ଦୀପାବଳିରେ ଏଭଳି ସଜାନ୍ତୁ ଘର…

ଦୀପାବଳିରେ ସମସ୍ତେ ଚାହାନ୍ତି ନିଜ ଘର ସୁନ୍ଦର ଦେଖାଯାଉ। ଆଉ ସବୁ କୋଣ ଝଲସି ଉଠୁ। କିନ୍ତୁ ଦାମୀ ଘରସଜା ସାମଗ୍ରୀ କିଣି ଘର ସଜାଇବା ବ୍ୟୟସାପେକ୍ଷ ହୋଇଥାଏ। ସେଥିପାଇଁ ଜାଣନ୍ତୁ କମ୍‌ ଖର୍ଚ୍ଚ ଓ ସହଜରେ କିଭଳି ଘରକୁ ସଜାଇ ହେବ…

ବଦଳାନ୍ତୁ ଘରର ଲୁକ୍‌-କାନ୍ଥରେ ସୁନ୍ଦର ଓ୍ବାଲ ପେପର୍‌ ଲଗାଇ ଘରକୁ ନୂଆ ଲୁକ୍‌ ଦେଇପାରିବେ। ଯଦି ଆପଣଙ୍କର ପେଣ୍ଟିଂ ଭଲ ହୁଏ ତେବେ ନିଜେ ଚାହିଁଲେ କାନ୍ଥରେ ସୁନ୍ଦର ପେଣ୍ଟିଂ କରି ଘରର ଲୁକ୍‌ ବଦଳାଇପାରିବେ। ପୁରୁଣା ପରଦାକୁ ସଫା କରି ସେଥିରେ ସୁନ୍ଦର ଲେସ୍‌ ଲଗାନ୍ତୁ ଓ ଘରେ ଲଗାନ୍ତୁ। ଦେଖିବେ ଘରର ଲୁକ୍‌ ଆକର୍ଷକ ହୋଇଯିବ। ଡ୍ରଇଂ ରୁମ୍‌ରେ କୌଣସି ପ୍ଲାଣ୍ଟ ରଖିଥିଲେ ସେଥିରେ ଲାଇଟ୍‌ ଲଗାଇ ଦିଅନ୍ତୁ।

ପ୍ରବେଶ ଦ୍ୱାରରେ ତୋରଣ- ଦୀପାବଳିରେ ଘରର ସବୁ କୋଣର ସାଜସଜ୍ଜା ଉପରେ ଧ୍ୟାନ ଦିଆଯାଏ। ତେବେ ପ୍ରବେଶ ଦ୍ୱାର ହେଉଛି ମୁଖ୍ୟ। ଫୁଲ, ପତ୍ର, ରଙ୍ଗବେରଙ୍ଗର କାଗଜରେ ତିଆରି ସୁନ୍ଦର ତୋରଣ ଲଗାଇପାରିବେ। ଏହା ଘରକୁ ଫେଷ୍ଟିଭ୍‌ ଲୁକ୍‌ ଦେବ।

ଫୁଲରେ ସଜାନ୍ତୁ- ବିଭିନ୍ନ ରଙ୍ଗ ଓ ପ୍ରକାରର ତାଜା ଫୁଲରେ ଘରର କବାଟ, ଝରକା ଓ ଠାକୁର ଘରକୁ ସଜାଇପାରିବେ। ଏହାଦ୍ୱାରା ଘର ମନମୋହକ ବାସ୍ନାରେ ଭରିଯିବ। ମନ ସତେଜ ଓ ପ୍ରସନ୍ନ ହେବ।

ରଙ୍ଗୋଲି- ରଙ୍ଗବେରଙ୍ଗର ରଙ୍ଗୋଲି ଦେଖିବାକୁ ଭାରି ଆକର୍ଷକ ଲାଗେ। ଦୀପାବଳିରେ ରଙ୍ଗୋଲି ନିଶ୍ଚୟ କରନ୍ତୁ। ଆଉ ସେଥିରେ ଦୀପ ରଖି ସଜାନ୍ତୁ। ଚାହିଁଲେ ଫୁଲରେ ବି ରଙ୍ଗୋଲି ତିଆରି କରିପାରିବେ।

ରଙ୍ଗିନ ମହମବତି- ଦୀପାବଳିରେ ରଙ୍ଗିନ ମହମବତି ଘରକୁ ଆକର୍ଷକ କରାଏ। ଏହା ବିନା ତ ଯେମିତି ଦୀପାବଳି ଘର ସଜା ଅଧୁରା। ଘରର ବିଭିନ୍ନ ସ୍ଥାନରେ ଏହାକୁ ଜଳାନ୍ତୁ। ଦେଖିବେ ଘର ରଙ୍ଗିନ ଲାଗିବ ଓ ଆଲୋକରେ ଝଲସି ଉଠିବ।

ଫେୟାରୀ ଲାଇଟ୍‌- ଆଲୋକର ଏହି ପର୍ବରେ ଫେୟାରୀ ଲାଇଟ୍‌ର ବ୍ୟବହାର ନ କରିବେ ବା କେମିତି। ଏହାକୁ ବ୍ୟବହାର କଲେ ଦେଖିବେ ଘର ଝଲସି ଉଠିବ। ଚାହିଁଲେ ପରିବାର ସଦସ୍ୟଙ୍କର କିଛି ଫଟୋକୁ ଲାଇଟ୍‌ ମଝିରେ ଲଗାଇ କାନ୍ଥରେ ଟାଙ୍ଗି ପାରିବେ। ଏହାଦ୍ୱାରା ଦୀପାବଳି ଖାସ୍‌ ଲାଗିବ। ଥରେ ଏହି ଲାଇଟ୍‌ କିଣିଲେ, ଅନ୍ୟ ଖାସ୍‌ ଦିନରେ ବି ଏହାକୁ ବ୍ୟବହାର କରିପାରିବେ।

ପେପରବ୍ୟାଗ୍‌ ଲ୍ୟୁମିନେୟର୍‌- ଏହିଦିନର ଡେକୋରେଶନ୍‌ ପାଇଁ ପେପର୍‌ବ୍ୟାଗ୍‌ ଲ୍ୟୁମିନେୟର, ବ୍ୟାଟେରିରେ ଚାଲୁଥିବା ମହମବତି ଭଲ ବିକଳ୍ପ। ଏହା ଦେଖିବାକୁ ବହୁତ ୟୁନିକ୍‌ ଲାଗେ। ଏହାକୁ କାନ୍ଥରେ କିମ୍ବା ଛାତ ଉପରେ ଟଙ୍ଗାଇପାରିବେ।

ଡେକୋରେଟିଭ୍‌ ଲାଣ୍ଟର୍ନ- ଆଜିକାଲି କାଗଜ, କପଡା ଓ ଗ୍ଲାସ୍‌ରେ ତିଆରି ବିଭିନ୍ନ ସୁନ୍ଦର ସୁନ୍ଦର ଡିଜାଇନ୍‌ର ଡେକୋରେଟିଭ୍‌ ଲାଣ୍ଟର୍ନ ବଜାରରେ ଉପଲବ୍ଧ ହେଉଛି। ଏହାର ମୂଲ୍ୟ ବି ବେଶି ନ ଥାଏ। ଚାହିଁଲେ ନିଜେ ମଧ୍ୟ ଏହାକୁ ତିଆରି କରି ଘରକୁ ଡିଫରେଣ୍ଟ ଲୁକ୍‌ ଦେଇପାରିବେ।