ଅବକ୍ଷୟ ପଥେ ଗଣତନ୍ତ୍ର

ବିଶ୍ବରେ ଗଣତାନ୍ତ୍ରିକ ପଦ୍ଧତିକୁ ଶାସନ ବ୍ୟବସ୍ଥାର ଶ୍ରେଷ୍ଠ ପଦ୍ଧତି ଭାବେ ବିବେଚନା କରାଯାଏ। ଗଣତନ୍ତ୍ରର ସବୁଠାରୁ ଅଧିକ ଗ୍ରହଣୀୟତା ଏଥିପାଇଁ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ କୌଣସି ଦୂରତା ନ ଥାଏ॥ ଉଭୟଙ୍କ ମଧ୍ୟରେ ବିଶ୍ୱାସ ଏବଂ ସ୍ବଚ୍ଛତାର ସମ୍ପର୍କ ଏହାକୁ ପରିପୁଷ୍ଟ କରିଥାଏ॥ ଗଣତନ୍ତ୍ରରେ ଲୋକମାନଙ୍କୁ ସେମାନଙ୍କର ସରକାର ବାଛିବାର ଅଧିକାର ଅଛି। ଯଦି ନିର୍ବାଚିତ ସରକାର ସେମାନଙ୍କ କାର୍ଯ୍ୟଶୈଳୀରେ ଭୁଲଭଟକା କରନ୍ତି ବା ଜନସାଧାରଣଙ୍କ ଇଚ୍ଛା ବିରୋଧରେ କାର୍ଯ୍ୟ କରନ୍ତି ତେବେ ଲୋକମାନେ ପରବର୍ତ୍ତୀ ନିର୍ବାଚନରେ ତାଙ୍କୁ ବରଖାସ୍ତ କରି ନୂତନ ସରକାର ଗଠନ କରିବାରେ ସଫଳ ହୁଅନ୍ତି। ଅନ୍ୟ ଯେକୌଣସି ଶାସନ ବ୍ୟବସ୍ଥା ଅପେକ୍ଷା ଗଣତନ୍ତ୍ରରେ ଅଧିକ ବାକ ସ୍ବାଧୀନତା ଥାଏ। ଜନସାଧାରଣ ଗଣତନ୍ତ୍ରରେ ଖୋଲାଖୋଲି ଭାବରେ ସେମାନଙ୍କର ମତ ପ୍ରକାଶ କରିପାରନ୍ତି। ଗଣତନ୍ତ୍ର ଏକ ଉତ୍ତମ ଶାସନ ବ୍ୟବସ୍ଥା, ଯେଉଁଥିରେ ବ୍ୟକ୍ତିଗତ ମର୍ଯ୍ୟାଦା ଏବଂ ସମାନତାକୁ ବଜାୟ ରଖାଯାଏ। ନାଗରିକମାନଙ୍କୁ ନିଷ୍ପତ୍ତି ଗ୍ରହଣରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଏ। ଭୁଲ୍‌ ସଂଶୋଧନ କରାଯାଏ, ଶାନ୍ତିପୂର୍ଣ୍ଣ ଭାବରେ ଦ୍ୱନ୍ଦ୍ୱ ସମାଧାନ ହୁଏ ଏବଂ ନିୟମିତ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ମାଧ୍ୟମରେ ସରକାର ଗଠନ କରାଯାଏ। ଗଣତନ୍ତ୍ର ଏକ ବୈଧ ସରକାରକୁ ପ୍ରତିଷ୍ଠିତ କରେ, ଯାହା ଦେଶର ବିକାଶ ତଥା ନାଗରିକଙ୍କ ଆବଶ୍ୟକତା ଏବଂ ଇଚ୍ଛା ପ୍ରତି ଯତ୍ନଶୀଳ ହୋଇଥାଏ। କିନ୍ତୁ ବିଡ଼ମ୍ବନା ହେଉଛି ଯେ ଗତ କିଛି ବର୍ଷ ମଧ୍ୟରେ ବିଶ୍ୱ ସ୍ତରରେ ଗଣତନ୍ତ୍ରର ଏହି ରୂପ ନିରନ୍ତର ଦୁର୍ବଳ ହେବାରେ ଲାଗିଛି। ଏହି ଅବନତି କେବଳ ରାଜନୈତିକ ପ୍ରତିଷ୍ଠାନ ମଧ୍ୟରେ ସୀମିତ ନୁହେଁ, ବରଂ ଗଣମାଧ୍ୟମର ସ୍ବାଧୀନତା, ନ୍ୟାୟପାଳିକାର ନିରପେକ୍ଷତା, ନାଗରିକ ଅଧିକାର ଏବଂ ସ୍ବଚ୍ଛ ନିର୍ବାଚନ ଭଳି ଗଣତନ୍ତ୍ରର ମୌଳିକ ସ୍ତମ୍ଭ ଉପରେ ମଧ୍ୟ ବହୁତ ଚାପ ସୃଷ୍ଟି କରିଛି। ଷ୍ଟକ୍‌ହୋମସ୍ଥିତ ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଫର୍‌ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ (ଆଇଡିଏ) ଦ୍ୱାରା ସମ୍ପ୍ରତି ପ୍ରକାଶିତ ଗ୍ଲୋବାଲ ଷ୍ଟେଟ୍‌ ଅଫ୍‌ ଡେମୋକ୍ରାସି-୨୦୨୫ ରିପୋର୍ଟ, ଗଣତନ୍ତ୍ରର ଏହି ଅବକ୍ଷୟର ଗମ୍ଭୀରତାକୁ ଉଜାଗର କରିଛି।
୧୭୩ଟି ଦେଶର ବିଶ୍ଳେଷଣରୁ ଜଣାପଡିଛି ଯେ ୯୪ଟି ଦେଶ, ଅର୍ଥାତ୍‌ ଅଧାରୁ ଅଧିକ ଦେଶରେ ଅତି କମ୍‌ରେ ଗୋଟିଏ ଗଣତାନ୍ତ୍ରିକ ସୂଚକାଙ୍କରେ ହ୍ରାସ ପରିଲକ୍ଷିତ ହୋଇଛି। ବିଶ୍ୱସନୀୟ ନିର୍ବାଚନର ଅଭାବ ଏବଂ ସଂସଦୀୟ ନିଷ୍କ୍ରିୟତା ଭଳି ଧାରା ଗଭୀର ଚିନ୍ତାର ବିଷୟ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଆଫ୍ରିକା ଏବଂ ୟୁରୋପରେ ଏହି ହ୍ରାସ ଚିନ୍ତା ଉଦ୍ରେକକାରୀ। ସେହି ସମୟରେ ପ୍ରେସ୍‌ର ସ୍ବାଧୀନତା ଭଳି ଗଣତନ୍ତ୍ରର ମୌଳିକ ସ୍ତମ୍ଭରେ ଏକ ଅଭୂତପୂର୍ବ ହ୍ରାସ ରେକର୍ଡ କରାଯାଇଛି। ଏହା ଗତ ୫୦ ବର୍ଷ ମଧ୍ୟରେ ସବୁଠାରୁ ବଡ ହ୍ରାସ। ୪୩ଟି ଦେଶରେ ସାମ୍ବାଦିକତା ଉପରେ ପ୍ରତିବନ୍ଧକ ବୃଦ୍ଧି ପାଇଛି, ଯାହାର ଉଦାହରଣ ଆଫଗାନିସ୍ତାନ, ମ୍ୟାନ୍‌ମାର ଏବଂ ଦକ୍ଷିଣ କୋରିଆ ଭଳି ଦେଶ। ଆମେରିକା ଭଳି ଦେଶ, ଯାହାକୁ ଦୀର୍ଘ ସମୟ ଧରି ଗଣତନ୍ତ୍ରର ମଡେଲ ଭାବରେ ବିବେଚନା କରାଯାଉଥିଲା, ଏବେ ସେମାନଙ୍କ ନିଜସ୍ବ ମାନଦଣ୍ଡରୁ ପଛକୁ ହଟି ଯାଉଥିବା ଦେଖାଯାଉଛି। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ତଥା ଏହାକୁ ଜୀବନ୍ତ ରଖିବା ପାଇଁ କେବଳ ନିର୍ବାଚନରେ ଭୋଟ ଦେବା, ନିରନ୍ତର ତଦାରଖ, ପ୍ରତିବାଦ ଏବଂ ସଂସ୍କାର ଦାବି କରିବା ଯଥେଷ୍ଟ ନୁହେଁ। ଗଣତନ୍ତ୍ରର ଅବକ୍ଷୟକୁ ରୋକିବା ପାଇଁ କେବଳ ସମାଲୋଚନାର ଆବଶ୍ୟକତା ନୁହେଁ, ବରଂ ସକ୍ରିୟ ଜନସଚେତନତା ଏବଂ ଗଣ ଆନ୍ଦୋଳନର ଆବଶ୍ୟକତା ଅଛି, ଯାହା ଗଣତନ୍ତ୍ରକୁ ତାହାର ମୂଳ ଉଦ୍ଦେଶ୍ୟକୁ ଫେରାଇ ନେଇପାରିବ। ଗଣତନ୍ତ୍ର କେବଳ ଅନୁଷ୍ଠାନରୁ ନୁହେଁ ବରଂ ଜନ ଅଂଶଗ୍ରହଣରୁ ଜୀବନ ପାଏ ଓ ସୁଦୃଢ ହୁଏ। ନାଗରିକ, ଗଣମାଧ୍ୟମ, ବୁଦ୍ଧିଜୀବୀ, ଶିକ୍ଷକ, ଛାତ୍ର ଏବଂ ସମାଜର ପ୍ରତ୍ୟେକ ବର୍ଗକୁ ବୁଝିବାକୁ ପଡିବ ଯେ ଗଣତନ୍ତ୍ରକୁ ସୁରକ୍ଷା ଦେବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ। ସମ୍ବିଧାନ, ଅନୁଷ୍ଠାନ ଏବଂ ଅଭିବ୍ୟକ୍ତିର ସ୍ବାଧୀନତାକୁ ସୁରକ୍ଷା ଦେବା ପାଇଁ ଜନସାଧାରଣଙ୍କୁ ଏକଜୁଟ ହେବାକୁ ପଡିବ। ଗଣତନ୍ତ୍ରକୁ କେବଳ ସଚେତନ ନାଗରିକଙ୍କ ଆବଶ୍ୟକତା ନୁହେଁ , ବରଂ ସମ୍ବେଦନଶୀଳ ଏବଂ ସାହସୀ ନାଗରିକଙ୍କ ଆବଶ୍ୟକତା ଅଛି। ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ – ଏହା ଏକ ନିରନ୍ତର ପ୍ରକ୍ରିୟା, ଯେଉଁଥିରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ର ସେଇଠି ସଫଳ ହୁଏ ଯେଉଁଠାରେ ନାଗରିକ ଶିକ୍ଷିତ ଓ ସଚେତନ ହୋଇଥାଏ।
ଯଦି ଆମେ ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହୁଁ, ତେବେ ଆମକୁ ଆମର ସ୍ବାଧୀନତା, ଅଧିକାର ଏବଂ ସ୍ବାଭିମାନକୁ ଅକ୍ଷୁଣ୍ଣ ରଖିବା ଆବଶ୍ୟକ। ସାମଗ୍ରିକ ଭାବରେ କୁହାଯାଇପାରେ ଯେ ଆଜି ଗଣତାନ୍ତ୍ରିକ ଶକ୍ତି ହ୍ରାସ ଯୋଗୁ ଏକଚ୍ଛତ୍ରବାଦ ବୃଦ୍ଧି ପାଉଛି। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆକ୍ରମଣ ହେଉଛି। ନିର୍ବାଚନୀ କାର୍ଯ୍ୟକଳାପ ଠିକ୍‌ ଭାବରେ ପରିଚାଳିତ ହେଉନାହିଁ। ସର୍ବାଧିକ ଭୋଟ ପାଇବା ପରିବର୍ତ୍ତେ ଭୋଟ ବିଭାଜନ କରି ନିର୍ବାଚନ ଜିତାଯାଉଛି। ଏପରି ପରିସ୍ଥିତିରେ ନିର୍ବାଚନ ଜିତିବା ପାଇଁ ବଡ଼ ବଡ଼ ରାଜନୈତିକ ବିଶେଷଜ୍ଞଙ୍କ ସାହାଯ୍ୟ ନିଆଯାଉଛି। ନାଗରିକଙ୍କୁ କଳେବଳେ କୌଶଳେ ପ୍ରଭାବିତ କରାଯାଉଛି। ଗଣତନ୍ତ୍ରକୁ ଫମ୍ପା କରିବାରେ ଏହି ନିର୍ବାଚନ ପଦ୍ଧତିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ବର୍ତ୍ତମାନ ୩୦୦ ନିୟୁତରୁ ଅଧିକ ଲୋକ ସେମାନଙ୍କ ନିଜ ଦେଶ ବାହାରେ ବାସ କରୁଛନ୍ତି। ୧୯୭୦ ପରଠାରୁ ଏହି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଏହି ନାଗରିକଙ୍କର ରାଜନୈତିକ ଅନ୍ତର୍ଭୁକ୍ତି ତଥା ଗଣତାନ୍ତ୍ରିକ ଓ ନାଗରିକ ଅଧିକାର ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦେଶରେ ରହୁଥିବା ନାଗରିକଙ୍କ ପାଇଁ ଭୋଟଦାନ ଅଧିକାରର ବୈଷୟିକ, ଆଇନଗତ ଏବଂ ସଂସ୍ଥାଗତ ଦିଗ ଉପରେ ଧ୍ୟାନ ଦେଇ ସେମାନଙ୍କ ଭୋଟଦାନକୁ କ୍ରିୟାଶୀଳ ପୂର୍ବକ ଗଣତାନ୍ତ୍ରିକ ସ୍ଥିରତାକୁ ସୁଦୃଢ଼ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି।
