ଭଞ୍ଜନଗର,୧୮ା୮(ବାବୁଲା ପ୍ରଧାନ): ସୋମବାରଠାରୁ IGNOUରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା (ଡିଇସିଇ) ପାଠ୍ୟକ୍ରମ ଓଡ଼ିଆରେ ପଢ଼ାହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠ୍ୟକ୍ରମର ଶୁଭାରମ୍ଭ ଭୁବନେଶ୍ୱରରେ କରିଥିଲେ। ଏହି ଅବସରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରଓ୍ବାଲ, ଇଗ୍ନୋ ଉପକୁଳପତି ଉମା କାଞ୍ଜିଲାଲ ପ୍ରମୁଖ ଉପସ୍ଥିତ ଥିଲେ। ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ଇଗ୍ନୋ ଷ୍ଟଡି ସେଣ୍ଟର ଯୋଡ଼ି ହୋଇଥିଲେ। ରାଜ୍ୟରେ ପ୍ରାୟ ୪୧ ହଜାର ଛାତ୍ରୀଛାତ୍ର ଉକ୍ତ ପାଠ୍ୟକ୍ରମରେ ନାମ ଲେଖିଛନ୍ତି। ଏହି ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ର ବାଲ୍ ବାଟିକା, ଅଙ୍ଗନଓ୍ବାଡ଼ି ପ୍ରମୁଖ ନିଯୁକ୍ତିରେ ସୁଯୋଗ ମିଳିବ।
ସୂଚନାଯୋଗ୍ୟ, ଇଗ୍ନୋରେ ଇଂରାଜୀ ଏବଂ ହିନ୍ଦୀରେ ଶିକ୍ଷାଦାନ ଓ ପରୀକ୍ଷା ହୁଏ। କିନ୍ତୁ ଓଡ଼ିଆ ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ଇଗ୍ନୋ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା
(ଡିଇସିଇ) ପାଠ୍ୟକ୍ରମ ଓଡ଼ିଆରେ ଶିକ୍ଷାଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଆଜି ତାହାର ଶୁଭାରମ୍ଭ ହୋଇଥିଲା। ଏହିଭଳି ଭଞ୍ଜନଗରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ଇଗ୍ନୋ ଷ୍ଟଡି ସେଣ୍ଟର ସଂଯୋଜକ ବିଭାସ ଦାସ, ଅଧ୍ୟାପକ ଡ. ରବୀନ୍ଦ୍ର ମିଶ୍ର, କିରାଣି ପ୍ରଦୀପ ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ ଆଉ କିଛି ପାଠ୍ୟକ୍ରମ ମଧ୍ୟ ଓଡ଼ିଆରେ ଶିକ୍ଷାଦାନ ପାଇଁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି।


