ରଥଯାତ୍ରା ପୂର୍ବରୁ ବ୍ରହ୍ମପୁର-ପୁରୀ ଟ୍ରେନ ଚଳାଚଳ ଦାବି

ବ୍ରହ୍ମପୁର ଅଫିସ୍‌,୧୯।୬: ବିଭିନ୍ନ ଦାବି ନେଇ ସଂସ୍କାରବାଦୀ ଅନୁଷ୍ଠାନ ପକ୍ଷରୁ ରବିବାର ବ୍ରହ୍ମପୁର ରେଳ ଷ୍ଟେଶନରେ ଧାରଣା ଦିଆଯାଇଛି। ଏଥିସହ ସଂଘ ପକ୍ଷରୁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ଡିଭିଜନ ଡିଆର୍‌ଏମ୍‌ଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ରେଳ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିଗୁଡିକ ମଧ୍ୟରେ ବ୍ରହ୍ମପୁର-ପୁରୀ ମେମୁ ପାସେଞ୍ଜର ଟ୍ରେନ ଚଳାଚଳ, ବ୍ରହ୍ମପୁର- ବିଶାଖାପାଟଣା ପାସେଞ୍ଜର ଟ୍ରେନ ପୁନଃ ଚଳାଚଳ ପାଇଁ ସଂଘ ପକ୍ଷରୁ ଦାବି ହୋଇଛି। ଏଥିସହ ରଥଯାତ୍ରା ପୂର୍ବରୁ ବ୍ରହ୍ମପୁର- ପୁରୀ ସିଧାସଳଖ ଟ୍ରେନ ଚଳାଚଳ ନ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଚେତାବନୀ ଦିଆଯାଇଛି। ଧାରଣାରେ ସଂଘର ସଭାପତି ତ୍ରିନାଥ ମହାରଣା, ସମ୍ପାଦକ ଲଳିତ ମୋହନ ସାହୁଙ୍କ ସହ ବିନୋଦ କୁମାର ସାବତ, ବସନ୍ତ କୁମାର ନାୟକ, ସୀମାଞ୍ଚଳ ପତି, ରବିନାରାୟଣ ସାବତ, ରାମେଶ୍ୱର ଶତପଥୀ, ପ୍ରଶାନ୍ତ କୁମାର ଶତପଥୀ, ବିଜୟ କୁମାର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପାଳ, ମୋହନ ଚରଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।