ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀର ଟିକରୀ କଲାଁ ଅଞ୍ଚଳରେ ଥିବା ଏକ CNG ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛି । ଗ୍ୟାସ୍ ରିଫିଲିଂ ସମୟରେ ଏହି ଅଘଟଣ ହୋଇଥିବା ବେଳେ ବିସ୍ଫୋରଣର ଶବ୍ଦ ଦୂରଦୂରାନ୍ତ ପର୍ଯ୍ୟନ୍ତ ଶୁଣାଯାଇଥିଲା। ଏହି ଦୁର୍ଘଟଣାରେ ଏଯାବତ୍ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବିସ୍ଫୋରଣ ପରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିଥିଲେ। ଖବର ପାଇବା ମାତ୍ରେ ଦମକଳ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ପୋଲିସର ସୂଚନା ଅନୁସାରେ, ଏକ ଟ୍ରକ୍ରୁ CNG ପମ୍ପକୁ ଗ୍ୟାସ୍ ରିଫିଲିଂ କରାଯାଉଥିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏଥିରେ CNG ଭରୁଥିବା କର୍ମଚାରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବାବା ହରିଦାସ କଲୋନୀର ୨୫ ବର୍ଷୀୟ ମନୀଷ ଥିବା ଜଣାପଡ଼ିଛି। ଦୁର୍ଘଟଣାର ଖବର ଅପରାହ୍ନ ୩ଟା ୪୬ ମିନିଟ୍ରେ ଦମକଳ ବିଭାଗକୁ ଦିଆଯାଇଥିଲା। ବିସ୍ଫୋରଣ ପରେ ପମ୍ପ ପରିସରରେ ଆତଙ୍କ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକ ଓ ପୋଲିସ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ବିସ୍ଫୋରଣ ଯୋଗୁଁ ପମ୍ପ ପରିସର ସହ ଆଖପାଖର କିଛି ଢାଞ୍ଚା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି। ଏହାପରେ ଏହି CNG ଷ୍ଟେସନକୁ ତୁରନ୍ତ ବନ୍ଦ କରି ଦିଆଯାଇଛି ଏବଂ ସୁରକ୍ଷା ଦୃଷ୍ଟିରୁ ଚାରିପଟେ ସୁରକ୍ଷା ବଳୟ କରାଯାଇଛି।
ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ CNG ରିଫିଲିଂ ପାଇଁ ଆସିଥିବା ଟ୍ରକ୍କୁ ଜବତ କରିଛି । ଗ୍ୟାସ୍ ଭରିବା ସମୟରେ ହଠାତ୍ ବିସ୍ଫୋରଣ କିପରି ଘଟିଲା, ତାହାର ତଦନ୍ତ ଚାଲିଛି।