ତଥାପି ଏହି ନିରାଶାଜନକ ପରିସ୍ଥିତିରେ କିଛି ଦେଶ ଆଶାର କିରଣ ହୋଇ ରହିଛନ୍ତି। ବୋଟସୱାନା ଏବଂ ଦକ୍ଷିଣ ଆଫ୍ରିକା ପରି ଆଫ୍ରିକୀୟ ଦେଶଗୁଡ଼ିକ ସ୍ବଚ୍ଛ ନିର୍ବାଚନ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି। ଡେନ୍‌ମାର୍କ, ଜର୍ମାନୀ, ନରୱେ ଏବଂ ସ୍ବିଜରଲାଣ୍ଡ ପରି ଦେଶଗୁଡ଼ିକ ଏବେ ବି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷା ଦେଉଛନ୍ତି। ଏହି ଉଦାହରଣଗୁଡ଼ିକ ବାର୍ତ୍ତା ଦିଅନ୍ତି ଯେ ଯଦି ଇଚ୍ଛାଶକ୍ତି ଥାଏ, ତେବେ ଗଣତନ୍ତ୍ରକୁ ସୁଦୃଢ଼ କରିବା ସମ୍ଭବ। ନିର୍ମଳ ଚରିତ୍ର, କର୍ତ୍ତବ୍ୟନିଷ୍ଠା, ସାଧୁତା, ନିରପେକ୍ଷତା, ତିତିକ୍ଷା,ସେବା ମନୋବୃତ୍ତି, ଦୁର୍ନୀତିହୀନତା ଆଦି ନାନା ଗୁଣ ଗଣତନ୍ତ୍ର ଶାସନକୁ କରିଥାଏ ସୁଦୃଢ। ଗଣତନ୍ତ୍ର ଦୁର୍ବଳ ହେବାର ଅନେକ କାରଣ ଅଛି – କ୍ଷମତା ପ୍ରତି ଲାଳସା, ପ୍ରତିଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରିବାର ପ୍ରବୃତ୍ତି, ଗଣମାଧ୍ୟମକୁ ଦମନ କରିବାର ପ୍ରୟାସ ଏବଂ ନାଗରିକଙ୍କ ଉଦାସୀନତା। କିନ୍ତୁ ଏହା ସହିତ ଲଢ଼ିବା ପାଇଁ ଆମ ପାଖରେ ଏକ ସମାଧାନ ମଧ୍ୟ ଅଛି, ତାହା ହେଉଛି ଏକ ସଚେତନ, ସକ୍ରିୟ ଏବଂ ସଂଗଠିତ ନାଗରିକ ସମାଜ। ଜନ ଅଂଶଗ୍ରହଣ, ପ୍ରଶ୍ନ ପଚାରିବାର ସଂସ୍କୃତି ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଆନୁଗତ୍ୟ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ। ଶୃଙ୍ଖଳିତ ଏବଂ ପରିମାର୍ଜିତ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ ଶାସନ ପଦ୍ଧତି। ଯେପର୍ଯ୍ୟନ୍ତ ଜନସାଧାରଣ ନିଜେ ଗଣତନ୍ତ୍ର ବିଷୟରେ ସଚେତନ ଏବଂ ଜାଗ୍ରତ ନ ହୁଅନ୍ତି, କୌଣସି ବ୍ୟବସ୍ଥା ଏହାକୁ ରକ୍ଷା କରିପାରିବ ନାହିଁ।

ପ୍ରକାଶ ତ୍ରିପାଠୀ
ମୋ: ୯୪୩୭୨୩୨୪୬୩

 

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri