ନୂଆଁଖାଇ ଛୁଟି ୩ ଦିନ ଦାବି ତେଜିଲା

ବରଗଡ଼ ଅଫିସ୍‌,୨୭।୮: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୧ରେ ପାଳନ ହେବ। ରାଜ୍ୟ ସରକାର ଏଥିପାଇଁ ସେପ୍ଟେମ୍ବର ୧ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଅନ୍ୟପଟେ ୩ଦିନ ନୂଆଁଖାଇ ଛୁଟି ଘୋଷଣା କରିବାକୁ କୋସଲ ସେନା ସମେତ ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି। ଏହି ଦାବି ନେଇ ଶୁକ୍ରବାର କୋସଲ ସେନାର କର୍ମୀମାନେ ଜିଲାପାଳଙ୍କ ଅଫିସକୁ ଆସି ଦାବି ଜଣାଇଥିଲେ। ଗତ ୨୨ତାରିଖରୁ ଏହି ଦାବି ଜଣାଇବା ସତ୍ତ୍ବେ କିଛି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ କରି ସେମାନେ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପୋଲିସ ସହିତ ବିକ୍ଷୋଭକାରୀଙ୍କ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା।
ପରେ ଜିଲାପାଳ ମୋନିଷା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚତ୍ କୋସଲ ସେନା କର୍ମୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଦାବି ନେଇ ଆର୍‌ଡ଼ିସିଙ୍କୁ ଜଣାଇ ଦେଇଥିବା କହିଥିଲେ। ଏହାସହିତ ଏକ ସ୍ମାରକପତ୍ର ମଧ୍ୟ ଗ୍ରହଣ କରିଥିଲେ। ଯଦି ଦାବି ମୁତାବକ ୩ଦିନ ନୂଆଁଖାଇ ଛୁଟି ଘୋଷଣା କରା ନ ଯାଏ, ଆସନ୍ତା ୨୯ତାରିଖରେ କୋସଲ ସେନା ନେତୃତ୍ୱରେ ରାସ୍ତା ଅବରୋଧ କରାଯିବ ବୋଲି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି। ଦେବୀ ପ୍ରସାଦ ମିଶ୍ର, ବରୁଣ ବେହେରା, ସୁଦାମ ପାତ୍ର ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ନୂଆଁଖାଇ ପଶ୍ଚିମ ଓଡ଼ିଶାବାସୀଙ୍କ ଏକ ମୁଖ୍ୟପର୍ବ। ଉକ୍ତ ପର୍ବରେ ପରିବାର ସଦସ୍ୟ ଯେଉଁଠି ଥିଲେ ମଧ୍ୟ ଘରେ ଏକାଠି ହୋଇ ନବାନ୍ନ ଭକ୍ଷଣ କରିବାର ପରମ୍ପରା ରହିଛି। ଫଳରେ ଦୂର ଦୂରାନ୍ତରରେ ଥିବା ପରିବାର ସଦସ୍ୟ ଘରକୁ ଆସିଥାନ୍ତି। ଏହି ଦୃଷ୍ଟିରୁ ନୂଆଁଖାଇ ଛୁଟିକୁ ଦିନେ ବଦଳରେ ୩ଦିନ କରିବାକୁ କୋସଲ ସେନା ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇଆସୁଛି।