ବ୍ରହ୍ମପୁର,୧୮।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି)ମେଡିକାଲ ଓ ହସ୍ପିଟାଲରେ ଗତ ୧୩ ତାରିଖରେ ଏକ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ ହୋଇଥିଲା। ସେ ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ୪ଦିନି ପରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତ କିଛି ଦିନ ହେବ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁଥିଲା। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଶିଶୁଙ୍କର ମୃତ୍ୟୁ ଘଟିଥିବା ଏମକେସିଜି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ନିରୀକ୍ଷଣ ପାଇଁ ସ୍ଵତନ୍ତ୍ର ଦଳ ନିୟୋଜିତ ଥିଲେ। ଆଜି ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନାରେ ସେ କହିଛନ୍ତି, ଶିଶୁଟିର ରକ୍ତସଞ୍ଚାଳନ ଠିକ ନଥିଲା। ଶିଶୁଟି ଆଗୁଆ ଜନ୍ମଗ୍ରହଣ କରିଥିବାରୁ ଶରୀରର ଅନେକ ଅଂଶ ସଂପୂର୍ଣ୍ଣ ବିକାଶ ହୋଇନଥିଲା। ଦୁଇଟି ଶିଶୁର ଓଜନ ଆଶାନୁରୂପ କମ୍ ଥିଲା। ନିଶ୍ବାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲା। ରକ୍ତଚାପ ମଧ୍ୟ କମ୍ ସାଧାରଣ ଶିଶୁଙ୍କ ପରି ହୃଦ୍ସ୍ପନ୍ଦନ ହେଉନଥିବା ଜଣାପଡ଼ିଛି। ଅସ୍ତ୍ରୋପଚାର ପାଇଁ ବିଭାଗୀୟ ଟିମ୍ ପ୍ରସ୍ତୁତ ଥିବା ବେଳେ ଶିଶୁଙ୍କ ଶରୀର ଏଥିପାଇଁ ଅନୁକୂଳ ହୋଇନଥିଲା । ଶିଶୁକୁ ସ୍ବଭାବିକ ସ୍ବାସ୍ଥ୍ୟବସ୍ଥା ଫେରାଇ ଆଣିବାକୁ ପ୍ରୟାସ ଚାଲିଥିଲା। ହେଲେ ଶେଷରେ ଶିଶୁଟି ମୃତ୍ୟୁ ବରଣ କରିଛନ୍ତି।
କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ତିଡିପଦର ଗ୍ରାମର ତ୍ରିଲୋଚନ ମାଝୀ (୨୨)ଙ୍କ ସ୍ତ୍ରୀ ରୁନି ମାଝୀଙ୍କର ଏମକେସିିଜିରେ ପ୍ରସବ ହୋଇଥିଲା। ଜନ୍ମ ହୋଇଥିବା ଶିଶୁପୁତ୍ରଙ୍କ ଓଜନ ୨.୬ କିଲୋଗ୍ରାମ ଥିବା ସେମାନଙ୍କ ଯୋଡ଼ାମୁଣ୍ଡ ଥିଲା। ଶିଶୁଙ୍କର ମେରୁଦଣ୍ଡ ଦୁଇଟି, ହାତ ଓ ଗୋଡ଼ ଦୁଇଟି ଥିବା ବେଳେ ହୃତପିଣ୍ଡ ଓ ଲିଭର୍ ଏବଂ ଯୌନାଙ୍ଗ ଗୋଟିଏ ହିଁ ରହିଥିଲା। ଏହି କେସ୍କୁ ‘ପାରାପାଗସ କେସ୍’ ବୋଲି କୁହାଯାଇଥିଲା । ଶିଶୁଟିର ଅବସ୍ଥା ସଙ୍କଟାପର୍ଣ୍ଣ ଥିବା କାରଣରୁ ତାହାର ଅସ୍ତ୍ରୋପଚାର କରିବା ବିପଦପୂର୍ଣ୍ଣ ବୋଲି କର୍ତ୍ତୃପକ୍ଷ କହୁଥିଲେ। ଏଣୁ ଶିଶୁଟିକୁ ଏସଏନସିୟୁରେ ରଖି ଚିକିତ୍ସା କରାଯାଉଥିଲା ବୋଲି ଡାକ୍ତର କହିଛନ୍ତି ।