ନିଯୁକ୍ତି ଦାବିରେ ସ୍ଥାନୀୟ ଯୁବକଙ୍କ ଧାରଣା

ପାଟଣା,୨୭ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥର ଖିରେଇଟାଙ୍ଗିରି ଟୋଲଗେଟ୍‌ ସମ୍ମୁଖରେ ଗୁରୁବାର ସ୍ଥାନୀୟ ଯୁବକ ଧାରଣା ଦେଇଛନ୍ତି । କିଛି ସମୟ ପାଇଁ ଉତ୍ତ୍ୟକ୍ତ ଯୁବକ ରାସ୍ତା ଅବରୋଧ କରିଥିଲେ। ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟରେ ରଖି ସ୍ଥାନୀୟ ଥାନାଧିକାରୀ ମଦନ ମୋହନ ନାଏକଙ୍କ ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଉକ୍ତ ଟୋଲ୍‌ଗେଟ୍‌କୁ ଲିଜ୍‌ ଆକାରରେ ସୁରେନ୍ଦ୍ର କୁମାର ଶୁକ୍ଳା ନାମକ ଏକ ଠିକା କମ୍ପାନୀ ନେଇଥିବା ବେଳେ ଉକ୍ତ କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ଟୋଲ୍‌ଗେଟରେ ନିଯୁକ୍ତି ନ ଦେଇ ବାହାର ଯୁବକଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ କରି ସ୍ଥାନୀୟ ଯୁବକମାନେ ଧାରଣା ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ସ୍ଥାନୀୟ ଯୁବକଙ୍କୁ ଉକ୍ତ ଟୋଲ୍‌ଗେଟ୍‌ରେ ନିଯୁକ୍ତି ଦେବା ପାଇଁ ଖିରେଇଟାଙ୍ଗିରିର ଆଖପାଖ ଅଞ୍ଚଳର ଯୁବକମାନେ ଦାବି କରି ଆସୁଥିଲେ। ଟୋଲଗେଟ୍‌ କର୍ତ୍ତୃପକ୍ଷ ବାହାର ଅଞ୍ଚଳ ପିଲାଙ୍କୁ ନିଯୁକ୍ତି ଦେଇ ଟୋଲ୍‌ ଆଦାୟ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଟୋଲ୍‌ଗେଟ୍‌ ସମ୍ମୁଖରେ ସ୍ଥାନୀୟ ଯୁବକମାନେ ଧାରଣା ଦେଇଛନ୍ତି।