ଏମ୍‌କେସିଜି ମେଡିକାଲରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ବ୍ରହ୍ମପୁର,୧୮ା୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ କନ୍ଧମାଳ ଜିଲା ଗୋଛାପଡ଼ା ଥାନା ଅନ୍ତର୍ଗତ କଦମପଙ୍କା ଗ୍ରାମର ରବୀନ୍ଦ୍ର କୁମାର ସାହୁ(୫୫)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ ଜବତ କରିଛି। ମୃତକଙ୍କ ପୁଅ ବଳରାମ ସାହୁ, ଭାଇ ସୁରେନ୍ଦ୍ର କୁମାର ସାହୁ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ପଞ୍ଚନାମା କରିଛି। ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଜଳାନ୍ତକ ରୋଗରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି। ଓଡ଼ଗାଁ ନିକଟସ୍ଥ ବାହାଡ଼ାଝୋଳ ଗ୍ରାମର ମୂଳ ନିବାସୀ ରବୀନ୍ଦ୍ର ବହୁ ବର୍ଷ ପୂର୍ବରୁ ବ୍ୟବସାୟ କରିବାକୁ କନ୍ଧମାଳର କଦମପଙ୍କା ଯାଇ ସେଠାରେ ରହୁଥିଲେ। ୨୦୨୧ରେ ଗଞ୍ଜେଇ ଚୋରାଚାଲାଣ ବେଳେ ଗୋଛାପଡ଼଼ା ଥାନା ପୋଲିସ ହାବୁଡ଼ରେ ପଡି ଗିରଫ ହୋଇଥିଲେ। ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ସେବେଠାରୁ ରବୀନ୍ଦ୍ର କନ୍ଧମାଳ ଜିଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। କିଛିଦିନ ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ୨୦୨୩ ଫେବୃୟାରୀ ୨୦ରେ ଜାମିନ ଅବଧି ଶେଷପରେ କୋର୍ଟରେ ହାଜର ହୋଇ ପୁଣି କନ୍ଧମାଳ ଜିଲା କାରାଗାରରୁ ଯାଇଥିଲେ। ରବୀନ୍ଦ୍ର ଜେଲରେ ଥିବା ବେଳେ ଗତ ୧୭ ତାରିଖ ସନ୍ଧ୍ୟାରେ ଗୁରୁତର ହୋଇପଡ଼ିଥିଲେ। ଜେଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ବୋଲି କନ୍ଧମାଳ ଜିଲା କାରାଗାର ଅଧୀକ୍ଷକ ଶର୍ମିଷ୍ଠା ପୃଷ୍ଟି ସୂଚନା ଦେଇଛନ୍ତି। ଏମକେସିଜି ମେଡ଼ିସିନ ୱାର୍ଡର ୯୮୮ ବେଡ଼ରେ ରହିଥିବା ରବୀନ୍ଦ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିବା ପୋଲିସ କହିଛି।