ବସ୍‌ଷ୍ଟାଣ୍ଡ ପାଇଁ ବଜାର ଉଚ୍ଛେଦ

ପରଜଙ୍ଗ, ୨୬ା୧୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ପୂର୍ବରୁ ଏଥିଲାଗି ନୋଟିସ୍‌ ଜାରି କରାଯାଇଥିବାବେଳେ ଶନିବାର ବିଧିବଦ୍ଧ ଭାବେ ଦୋକାନ ଭଙ୍ଗାଯାଇଛି। ତେବେ କ୍ଲବ ନାମରେ ଚାଲିଥିବା ଦୁଇମହଲା ବିଶିଷ୍ଟ ଏକ ବଡ଼ ଦୋକାନକୁ ଉଚ୍ଛେଦରୁ ବାଦ୍‌ ଦେବାକୁ ପ୍ରଶାସନ ମସୁଧା କରୁଥିବା ବ୍ୟବସାୟୀମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ୪ ଘଣ୍ଟାର ବୁଝାଶୁଝା ପରେ ଦୋକାନ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା।
ପରଜଙ୍ଗର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ମୁଖ୍ୟ ବଜାରର ଗୋଟିଏ ପାର୍ଶ୍ୱରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିଲାଗି ୨୪ ତାରିଖ ସୁଦ୍ଧା ଦୋକାନ ଘର ଖାଲି କରିବାକୁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ସରକାରୀ ଛୁଟି ସତ୍ତ୍ୱେ ତହସିଲଦାର ଖଗେଶ୍ୱର ପାତ୍ରଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ସଞ୍ଜୟ ମାଝି, କାମାକ୍ଷାନଗର ଆଇଆଇସି ସୁନୀଲ କୁମାର କର, ପରଜଙ୍ଗ ଥାନାର ପୋଲିସ ଫୋର୍ସ ଶନିବାର ସକାଳେ ବଜାର ଭାଙ୍ଗିବା ପାଇଁ ଜେସିବି ନେଇ ଆସିଥିଲେ। ଅନ୍ୟ ସମସ୍ତ ଦୋକାନୀ ପୂର୍ବରୁ ସାମଗ୍ରୀ ଖାଲି କରିଦେଇଥିବାବେଳେ କ୍ଲବ ନାମରେ ଚାଲିଥିବା ଦୋକାନର ଜିନିଷ ଖାଲି କରି କରାଯାଇ ନ ଥିଲା। ଉକ୍ତ ଦୋକାନକୁ ଉଚ୍ଛେଦ ପ୍ରକ୍ରିୟାରୁ ବାଦ୍‌ ଦେବାକୁ ପ୍ରଶାସନ ମସୁଧା କରୁଥିବା ଅନ୍ୟ ବ୍ୟବସାୟୀମାନେ ଅଭିଯୋଗ ଆଣିଥିଲେ। ଫଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ୪ଘଣ୍ଟା ଧରି ବୁଝାଶୁଝା କରିବା ପରେ ସମ୍ପୃକ୍ତ ଦୋକାନୀ ସାମଗ୍ରୀ ବାହାର କରିଥିଲେ। ଏହାପରେ ଦୋକାନ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। କ୍ଲବର ଅବଶିଷ୍ଟ ଅଂଶ ରବିବାର ଭଙ୍ଗା ନ ଗଲେ ରାସ୍ତାରୋକୋ କରାଯିବ ବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି।
ଅନ୍ୟପଟେ ଉଚ୍ଛେଦ ପରେ ୩୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ପରିବାର ରୋଜଗାର ହରାଇଛନ୍ତି। ତୁରନ୍ତ ସେମାନଙ୍କୁ ଥଇଥାନ ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ବଣିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।