଥିଲେ। ଏହାପରେ ସେ ନିଜର ୪ ବର୍ଷର ବଡ଼ ଝିଅକୁ ଗାଧୁଆ ଘର କାନ୍ଥରେ ପିଟି ହତ୍ୟା କରିଦେଇଥିଲେ। ପୋଲିସ ଏହି ଘଟଣାରେ ମହିଳାଙ୍କୁ ଗିରଫ କରିଛି।
ଜଣାପଡ଼ିଛି ଯେ, ବିହାରର ଟିଙ୍କୁ ଯାଦବ ଲୁଧିଆନାର ସଲେମ ତାବରୀ ଅଞ୍ଚଳରେ ରୁହନ୍ତି। ନିକଟରେ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏଥିପୂର୍ବରୁ ପ୍ରିୟଙ୍କାଙ୍କ ୪ ବର୍ଷର ଏକ ଝିଅ ଥିଲା। ତେଣୁ ଦ୍ୱିତୀୟଥର ଝିଅ ହେବାରୁ ସେ ନିରାଶ ହୋଇଥିଲେ। ଶନିବାର ପ୍ରିୟଙ୍କା ବଡ଼ ଝିଅକୁ ଗାଧୋଇବା ଲାଗି ବାଥ୍‌ରୁମ୍‌କୁ ନେଇଥିଲେ। ଯେଉଁଠାରେ ସେ ଝିଅର ମୁଣ୍ଡକୁ ଧରି କାନ୍ଥରେ ବାରମ୍ବାର ପିଟିବାରେ ଲାଗିଥିଲେ। ଏହି ସମୟରେ ଝିଅର କାନ୍ଦ ଶୁଣି ଟିଙ୍କୁ ଯାଦବ ବାଥରୁମ୍‌ରେ ପହଞ୍ଚି ଯାଇଥିଲେ। ସେଠାରେ ସେ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ସେ ଗୁରୁତର ଅବସ୍ଥାରେ ଝିଅକୁ ଧରି ହସ୍ପିଟାଲ ଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଏହି ଘଟଣାରେ ଅଭିଯୁକ୍ତା ପ୍ରିୟଙ୍କାଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।