ନୂଆପଡ଼ା,୨୬।୧୧ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ବ୍ଲକ ଅନ୍ତର୍ଗତ ନାଗପଡ଼ା ପଞ୍ଚାୟତ କାର୍ଯ୍ୟାଳୟଠାରେ ନୂତନ ଧାନ କ୍ରୟ କେନ୍ଦ୍ର ଖୋଲିବା ପାଇଁ ରବିବାର ଅଞ୍ଚଳବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ନାଗପଡା ଅଞ୍ଚଳର ଚାଷୀ ଏକତ୍ର ହୋଇ ଜିଲାପାଳ ମଧୁସୂଦନ ଦାଶଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ଦାସ ଡିଆର୍ସିଏସ୍ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଏହା ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ନାଗପଡା ପଞ୍ଚାୟତ ଅଞ୍ଚଳର ଚାଷୀ ଖଇରା ପ୍ରାଥମିକ କୃଷି ସମବାୟ ସମିତିଙ୍କରେ ରବି ଓ ଖରିଫ ଧାନ ବିକ୍ରୟ କରନ୍ତି ା ନାଗପଡାଠାରୁ ଖଇରା ୨୦ କିଲୋମିଟର ହେଉଥିବାରୁ ଚାଷୀ ବହୁତ ହଇରାଣ ହୋଇ ମଣ୍ଡିକୁ ଧାନ ନେଇ ବିକ୍ରୟ କରନ୍ତି। ସମୟ ସମୟେ ମଣ୍ଡିରେ ଧାନ ଉଠାଣ ନ ହେଲେ ରାତ୍ରି ଯାପନ କରିବାକୁ ପଡେ। ଗତ ଖରିଫ ଋତୁରେ ନାଗପଡାଠାରେ ଅସ୍ଥାୟୀ ମଣ୍ଡି ଖୋଲିଥିବାରୁ ଚାଷୀ ସୁବିଧାରେ ଧାନ ବିକ୍ରୟ କରିଥିଲେ। ସେହି ଅସ୍ଥାୟୀ ମଣ୍ଡିକୁ ସ୍ଥାୟୀ କରି ରବି ଓ ଖରିଫ ଧାନ କ୍ରୟ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଦାବିପତ୍ର ଦେବା ସମୟରେ ଓ୍ବାର୍ଡ ସଭ୍ୟ ପ୍ରତାପ ସିଂ ମାଝି, ଜଗଦୀଶ ମାଝି, କମଳ ମାଝି, ନାକୁଳ ମାଝି, ହିରାସିଂ ମାଝି, ଉଗ୍ରେସନ କଟା, ମୀନକେତନ ଦୁରିଆ, ଚୈତନ୍ୟ ମାଝି, ଥବିର ମାଝି, ବ୍ରଜରାଜ ମାଝି, ସୁମନ୍ତ ମାଝି ପ୍ରମୁଖ ଉପସ୍ଥିତ ଥିଲେ।


