Categories: ବାଣିଜ୍ୟ

ଗ୍ରାମାଞ୍ଚଳରେ କାରର ଚାହିଦା ଅଧିକ

ନୂଆଦିଲ୍ଲୀ,୬।୭ : କରୋନା ମହାମାରୀ ଯୋଗୁ ସହର ତୁଳନାରେ ଗ୍ରାମାଞ୍ଚଳ କ୍ଷେତ୍ରର ସ୍ଥିତି ଉନ୍ନତ ରହିଛି। ଏହି ସମୟରେ ସହରାଞ୍ଚଳର ସ୍ଥିତି ଖରାପ ରହିଛି। ସହରରେ କରୋନା ମାମଲା ବଢି ଚାଲିଥିବା ଜଣାପଡିଛି। ଏଭଳି ବିଭିନ୍ନ କାରଣ ଲାଗି ଦେଶର ଗ୍ରାମାଞ୍ଚଳର ସ୍ଥିତି ସହର ତୁଳନାରେ ଉନ୍ନତ ରହିଛି। ଗ୍ରାମାଞ୍ଚଳରେ ଚାହିଦା ଅଧିକ ରହିଥିବା ଦେଶର ପ୍ରମୁଖ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ସୂଚନା ରହିଛି। ମାରୁତି ସୁଜୁକିର ମାର୍କେଟିଂ ଏବଂ ସେଲସ ବିଭାଗ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ, ଜୁନ୍‌ରେ ମୌସୁମୀ ଉନ୍ନତ ରହିଥିବାରୁ ଗ୍ରାମାଞ୍ଚଳ ବଜାରର ସ୍ଥିତି ଭଲ ରହିଛି। ଖରିଫ ଲାଗି କୃଷି କାର୍ଯ୍ୟ ଉନ୍ନତ ହୋଇଛି। ବର୍ତ୍ତମାନ ଗ୍ରାମାଞ୍ଚଳରେ ଚାହିଦା ସହର ତୁଳନାରେ ବେଶ୍‌ ଉନ୍ନତ ରହିଛି। ଜୁନର ମୋଟ ବିକ୍ରି ମଧ୍ୟରୁ ଗ୍ରାମୀଣ ବଜାରର ଅଂଶ ୪୦%କୁ ବଢିଛି। ଗତ ବର୍ଷ ସମାନ ଅବଧିର ପରଫରମାନ୍ସଠାରୁ ଚଳିତ ବର୍ଷ ଗ୍ରାମାଞ୍ଚଳ ବଜାର ଭଲ ପ୍ରଦର୍ଶନ କରିଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ସରକାର ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟିକୁ ଗୁରୁତ୍ୱ ଦେଉଥିବା ଜଣାପଡିଛି।

Share