ପ୍ରତିଷ୍ଠା ଦିବସରେ ଭାଜପା ଛାଡ଼ିଲେ ବରିଷ୍ଠ ନେତା ଦେବାନନ୍ଦ

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଭାଜପା ପ୍ରତିଷ୍ଠା ଦିବସରେ ଗଞ୍ଜାମ ଭାଜପାକୁ ଲାଗିଛି ଶକ୍ତ ଧକ୍କା। ଇସ୍ତଫା ଦେଲେ ହିଞ୍ଜିଳିର ଜଣାଶୁଣା ବରିଷ୍ଠ ଭାଜପା ନେତା ଦେବାନନ୍ଦ ମହାପାତ୍ର। ହିଞ୍ଜିଳିକାଟୁଠାରେ ବୁଧବାର ମହାପାତ୍ର ନିଜ ଇସ୍ତଫା ବିଷୟରେ ପ୍ରେସ ମିଟ୍‌ କରି ଜଣାଇଛନ୍ତି।

୧୯୮୮ରୁ ମହାପାତ୍ର ଭାଜପାର ସଦସ୍ୟ ଥିଲେ। ହିଞ୍ଜିଳିକାଟୁ ଏନ୍‌ଏସି କାଉନସିଲରଠାରୁ ଆରମ୍ଭ କରି ମଣ୍ଡଳ ସଭାପତି, ଜିଲା ଯୁବମୋର୍ଚ୍ଚା ସଭାପତି, ଜିଲା ସଭାପତି ଓ ରାଜ୍ୟ ଉପସଭାପତି ଆଦି ଦାୟିତ୍ୱରେ ଥିଲେ। ୨୦୦୯ ଓ ୨୦୧୪ ରେ ଭାଜପାରୁ ହିଞ୍ଜିଳି ବିଧାନସଭା ନିମନ୍ତେ ପ୍ରାର୍ଥୀ ରହି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼େଇ କରିଥିଲେ।
ରାଜ୍ୟ ଭାଜପା ବ୍ୟକ୍ତି କୈନ୍ଦ୍ରିକ ହେବା ସହ ଶୀର୍ଷସ୍ତରୀୟ ନେତାଙ୍କ ଏକଛତ୍ରବାଦ ନୀତି, ସମର୍ପିତ କାର୍ଯ୍ୟକର୍ତ୍ତାଙ୍କୁ ହତାଦର, ସଙ୍ଗଠନ ବିରୋଧୀ ଓ ଜନ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ମହାପାତ୍ର ଅଭିଯୋଗ କରିଛନ୍ତି। ମହିଳା ଓ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଅସମ୍ମାନ ଓ ଅପମାନିତ ପ୍ରତିବାଦରେ ସେ ଇସ୍ତଫା ଦେଇଥିବା କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଏହି ଅବସରରେ ତୀବ୍ର ସମାଲୋଚନା କରିଛନ୍ତି। ଅନ୍ୟ କୌଣସି ଦଳରେ ଯୋଗଦାନ ନେଇ ସେ ସ୍ପଷ୍ଟ କରିନାହାନ୍ତି। ଲୋକଙ୍କ ସେବା ଓ ସାମାଜିକ କାର୍ଯ୍ୟ ଜାରି ରଖିବା ପାଇଁ କହିଛନ୍ତି।