ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି ନୁହେଁ। ବରଂ ଅନ୍ତର୍ନିହିତ ଶକ୍ତି ହେଉଛି ତା’ର ଭାଷା, ସାହିତ୍ୟ, କଳା,ସଂସ୍କୃତି ଆଦି। ଯାହା ଉକ୍ତ ରାଷ୍ଟ୍ରର ସୃଜନଶୀଳତାର ପରିଚୟ ଦେବା ସହ ପ୍ରକୃତ ମୌଳିକତା ଓ ଅସ୍ମିତାର ବାର୍ତ୍ତା ବହନ କରେ।
କବି ଲେଖକ କିମ୍ବା କଳାକାରଟିଏ ହେବା ଆଦୌ ବଡ଼ କଥା ନୁହେଁ। ବଡ଼ କଥା ହେଉଛି ଜଣେ କବି ଲେଖକ କିମ୍ବା କଳାକାରର ଭାବକୁ ନିଜ ଭିତରେ ପ୍ରବୁଦ୍ଧ କରି ଧରି ରଖିବା। ଆମେ ଜାଣିଛେ ଯେ ଗୋଟିଏ ପବିତ୍ର ପୂଜାପାଠ କିମ୍ବା ଯଜ୍ଞ କାର୍ଯ୍ୟ କେବଳ ଧୂପ ଦୀପ ଫୁଲଫଳ କି ଘୃତ ସାକଲ୍ୟର ପାରମ୍ପରିକ ପୂଜାବିଧି ଭିତରେ ସମାହିତ ନୁହେଁ। ବାସ୍ତବରେ ଯଜ୍ଞର ଅର୍ଥ ତ ସମର୍ପଣ, ତ୍ୟାଗ ଏବଂ ସମାଜ କଲ୍ୟାଣର ଭାବ। ଠିକ୍‌ ସେହିପରି ସାହିତ୍ୟ ଓ କଳାର ସାଧନା ମଧ୍ୟ ସମାଜ କଲ୍ୟାଣର ଭିତ୍ତିଭୂମି ଉପରେ ପର୍ଯ୍ୟବସିତ। ଜଣେ କବି ଲେଖକଙ୍କ ସୃଷ୍ଟି କେତେ ସଂଖ୍ୟାରେ ପ୍ରକାଶ ପାଇଲା କିମ୍ବା କଳାକାର ଜଣକ କେତେ କ’ଣ ପୁରସ୍କାର କି ସମ୍ବର୍ଦ୍ଧନା ପାଇଲେ, ତାହା ତା’ର ସାଧନାର ପ୍ରକୃତ ମୂଲ୍ୟ ନୁହେଁ। ବରଂ ସାଧକର ସାଧନା ଅନ୍ୟ ପାଇଁ କେତେ ଅର୍ଥପୂର୍ଣ୍ଣ ଓ ନିଜେ ବଞ୍ଚୁଥିବା ସମାଜ କଲ୍ୟାଣରେ କେତେ ସମର୍ପିତ, ତାହା ହଁି ବଡ଼ କଥା। ତେଣୁ ପ୍ରତିଟି ସୃଜନଶୀଳତା ସର୍ବଦା ପବିତ୍ର ଓ ସ୍ବାର୍ଥରହିତ ହେବ, ଏହାର ନିଶ୍ଚିତତା ରହିବା ଆବଶ୍ୟକ।
ଜଣେ ସୃଜନଶୀଳ ବ୍ୟକ୍ତି ହିଁ ସୃଜନଶୀଳତାକୁ ଠିକ୍‌ ଢଙ୍ଗରେ ବୁଝିପାରେ। ଅଧିକାଂଶରେ ଯାହାକୁ ସାଧାରଣ କଳା ମାନେ କରାଯାଏ, ପ୍ରକୃତରେ ତାହା କୌଣସି ମତେ ସାଧାରଣ ନୁହେଁ ବରଂ ଅନେକ ମାନସିକତାକୁ ଅଚୀରେ ପରିବର୍ତ୍ତନ କରି ପାରୁଥିବା ବିପ୍ଳବଟିଏ ତାହାରି ଭିତରେ ଦାନା ବାନ୍ଧି ରହିଥାଏ। ଅତଏବ ସୃଜନଶୀଳ ପ୍ରତ୍ୟେକ ମଣିଷ ସାମାଜିକ ବିପ୍ଳବର ସୂତ୍ରଧର ବୋଲି ଧରିବାକୁ ହେବ। ବେଙ୍ଗଲର ବିଖ୍ୟାତ ସାରସ୍ବତ ସାଧକ ଗିରିଶ ଚନ୍ଦ୍ର ଘୋଷ ମହାପୁରୁଷ ଶ୍ରୀରାମକୃଷ୍ଣ ପରମହଂସଙ୍କ ବିଶ୍ୱସ୍ତ ଭକ୍ତ ଥିଲେ। ମୋକ୍ଷ ପ୍ରାପ୍ତିର ମୋହରେ ହିମାଳୟକୁ ଯାଇ ସେଠାରେ ତପସାଧନା କରିବେ ବୋଲି ଥରେ ନିଜ ମାଆଙ୍କୁ ଜଣାଇଥିଲେ। ଏକଥା ଶୁଣି ସେଦିନ ମାଆ ଟିକିଏ ଚିନ୍ତିତ ହେବା ସହ ପୁଅକୁ କହିଲେ ଯେ, ଜପତପ ଦ୍ୱାରା ନିଜ ଆତ୍ମାର ସିଦ୍ଧି ହୋଇପାରେ କିନ୍ତୁ ସମାଜର ସାମୂହିକ କଲ୍ୟାଣ ଯେ ତୋ ଭିତରେ ଥିବା ସୃଜନଶୀଳତାରେ ହିଁ ରହିଛି, ଏକଥା ଭୁଲିଯିବା ଉଚିତ ନୁହେଁ। ତୋର କଲମ ଦ୍ୱାରା ହଜାର ହଜାର ଲୋକ ପ୍ରଭାବିତ ଏବଂ ଅଭିପ୍ରେରିତ ହେଉଛନ୍ତି ଏକଥା ଯେମିତି ଭୁଲି ନ ଯାଅ। ନିଜ ଲେଖନୀ ମାଧ୍ୟମରେ ସମାଜକୁ ଦିଗ୍‌ଦର୍ଶନ ଦେଇପାରିବା ଠାରୁ ଅଧିକ ମହତ କାର୍ଯ୍ୟ ଆଉ କ’ଣ ହୋଇପାରେ ! ମାଆଙ୍କ ଏହି କଥା ଟିକକ ସେଦିନ ନାଟ୍ୟକାର ଗିରିଶ ଚନ୍ଦ୍ର ଘୋଷଙ୍କ ମନରେ ବିରାଟ ପରିବର୍ତ୍ତନ ଆଣିଦେଲା।
ପୁନଶ୍ଚ ଆଧୁନିକତାର କରାଳ ଛାୟା ଯେତେ ନିର୍ମମ ହେଉନା କାହିଁକି ମଣିଷ ଜୀବନର କିଛିଟା ମୌଳିକ ଉପାଦାନ ଏବେ ବି ଯଥାସମ୍ଭବ ଅକ୍ଷୁଣ୍ଣ ରହିଛି ବୋଲି ଅନୁଭବ କରିହୁଏ। ହଜାରେ ବର୍ଷ ପୂର୍ବେ ମାଆଟିଏ ତା’ ସନ୍ତାନକୁ ଯେତିକି ସ୍ନେହ ମମତା ଦେଉଥିଲା ଆଜି ବି ସେତିକି ଦିଏ। ପାଞ୍ଚ ଶହ ବର୍ଷ ପୂର୍ବେ ଜଣେ ପ୍ରେମିକ କିମ୍ବା ପ୍ରେମିକା ତା’ର ସାଥି ଠାରୁ ମିଛ ପ୍ରତିଶ୍ରୁତି ପାଇଥିବା ଜାଣିଲା ପରେ ଯେତିକି ଆଘାତ ପାଉଥିଲା ଏବେବି ଠିକ ସେତିକି ଆଘାତ ପାଉଥିବେ ବୋଲି ବିଶ୍ୱାସ କରାଯାଏ। ହଜାର ହଜାର ବର୍ଷ ପୂର୍ବେ ସମ୍ମୁଖରେ ମୃତ୍ୟୁକୁ ଦେଖି ସେତେବେଳର ମଣିଷ ଯେଉଁ ଅବସ୍ଥା ଭୋଗୁଥିଲା ଆଜିବି ସେହି ସ୍ଥିତିର ମଣିଷ ଠିକ ସେମିତି ଅବସ୍ଥା ଭୋଗୁଥିବ। ଗୋଟିଏ ମଧୁର ସଂଗୀତର ମୂର୍ଚ୍ଛନା ଆଗରୁ ମନକୁ ଯେତିକି ଆନମନା କରୁଥିଲା ଏବେବି ଠିକ୍‌ ସେତିକି ହିଁ କରୁଛି। ଠିକ୍‌ ସେହିପରି ସୃଜନଶୀଳତାର ମୌଳିକତାରେ ମଧ୍ୟ ପରିବର୍ତ୍ତନ କେବେ ହେବ ନାହିଁ। ରାମାୟଣ ମହାଭାରତ ଭଳି ଗ୍ରନ୍ଥ ହେଉ କିମ୍ବା ପାରମ୍ପରିକ ନୃତ୍ୟ, କଳା ସମୂହ, ଯେଉଁଠି ଦିନେ ସାମାଜିକ ସଚେତନତାର ଆସ୍ତରଣଟିଏ ଢାଳି ହେଉଥିଲା। ଆଜିର ପ୍ରତ୍ୟେକ କଳା ସାହିତ୍ୟ ମଧ୍ୟ ସେହିପରି ସାମାଜିକ ଚେତନାରେ ରୁଦ୍ଧିମନ୍ତ, ଏହି ବିଶ୍ୱାସ ଓ ଲକ୍ଷ୍ୟ ନେଇ ବର୍ତ୍ତମାନର ପ୍ରତିଟି ସୃଜନଶୀଳ ମଣିଷଙ୍କୁ ଆଗେଇବାକୁ ହେବ।
ଅପରପକ୍ଷେ ଜଣେ ସାଧାରଣ ମଣିଷର ଗଭୀର ବିଶ୍ୱାସ ଥାଏ ଯେ, ସୃଜନଶୀଳ ବ୍ୟକ୍ତିମାନେ ହେଉଛନ୍ତି ଦିବ୍ୟ ସତ୍ତାର ଅଧିକାରୀ। ତେଣୁ ସାଧାରଣ ଲୋକଙ୍କ ବିଶ୍ୱାସର ଅନୁରୂପ ଈଶ୍ୱରଙ୍କ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ସମାଜକୁ ସଜା ସୃଜନଶୀଳ ବ୍ୟକ୍ତିମାନେ ଅଧିକ ଯତ୍ନବାନ ହେବା ଜରୁରୀ। ଗଛରେ ସବୁଜ ପତ୍ର କଅଁଳେ, ଫୁଲ ଫୁଟେ ଓ ଫଳ ଧରେ। ଗଛର ଏହି ପ୍ରକ୍ରିୟା ହିଁ ତା’ର ସାଧନା, ତା’ର ପରିଶ୍ରମ। ଯେଉଁ ସାଧନାକୁ ଅନ୍ୟ କେହି କେବେ ଠଉରାଇ ପାରେ ନାହିଁ। ହେଲେ ସେହି ସବୁଜ ପତ୍ର, ପ୍ରସ୍ଫୁଟିତ ଫୁଲ, ଫଳ ଦିନେ ସମଗ୍ର ପରିବେଶକୁ ଯେତିକି ଶୋଭାବର୍ଦ୍ଧିତ କରେ, ତା’ର ଉପାଦେୟତା ମଧ୍ୟ ସେତିକି ଅର୍ଥପୂର୍ଣ୍ଣ ମନେହୁଏ। ଠିକ୍‌ ସେହିପରି ଜଣେ ସୃଜନଶୀଳ ସାଧକର ପ୍ରଦର୍ଶନ ମଣିଷ ସମାଜର ପଥକୁ ସରଳ ଏବଂ ସୁଗମ କରିବାର ଭାର ବହନ କରେ।
ଶିକ୍ଷକ, ସିନାପାଲି, ନୂଆପଡ଼ା
ମୋ:୯୭୭୭୭୫୩୯୩୫

Odisha’s No.1 Odia Daily

Share