ଜାତୀୟ ରାଜପଥ ସଂପ୍ରସାରଣ ବିଳମ୍ବ ନେଇ ଉତ୍ତେଜନା

ଦାରିଙ୍ଗବାଡ଼ି,୧୭।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ସଂଯୋଗ ହୋଇଥିବା ଗୋପାଳପୁର-ରାଇପୁର ୫୯ ନଂ. ଜାତୀୟ ରାଜପଥ ସଂପ୍ରାସାରଣରେ ବିଳମ୍ବ ଏବଂ ଏହାକୁ ନେଇ ହେଉଥିବା ସମସ୍ୟାର ସମାଧାନ ପାଇଁ ଶନିବାର ସିମନବାଡ଼ିଠାରେ ରାଜପଥରେ ଠିକାସଂସ୍ଥାର ଏକାଧିକ ଗାଡ଼ିକୁ ଅଞ୍ଚଳବାସୀ ଅଟକ ରଖି ଆନ୍ଦୋଳନ କରିଥିଲେ ା ପରେ ଖବର ପାଇ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଅଟକ ରଖିଥିବା ଠିକାସଂସ୍ଥାର ଗାଡ଼ିଗୁଡ଼ିକୁ ଛାଡ଼ିବାକୁ ବିକ୍ଷୋଭକାରୀଙ୍କୁ ପରାମର୍ଶ ଦେଇଥିଲେ। ପରେ ଆନ୍ଦୋଳନକାରୀ ଠିକାସଂସ୍ଥାର ଗାଡ଼ିଗୁଡ଼ିକୁ ଛାଡ଼ି ଦେଇଥିଲେ।

ସୂଚନାଯୋଗ୍ୟ, ଦୀର୍ଘଦିନ ହେଲା ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ ସମ୍ପର୍କରେ ବିକ୍ଷୋଭକାରୀମାନେ ଆଇଆଇସିଙ୍କୁ ଅବଗତ କରିବା ପରେ ତୁରନ୍ତ ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ ପଞ୍ଚାନନ ଦାସକୁ ସିମନବାଡ଼ି ଡକାଇ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରାଇଥିଲେ। ହେଲେ ରାଜପଥର ସିମନବାଡ଼ି ବଜାର ଛକ ସଂପ୍ରସାରଣ ପାଇଁ ରାଜପଥ ବିଭାଗକୁ ଅଟକଳ ପଠାଯାଇଛି ତାହା ଅନୁମୋଦନ ପରେ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଶେଷ କରାଯିବ ବୋଲି ଠିକାସଂସ୍ଥା ପକ୍ଷରୁ କୁହାଯାଇଥିଲେ ହେଁ ଏଥିରେ ବିଳମ୍ବ ହେଉଥିଲା। ଫଳରେ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ ଅଞ୍ଚଳବାସୀ।