ସୁରଟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ପ୍ରଶାସନ ସହାୟତାରେ ଫେରିଲା ମୃତଦେହ

ଦିଗପହଣ୍ଡି,୨୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମର ଜିତେନ୍ଦ୍ର ଦଳାଇଙ୍କ ମୃତଦେହ ଗୁରୁବାର ଗୁଜୁରାଟ ସୁରଟରୁ ଗାଁ ରେ ପହଞ୍ଚିଛି। ସୁରଟ ସହରର ଏକ ସୂତାକଳରେ ସେ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଶନିବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ହେବା ଫଳରେ ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜିତେନ୍ଦ୍ରଙ୍କ ମୃତଦେହକୁ ଜନ୍ମମାଟିକୁ ଆଣିବା ପାଇଁ ପରିବାର ଲୋକେ ପ୍ରଶାସନ ନିକଟରେ ନିବେଦନ କରିଥିଲେ। ବିଡିଓ ଗାୟତ୍ରୀ ଦତ୍ତ ନାୟକ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସବିଶେଷ ତଥ୍ୟ ଜଣାଇଥିଲେ। ଜିଲାପାଳ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିବାରୁ ସେହି ଅଞ୍ଚଳରେ କାମ କରୁଥିବା କିଛି ଓଡ଼ିଆଙ୍କ ସହଯୋଗକ୍ରମେ ଗୁରୁବାର ଜିତେନ୍ଦ୍ରଙ୍କ ମୃତଦେହ ଗାଁରେ ପହଞ୍ଚିଥିଲା। ସ୍ଥାନୀୟ ତହସିଲଦାର ଡ. ଶ୍ରୀନିବାସ ବେହେରା, ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ଜିଲା ପରିଷଦ ସଭ୍ୟ ଅମିନ ପ୍ରଧାନ, ସରପଞ୍ଚ ପ୍ରତିନିଧି ରୋହିତ ଖୁଣ୍ଟିଆ ଜିତେନ୍ଦ୍ରଙ୍କ ଘରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଜିଲା ଶ୍ରମିକ କଲ୍ୟାଣ ଯୋଜନାରୁ ଆର୍ଥିକ ସହାୟତା ରାଶି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।