ଘନ ଘନ ବଦ୍ୟୁତ କାଟ୍‌ ପ୍ରତିବାଦରେ ଦେବଗଡ ଜିଲା କଂଗ୍ରେସର ବିକ୍ଷୋଭ

ଦେବଗଡ,୨୮।୬(ଶଶାଙ୍କ ଶେଖର ଝାଙ୍କର): ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘନଘନ ବିଦ୍ୟୁତ କାଟ ଯୋଗୁଁ ଦେବଗଡ ଜିଲାବାସୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହୋଇଥିବା ବେଳେ ବର୍ଷା ଦିନ ଆରମ୍ଭରେ ପୁଣି ଏହାର ପୁନରାବୃତ୍ତି ଘଟିଛି। ସାମାନ୍ୟ ପବନ କିମ୍ବା ବର୍ଷା ହେଲେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ କାଟ କରାଯାଉଛି । ଏପରିକି ଦାୟିତ୍ୱହୀନ ଟିପିଡବ୍ଲୁଓଡିଏଲ ର୍କତ୍ତୃପକ୍ଷ ବିନା ବର୍ଷା ପବନରେ ମଧ୍ୟ ସମଗ୍ର ଜିଲାରେ ବିଦ୍ୟୁତ କାଟ କରିବାକୁ ପଛାଉ ନ ଥିବା ବେଳେ ଲୋ ଭୋଲଟେଜ ସମସ୍ୟା ଏବଂ ଦେୟ ବୃଦ୍ଧି ଜିଲାବାସୀଙ୍କୁ ଚିନ୍ତାରେ ପକାଇଛି ।

ଏଭଳି ପରିସ୍ଥିତିରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହି ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଭାବେ ଆଖି ବୁଜି ଦେଇଛନ୍ତି ବୋଲି ଆଜି ଦେବଗଡ ଜିଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିସହ ଟିପିଡବ୍ଲୁଓଡିଏଲର ଏଭଳି ମନମାନୀ ବରୋଧରେ ଜିଲା କଂଗ୍ରେସ ପକ୍ଷରୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମୁହ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମଙ୍ଗଳବାର ଦେବଗଡ ଜିଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ବିଭିନ୍ନ ସରକାର ବିରୋଧୀ ସ୍ଲୋଗାନ ଦେଇ ସ୍ଥାନୀୟ ଟିପିଡବ୍ଲୁଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିି ସମୁହ ଧାରଣାରେ ବସିଥିଲେ । ଏଥିସହ ଟିପିଡବ୍ଲୁଓଡିଏଲ କର୍ତ୍ତୃପକ୍ଷ ଯଦି ଯଦି ଏଭଳି ଆଚରଣରୁ କ୍ଷାନ୍ତ ନ ହୁଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି।