ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଧର୍ମଗଡ, ଜୁନାଗଡ, ଜୟପାଟଟଣା, କଲମପୁର, ଗୋଲାମୁଣ୍ଡା ଆଦି ଅଞ୍ଚଳରେ ହାତୀ ଓ ତେଲ ନଦୀ କୂଳରେ ବ୍ୟାପକ ପରିମାଣରେ ଆଖୁଚାଷ ହୋଇଛି। ପୂର୍ବରୁ ଏଠାକାର ଆଖୁକୁ ଚାଷୀମାନେ ଜୁନାଗଡ ବ୍ଲକ ମଥୁରାଠାରେ ଥିବା ଚିନିକଳରେ ବିକ୍ରି କରୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଉକ୍ତ ଚିନିକଳ ବନ୍ଦ ହୋଇଯିବାରୁ ଚିନ୍ତାରେ ପଡିଥିଲେ ଆଖୁ ଚାଷୀ। ସେତେବେଳେ ଆଖୁ ବିକ୍ରି କରିବା ସହ ଅଳ୍ପ ପରିମାଣ ଗୁଡ ମଧ୍ୟ ତିଆରି କରୁଥିଲେ। ତେବେ ଧୀରେ ଧୀରେ ଗୁଡ ତିଆରି ପ୍ରତି ସେମାନଙ୍କ ଆଗ୍ରହ ବଢିଲା ଓ ବ୍ୟାପକ ପରିମାଣରେ ଗୁଡ ତିଆରି କରିବାକୁ ଲାଗିଲେ। ଗୁଡରୁ ଭଲ ରୋଜଗାର ହେବାରୁ ଆଜି ଚାଷୀମାନେ ଶହ ଶହ ଏକରରେ ଆଖୁ ଚାଷ କରି ସେଥିରୁ ଗୁଡ ତିଆରି କରୁଛନ୍ତି। ବର୍ତ୍ତମାନ ଉପରୋକ୍ତ ଅଞ୍ଚଳର ଗୁଡ଼ର ମାନ ଭଲ ଥିବାରୁ ଚାହିଦା ବେଶ ଭଲ ରହିଛି। ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ଗୁଡ ବେପାରୀମାନେ ଏହି ଅଞ୍ଚଳକୁ ଆସି ଗୁଡ ନେଇଯାଉଛନ୍ତି। ଏହାଦ୍ୱାରା କଳାହାଣ୍ଡିର ଗୁଡ ବ୍ୟବସାୟୀ ଭଲ ରୋଜଗାର କରୁଥିବା ପ୍ରକାଶ କରିଛନ୍ତି।
ଜିଲାରେ ଆଖୁ ଚାଷୀ ବିଶେଷ କରି ଜାନୁଆରୀ, ଫେବୃଆରୀ ମାସରେ ଗୁଡ ତିଆରି କରିଥାନ୍ତି। ସେମାନେ ପ୍ରଥମେ ଆଖୁକୁ କାଟି କିଆରିରେ ଏକ ଅସ୍ଥାୟୀ କୁଡିଆ ନିର୍ମାଣ କରି ଆରମ୍ଭ କରିଥାନ୍ତି ଗୁଡତିଆରି ପ୍ରକ୍ରିୟା। ଆଖୁକୁ ଘାଣି ସାହାଯ୍ୟରେ ପେଷି ସେଥିରେ ବାହାରୁଥିବା ରସକୁ ଏକ ବଡ କଡେଇରେ ଘଣ୍ଟା ଘଣ୍ଟା ଧରି ସିଝାଇବା ପରେ ସେଥିରୁ ବାହାରିଥାଏ ଲେସା ଗୁଡ। ପରେ ସେହି ପାଣିଆ ଗୁଡ ଥଣ୍ଡା ହେଲା ପରେ ତିଆରି କରିଥାନ୍ତି ଭେଲା ଗୁଡ। ଏହି ରସରୁ ସେମାନେ ଲେସାଗୁଡ, ଚକି ଗୁଡ, ଭେଲାଗୁଡ, ସରଗୁଡ, ଲେଖାଗୁଡ ଆଦି ତିଆରି କରିଥାନ୍ତି। ସେହି ଗୁଡକୁ ମାଟି ହାଣ୍ଡିରେ ରଖି ବର୍ଷ ତମାମ ବିକ୍ରି କରି ନିଜ ଜିବୀକା ନିର୍ବାହ କରିଥାନ୍ତ। ବର୍ତ୍ତମାନ ଜିଲାରେ ଗୁଡ କିଲୋ ପିଛା ୧୦୦ ଟଙ୍କା ରହିଥିବା ବେଳେ ଏହି ଗୁଡରୁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଗୁଡ ବ୍ୟବସାୟୀ। ପୂର୍ବରୁ ଏହି ଗୁଡ ଜିଲାର ବିଭିନ୍ନ ବଜାରରେ ବିକ୍ରି ହୋଇଆସୁଥିବା ବେଳେ ସ୍ବାଦ ଓ ଉନ୍ନତ ମାନ ପାଇଁ ବର୍ତ୍ତମାନ ରାଜ୍ୟ ବାହାରକୁ ରପ୍ତାନୀ ହେଉଛି। ଏଥିପାଇଁ ଆଖୁ ଚାଷ ପ୍ରତି ବେଶ ଆଗ୍ରହ ସୃଷ୍ଟି ହେଉଥିବା ପ୍ରକାଶ କରିଛନ୍ତି ଆଖୁ ଚାଷୀ। ଏହି ଗୁଡ ତିଆରି ସମୟରେ ବ୍ୟବସାୟୀମାନେ ସେଥିରୁ ଉଖୁଡା ମଧ୍ୟ ପ୍ରସ୍ତୁତ କରିଥାନ୍ତି। ପୁଣି ଉଖୁଡାକୁ ବଜାରରେ ବିକ୍ରି କରି ମଧ୍ୟ ଭଲ ଦି ପଇସା ରୋଜଗାର କରିଥାନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଚାଷୀମାନେ ଜୈବିକ ପ୍ରଣାଳୀରେ ଚାଷ କରିଥାନ୍ତି। ଆବଶ୍ୟକ ସ୍ଥଳେ କେବଳ ଗୋବର ଖତ ହିଁ ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି। ଚିନି କଳ ବନ୍ଦ ହେବା ପରେ ଏକଦା ଆଖୁ ଚାଷ ପ୍ରତି ବିମୁଖ ହୋଇଥିବା ଚାଷୀ ବର୍ତ୍ତମାନ ପୁଣି ଏହି ଚାଷ ପ୍ରତି ଆଗ୍ରହ ବଢାଉଥିବା ଦେଖିବାକୁ ମିଳିଛି। ତେବେ ସରକାରୀ ସ୍ତରରେ ଗୁଡର ବିକ୍ରି ବ୍ୟବସ୍ଥା କରାଗଲେ ବ୍ୟବସାୟୀମାନେ ଆହୁରି ଲାଭବାନ ହୋଇପାରନ୍ତେ ବୋଲି ଆଖୁଚାଷୀ ପୁରୁଷୋତ୍ତମ ନାଏକ, ଶୋଭାରାମ ସତନାମୀ, ଜୟନ୍ତ ନାଏକ ପ୍ରମୁଖ ପ୍ରକାଶ କରିଛନ୍ତି।


