ଚିକିତ୍ସା ଅବହେଳାରୁ ବ୍ୟକ୍ତିଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର ଲୋକେ

ପାପଡ଼ାହାଣ୍ଡି,୨୫ା୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଗାଦବା କତ୍ରା ପଞ୍ଚାୟତ ଖୁଡ଼ିଗୁଡ଼ା ଗ୍ରାମର ଲାଇବାନ ମୁଦୁଲି(୪୮)ଙ୍କ ରବିବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୂରଣ ଦାବିରେ ଜିଦ୍‌ରେ ଅଡ଼ି ବସି ମୃତଦେହ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତଃର୍ବିଭାଗରେ ପକାଇ ରଖିଛନ୍ତି। ଯାହାକୁ ନେଇ ଉତ୍ତଜେନା ଦେଖାଦେଇଛି।

ସୂଚନାନୁଯାୟୀ, ଲାଇବାନ ତାଙ୍କ ସାଙ୍ଗ ଧନିଆ ହରିଜନଙ୍କ ସହ ଏକ ବାଇକ୍‌ରେ ଖୁଡ଼ିଗୁଡ଼ାରୁ ମଇଦଲପୁର ଆସିବା ସମୟରେ ବାଇକ୍‌ଟି ଦୁର୍ଘଟଣାଗସ୍ତ ହୋଇଥିଲା। ଏଥିରେ ଲାଇବାନ ଗୁରୁତର ହୋଇଥିଲେ। ପରିବାର ଲୋକେ ଜାଣିବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସି ନ ଥିଲା। ଶେଷରେ ଏକ ଅଟୋ ଯୋଗେ ରବିବାର ପୂର୍ବାହ୍ନରେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅପରାହ୍ନ ୩ଟା ବେଳକୁ ଲାଇବାନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସାରେ ଅବହେଳାକୁ ଦାୟୀ କରି ମୃତଦେହ ପକାଇ ରଖିଛନ୍ତି ପରିବାର ଲୋକେ। ଖବର ପାଇ ପାପଡ଼ାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତଦେହ ଉଠାଇବା ଲାଗି କହିବା ପରେ ବି ଲୋକେ ବୁଝି ନ ଥିଲେ। ଡାକ୍ତର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ପରିବାର ଲୋକେ ଜିଦ୍‌ ଧରିବସିଛନ୍ତି।