ଅଜା ଘରକୁ ଯାଇଥିଲେ ବୁଲି: ନାଳରେ ବୁଡ଼ି ଚାଲିଗଲା ନାତିଙ୍କ ଜୀବନ

ଦିଗପହଣ୍ଡି,୨ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ଖୁଲୁଡି ଗ୍ରାମରେ ଗୁରୁବାର ଜଣେ ୧୧ବର୍ଷର ନାବାଳକ ଶୁଳିଆ ନାଳରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଗ୍ରାମର ସନାତନ ସାହୁଙ୍କ ପୁଅ ଶ୍ରୀତମ୍‌ ଖୁଲୁଡ଼ି ଗ୍ରାମ ଅଜା ଧାବା ସାହୁଙ୍କ ଘରକୁ ଆସିଥିଲେ। ୩ ଜଣ ନାବାଳକ ଶୁଳିଆ ନାଳ ଅତିକ୍ରମ କରି ଅଜାଙ୍କୁ ଡାକିବାକୁ ଯାଉଥିବା ବେଳେ ଶ୍ରୀତମଙ୍କ ଗୋଡ଼ ଖସିଯିବାରୁ ନାଳରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ। ଅନ୍ୟପକ୍ଷେ ପାଟପୁର ରାଜସ୍ବ କର୍ମଚାରୀ ରତ୍ନାକର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।