ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ: ମୃତଦେହ ରଖି ରାସ୍ତା ଅବରୋଧ

କେସିଙ୍ଗା,୨୬ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ନର୍ଲା ଗ୍ରାମର ଜୟନ୍ତୀ ନଗରପଡ଼ାର କୈବଲ୍ୟ ସେନାପତିଙ୍କ ପୁଅ ମନୋଜ(୧୨)। ବୁଧବାର ବିଳମ୍ବିତ ରାତିରେ ପେଟ ବ୍ୟଥା ହେବାରୁ ନର୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପାଇଁ ପରିବାର ଲୋକେ ନେଇଥିଲେ। ଡାକ୍ତରଖାନା ଦାୟିତ୍ୱରେ ଥିବା ଇନ୍‌ଚାର୍ଜ ଅନୁପସ୍ଥିତ ଥିବାରୁ ନର୍ସ ଦୁଇଟି ଇଞ୍ଜେକ୍‌ସନ ଦେଇ ଘରକୁ ନେଇ ଯାଅ ବୋଲି କହିଥିଲେ। ତେବେ ଘରକୁ ଯିବାର ୧୫ ମିନିଟ୍‌ ପରେ ମନୋଜଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ପୁଣି ଡାକ୍ତରଖାନାକୁ ଆଣିଥିଲେ। ଦୁଇଟି ଇଞ୍ଜେକ୍‌ସନ ଦେବାରୁ ହଠାତ୍‌ ସେ ବେହୋସ ହୋଇଗଲେ। ଏହାକୁ ନେଇ ନର୍ଲା ଜନସାଧାରଣ ଏବଂ ମୃତକଙ୍କ ପରିବାରବର୍ଗ ମୃତଦେହ ରଖି କ୍ଷତିପୂରଣ ଏବଂ ଡାକ୍ତର ନିଯୁକ୍ତି ଦାବିରେ ଡାକ୍ତରଖାନା ସମ୍ମୁଖରେ ରାଜପଥ ଉପରେ ଧାରଣା ଦେଇଛନ୍ତି।